ODI WC-2023 ପାକିସ୍ତାନ କ୍ରିକେଟ ବୋର୍ଡକୁ ବଡ ଝଟକା ଦେଲା BCCI: ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଆସିଲା ବଡ ଖବର

ନୂଆଦିଲ୍ଲୀ: ଆସନ୍ତା ଜୁନ ୨୭ ତାରିଖରେ ଜାରି ହେବାକୁ ଯାଉଛି ଦିନିକିଆ ବିଶ୍ୱକପର ସମ୍ପୂର୍ଣ୍ଣ ସୂଚୀ । ଏହି ବଡ ଟୁର୍ଣ୍ଣାମେଣ୍ଟରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଏକ ବଡ ଖବର ବର୍ତ୍ତମାନ ସାମନାକୁ ଆସିଛି । ବିସିସିଆଇର ଜିଦ୍ ଆଗରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଛି ପାକିସ୍ତାନ କ୍ରିକେଟ ବୋର୍ଡ । ଫଳରେ ଏହି ଶୀତଳ ଯୁଦ୍ଧରେ ବିସିସିଆଇ ନିଜ ଜିଦରେ ଅଟଳ ରହିଛି ଏବଂ ଆଇସିସି ମଧ୍ୟ ବୋର୍ଡର କଥାକୁ ମାନି ନେବାକୁ ବାଧ୍ୟ ହୋଇଛି । ଅର୍ଥାତ୍ ଏହି ଚିର ପ୍ରତିଦ୍ୱନ୍ଦୀ ଦଳ ମଧ୍ୟରେ ହେବାକୁ ଥିବା ମ୍ୟାଚ ପାଇଁ ଭେନ୍ୟୁ ସ୍ଥିର ହୋଇଛି ।
ରିପୋର୍ଟ ଅନୁସାରେ, ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ପାଇଁ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମକୁ ବାଛିଥିଲା ବିସିସିଆଇ । କିନ୍ତୁ ପାକିସ୍ତାନ ବୋର୍ଡ ଏଥିରେ ସହମତି ପ୍ରକାଶ କରି ନଥିଲା । ଫଳରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ପାକିସ୍ତାନ ଏହି ଷ୍ଟାଡିୟମରେ ହେବାକୁ ଥିବା ମ୍ୟାଚକୁ ଚେନ୍ନାଇ କିମ୍ବା ବାଙ୍ଗାଲୋରକୁ ସ୍ଥାନାନ୍ତର କରିବା ପାଇଁ ଦାବି କରିଥିଲା । କିନ୍ତୁ ଭାରତ-ପାକିସ୍ତାନ ମ୍ୟାଚରେ ଅଧିକ ପରିମାଣରେ ଦର୍ଶକ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ଏହି ମ୍ୟାଚକୁ ବଡ ଷ୍ଟାଡିୟମରେ ଖେଳାଯିବା ଉଚିତ । କେଣୁ ବିସିସିଆଇ ଅହମ୍ମଦାବାଦ ଷ୍ଟାଡିୟମକୁ ନିର୍ଦ୍ଧାରିତ କରିଥିଲା । ଏହି ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟର ଭେନ୍ୟୁ ନିର୍ଦ୍ଧାରଣ ଦାୟିତ୍ୱ ଆୟୋଜକ ହାତରେ ରହିଛି । ତେଣୁ ଆଇସିସି ମଧ୍ୟ ଭାରତୀୟ କ୍ରିକେଟ ବୋର୍ଡର ନିଷ୍ପତ୍ତିକୁ ଗ୍ରହଣ କରିଛି ।
ତେବେ ଦିନିକିଆ ବିଶ୍ୱକପ ଏକ ବଡ ଟୁର୍ଣ୍ଣାମେଣ୍ଟ ଏବଂ ଭାରତ-ପାକିସ୍ତାନ ମ୍ୟାଚ ହେଉଛି ସବୁଠୁ ମହତ୍ତ୍ୱପୂର୍ଣ୍ଣ । ତେଣୁ ଆଇସିସି କେବେ ଏଥିରେ କୌଣସି ସମସ୍ୟା ଉତ୍ପନ୍ନ ହେଉ ବୋଲି ଚାହିଁବନି । ଏହାବ୍ୟତୀତ ଏହି ମ୍ୟାଚରେ ହେବାକୁ ଥିବା ଦର୍ଶକଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ନରେନ୍ଦ୍ର ମୋଦୀ ଷ୍ଟାଡିୟମକୁ ଅନୁମତି ମିଳିଛି । ବିସିସିଆଇର ନିଷ୍ପତ୍ତିକୁ ଆଇସିସିର ସହମତି ମିଳିସାରିବା ପରେ ପାକିସ୍ତାନ କ୍ରିକେଟ ବୋର୍ଡ ମଧ୍ୟ ଏଠାରେ ମ୍ୟାଚ ଖେଳିବା ପାଇଁ ବାଧ୍ୟ ହୋଇଛି । ତେବେ ଭାରତ-ପାକିସ୍ତାନ ବିପକ୍ଷ ଏହି ହାଇ ଭୋଲ୍ଟେଜ ମ୍ୟାଚ ବିଶ୍ୱର ସବୁଠୁ ବଡ ଷ୍ଟାଡିୟମ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ହିଁ ଖେଳାଯିବ ବୋଲି ଚୂଡାନ୍ତ ନିଷ୍ପତ୍ତି ନିଆଯାଇଛି ।