ନୂଆଦିଲ୍ଲୀ: ଭାରତୀୟ ଯୁବା କୁସ୍ତିଯୋଦ୍ଧା ଅନ୍ତିମ ପଙ୍ଘାଲ ବିଶ୍ୱ ଚାମ୍ପିୟନଶିପରେ ଶାନଦାର ପ୍ରଦର୍ଶନ କରିଛନ୍ତି । ବର୍ତ୍ତମାନ ସମୟରେ ଆମେରିକାର ବିଶ୍ୱ ଚାମ୍ପିୟନ ଓଲିବିୟା ଡୋମିନିକ ପେରିଶଙ୍କୁ ପରାସ୍ତ କରି ନିଜର ଯୋଗ୍ୟତା ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି ଅନ୍ତିମ । ଏହି ମୁକାବିଲାରେ ଏକ ସମୟରେ ଅନ୍ତିମ ପଛରେ ରହିଥିଲେ । ମାତ୍ର ସେ ପରବର୍ତ୍ତୀ ସମୟରେ ଜବରଦସ୍ତ ପ୍ରଦର୍ଶନ କରି ୩-୨ରେ ବିଜୟୀ ହୋଇଥିଲେ ।
ପ୍ରାଥମିକ ଅବସ୍ଥାରେ ଆମେରିକୀୟ କୁସ୍ତିଯୋଦ୍ଧା ଡୋମିନିକ ଭାରତୀୟ କୁସ୍ତିଯୋଦ୍ଧା ଅନ୍ତିମଙ୍କ ଉପରେ ପ୍ରଭାବ ବିସ୍ତାର କରିଥିଲେ । ଡୋମିନିକ ଭାରତୀୟ କୁସ୍ତିଯୋଦ୍ଧାଙ୍କ ଡାହାଣ ପାଦକୁ ଧରି ତଳେ ପକାଇ ଦୁଇ ଅଙ୍କ ହାସଲ କରିଥିଲେ । ଏହାପରେ ଭାରତୀୟ କୁସ୍ତିଯୋଦ୍ଧା ରକ୍ଷଣଶୀଳ ହେବା ସହିତ ପ୍ରତିପକ୍ଷଙ୍କ ଦୁଇଟି ପ୍ରୟାସକୁ ବ୍ୟର୍ଥ କରିଦେଇଥିଲେ ଓ ପ୍ରଥମ ପିରିୟଡରେ କୌଣସି ଅଙ୍କ ହରାଇନଥିଲେ ।
ଏହାପରେ ଅନ୍ତିମ ନିଜର ପ୍ରତିରକ୍ଷା ଶୈଳୀକୁ କାଏମ୍ ରଖିବା ସହିତ ଡୋମିନିକଙ୍କୁ କୌଣସି ପ୍ରକାର ଆକ୍ରମଣ କରିବାକୁ ସୁଯୋଗ ଦେଇନଥିଲେ । ତା’ପରେ ଭାରତୀୟ ରେସଲର ଆମେରିକୀୟ ରେସଲରଙ୍କ ବାମ ପାଦକୁ ଧରି ତାଙ୍କୁ ତଳେ ପକାଇ ଦେଇଥିଲେ ଓ ଦୁଇ ଅଙ୍କ ହାସଲ କରି ମୁକାବିଲାକୁ ବରାବର ସ୍ଥିତିକୁ ନେଇ ଆସିଥିଲେ । ପରେ ଅନ୍ତିମ ବିଜୟ ହାସଲ କରିଥିଲେ । ପୂର୍ବରୁ ଭାରତର ୫ ଜଣ ମହିଳା ରେସଲର ଓ ୧୦ ପୁରୁଷ ଫ୍ରି ଷ୍ଟାଇଲର ରେସଲର ପୂର୍ବରୁ ଟୁର୍ଣ୍ଣାମେଣ୍ଟରୁ ବାହାରି ହୋଇଯାଇଥିଲେ ।
ସୂଚନାଯୋଗ୍ୟ ଯେ, ଏସିଆନ ଗେମ୍ସର ଟ୍ରାଏଲ ପ୍ରକ୍ରିୟାର ସ୍ୱଚ୍ଛତାକୁ ନେଇ ଅନ୍ତିମ ପ୍ରଶ୍ନ ଉଠାଇଥିଲେ । ରେସଲର ଭିନେଶ ଫୋଗତଙ୍କୁ ଚୟନ କରାଯାଇଥିବା ବେଳେ ଅନ୍ତିମଙ୍କୁ ଷ୍ଟାଣ୍ଡ ବାଏ ରଖାଯାଇଥିଲା । ମାତ୍ର ଏହାପରେ ଅନ୍ତିମ ନିଜ କ୍ୟାରିୟର ଉପରେ ଫୋକସ୍ କରିଥିଲେ । ମାତ୍ର ନିଜର ଆଣ୍ଠୁରେ ଆଘାତ ଜନିତ ସମସ୍ୟା କାରଣରୁ ଭିନେସ ଏସିଆନ ଗ୍ରେମ୍ସରୁ ଓହରି ଯାଇଥିଲେ । ତେଣୁ ଏହାପରେ ଅନ୍ତିମଙ୍କୁ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ସୁଯୋଗ ମିଳିଥିଲା । ଏସିଆନ ଗେମ୍ସରେ ସୁଯୋଗ ମିଳିଲେ ସେ ଭିନେଶଙ୍କଠାରୁ ଭଲ ପ୍ରଦର୍ଶନ କରିବେ ବୋଲି ଅନ୍ତିମ କହିଥିଲେ । ଏବେ ଅନ୍ତିମଙ୍କର ବିଜୟ ଭିନେଶଙ୍କୁ ଏକ ଶକ୍ତ ଚାପୁଡ଼ା ସଦୃଶ ହୋଇଛି । ବର୍ତ୍ତମାନ ପଦକ ଜିତିବା ଓ ୨୦୨୪ ପ୍ୟାରିସ ଅଲିମ୍ପିକ୍ସଠାରୁ ମାତ୍ର ଗୋଟିଏ ପାଦ ଦୂରରେ ରହିଛନ୍ତି ଅନ୍ତିମ ।