fbpx

ଶିକ୍ଷକ ନିଯୁକ୍ତି ପରୀକ୍ଷା ଲାଗି ଏଠାରେ ଲାଗିଛି କୁମ୍ଭମେଳା ପରି ଭିଡ; ବସ୍, ଟ୍ରେନ, ହୋଟେଲ ସବୁ ଭର୍ତ୍ତି, ଫୁଟପାଥରେ ପଡି ରହିଛନ୍ତି ପରୀକ୍ଷାର୍ଥୀ

ପାଟନା: ବିହାରରେ ବିପିଏସସି ଶିକ୍ଷକ ନିଯୁକ୍ତି ଲାଗି ଗୁରୁବାର ଠାରୁ ପରୀକ୍ଷା ଆରମ୍ଭ ହୋଇଛି । ଲକ୍ଷ ଲକ୍ଷ ସଂଖ୍ୟାରେ ଆଶାୟୀ ଶିକ୍ଷକ ୧.୭୦ ଲକ୍ଷ ପଦ ପାଇଁ ୩ ଦିନ ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ଦେବେ । ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ଏଥିପାଇଁ ରାଜ୍ୟରେ ଏତେମାତ୍ରାରେ ଭିଡ ପରିଲକ୍ଷିତ ହୋଇଛି ଯାହା କୁମ୍ଭ ମେଳାର ଭ୍ରମ ସୃଷ୍ଟି କରୁଛି । ଟ୍ରେନ ଓ ବସ୍ ରେ ଲଦା ହୋଇ ପରୀକ୍ଷାର୍ଥୀମାନେ ନିଜ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚୁଛନ୍ତି । ପାଟନା, ଭାଗଲପୁର, ମୁଜାଫରପୁର ସହିତ ସମସ୍ତ ସହରରେ ହୋଟେଲ ଗୁଡିକ ଏବେ ଫୁଲ୍ ହୋଇଯାଇଛି । ଏପରିକି ଆଶାୟୀ ପ୍ରାର୍ଥୀମାନେ ରେଳ ଷ୍ଟେସନ, ରାସ୍ତାକଡରେ ଶୋଇ ରାତି ବିତାଉଛନ୍ତି । ଏହି ସ୍ଥିତି ଆହୁରି ୨ ଦିନ ପର୍ଯ୍ୟନ୍ତ ଲାଗି ରହିବ । ଶିକ୍ଷକ ନିଯୁକ୍ତି ପରୀକ୍ଷା ସହିତ ଟ୍ରାନ୍ସପୋର୍ଟ ବିଭାଗରେ ନିଯୁକ୍ତି ଲାଗି ମଧ୍ୟ ପରୀକ୍ଷା ଚାଲିଛି ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ବିପିଏସସି ପକ୍ଷରୁ  ୧.୭୦ ଲକ୍ଷ ଶିକ୍ଷକ ନିଯୁକ୍ତି ଲାଗି ପ୍ରାର୍ଥୀ ଚୟନ କରାଯିବ । ଏଥିପାଇଁ ଗୁରୁବାର ଠାରୁ ୩ ଦିନ ପର୍ଯ୍ୟନ୍ତ ପରୀକ୍ଷାର ଆୟୋଜନ ହେଉଛି । ରାଜ୍ୟର ସମସ୍ତ ୩୮ ଜିଲ୍ଲାରେ ୮୫୦ଟି ପରୀକ୍ଷା କେନ୍ଦ୍ର ତିଆରି କରାଯାଇଛି । ଏଥିପାଇଁ ୨ ପର୍ଯ୍ୟାୟରେ ପ୍ରାୟ ୮ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ପରୀକ୍ଷା କେନ୍ଦ୍ର ଆଖପାଖରେ ୧୪୪ ଧାରା ଲାଗୁ କରାଯାଇଛି । ରେଳ ଷ୍ଟେସନ, ବସଷ୍ଟାଣ୍ଡ ସବୁଠି ପରୀକ୍ଷାର୍ଥୀଙ୍କ ଭିଡ ଯୋଗୁ ସାଧାରଣ ଲୋକଙ୍କୁ ବି ଯାତାୟତରେ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ।

Get real time updates directly on you device, subscribe now.