fbpx

ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ଆଞ୍ଚଳିକ ପାଣିପାଗ ବିଭାଗ ଦେଲା ସୂଚନା

ଭୁବନେଶ୍ୱର: ଓଡ଼ିଶାକୁ ତାତିରୁ ଆଶ୍ୱସ୍ତି ମିଳିଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାକୁ ଛୁଇଁଛି । ମାଲକାନଗିରି, କୋରାପୁଟ, ଗଜପତି ଜିଲ୍ଲାକୁ ମୌସୁମୀ ବାୟୁ ଛୁଇଁଛି । ଆଗାମୀ ଦୁଇ ଦିନ ମଧ୍ୟରେ ସାରା ରାଜ୍ୟକୁ ଏହି ମୌସୁମୀ ବାୟୁ ଅଗ୍ରସର ହେବ ବୋଲି ପାଣିପାଗ ବିଭାଗରୁ ସୂଚନା ମିଳିଛି । ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି ।

ସୂଚନା ଅନୁଯାୟୀ, ଆଜି ରାଜ୍ୟରେ ମୌସୁମୀ ବାୟୁ ଛୁଇଁବା ପୂର୍ବରୁ ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଏହାସହ କିଛି ଜିଲ୍ଲାରେ ମୌସୁମୀ ବର୍ଷା ଦେଖିବାକୁ ମଧ୍ୟ ମିଳିଛି । କଟକ ଓ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବର୍ଷା ଦେଖିବାକୁ ମିଳିଛି । ରାଜଧାନୀର ଓଲ୍ଡ ଟାଉନ, ଏୟାରପୋର୍ଟ, ଖଣ୍ଡଗିରି ଅଞ୍ଚଳରେ ବର୍ଷା ହେଉଛି । ରାଜଧାନୀ ମାଉସୀମା ମନ୍ଦିର ଅଞ୍ଚଳ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମିଛି । ଦିନ ସାଢେ ୨ଟା ସୁଦ୍ଧା ଭୁବନେଶ୍ୱରରେ ୯୦.୪ ମିମିର ବର୍ଷା ରେକର୍ଡ କରାଯାଇଛି ।

କଟକ ସହରର ପ୍ରାୟ ସବୁ ସ୍ଥାନରେ ଘଡଘଡି ସହ ବର୍ଷା ହୋଇଛି । ଏଥିସହ ପୁରୀରେ ମଧ୍ୟ ବର୍ଷା ଜାରି ରହିଛି । କିଛି ଘଣ୍ଟା ଧରି ବର୍ଷା ଲାଗି ରହିଥିବାରୁ ବିଭିନ୍ନ ସ୍ଥାନରେ ଜନଜୀବନ ପ୍ରଭାବିତ ହୋଇଛି । ତେବେ ମୌସୁମୀ ଆସିବା ଫଳରେ ପ୍ରବଳ ଗ୍ରୀଷ୍ମ ପ୍ରବାହରୁ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ମିଳିଛି ।

Get real time updates directly on you device, subscribe now.