fbpx

(Video) ମହାନତାର ପ୍ରମାଣ ଦେଲେ ଅଧିନାୟକ: ଆଉଟ୍ ହୋଇଥିବା ବ୍ୟାଟ୍ସମ୍ୟାନ ପୁଣି ଫେରିଲେ କ୍ରିଚକୁ

ନୂଆଦିଲ୍ଲୀ: କ୍ରିକେଟକୁ ଭଦ୍ରଲୋକଙ୍କର ଖେଳ ବୋଲି କୁହାଯାଇଥାଏ । ତେବେ ଅନେକ ସମୟରେ ସ୍ଲେଜିଂ କାରଣରୁ ଦୁଇପକ୍ଷର ଖେଳାଳିଙ୍କ ମଧ୍ୟରେ ମୁହାଁମୁହିଁ ହେଉଥିବାର ଦେଖାଯାଇଥାଏ । ସେହିପରି ଅନେକ ଖେଳାଳି ପଡ଼ିଆରେ ନିଜର ମହାନତାର ପରିଚୟ ଦେଇଥାନ୍ତି । ଅନୁରୂପ ଭାବେ ଜଣେ ଅଧିନାୟକଙ୍କୁ ଏବେ ସାରା ବିଶ୍ୱର କ୍ରୀଡ଼ାପ୍ରେମୀମାନେ ପ୍ରଶଂସା କରୁଛନ୍ତି ।

ସୂଚନା ମୁତାବକ, ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ ଅବସରରେ ଏପରି କିଛି ଦେଖିବାକୁ ମିଳିଥିଲା । ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିବା ନ୍ୟୁଜିଲାଣ୍ଡର ୪୬ତମ ଓଭରରେ ବାଂଲାଦେଶର ହସନ ମେହମୁଦ ବୋଲିଂ କରିଥିଲେ । ତେବେ ହସନ ୪ର୍ଥ ବଲରେ ନନଷ୍ଟ୍ରାଇକର ଏଣ୍ଡରେ ଥିବା ନ୍ୟୁଜିଲାଣ୍ଡର ବ୍ୟାଟ୍ସମ୍ୟାନ ଈଶ ସୋଧିଙ୍କୁ ରନ ଆଉଟ କରିବାକୁ ପ୍ରୟାସ କରିଥିଲେ, କାରଣ ଈଶ କ୍ରୀଚ ବାହାରକୁ ଚାଲିଯାଇଥିଲେ । ହସନ ରନଆଉଟ୍ ନେଇ ଅପିଲ କରିବା ପରେ ଈଶ ଆଉଟ୍ ଘୋଷିତ ହୋଇଥିଲେ । ସେ ସମୟରେ ସୋଧି ୧୭ ରନରେ ଖେଳୁଥିଲେ ।

ତେବେ ଏହି ସମୟରେ ଦେଖିବାକୁ ମିଳିଥିଲା ଣ୍ଟଗ୍ଦ ନୂଆ ଦୃଶ୍ୟ । ବାଂଲାଦେଶ ଅଧିନାୟକ ଲିଟନ ଦାସ ସାଥୀ ଖେଳାଳି ସୌମ୍ୟ ସରକାରଙ୍କ ସହିତ ଆଲୋଚନା କରି ଈଶଙ୍କୁ ଫେରାଇ ଆଣିଥିଲେ । ଈଶଙ୍କୁ ଫେରାଇ ଆଣିବା ପୂର୍ବରୁ ଲିଟର ପଡ଼ିଆରେ ଅମ୍ପାୟାରଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ । ସୋଧି ପୁନର୍ବାର କ୍ରିଚକୁ ଫେରିବା ପରେ ଲିଟନଙ୍କୁ ଆଲିଙ୍ଗନ କରିଥିଲେ । ପରବର୍ତ୍ତୀ ସମୟରେ ସୋଧି ୩ଟି ଛକା ସହାୟତାରେ ୩୫ ରନ୍ ସଂଗ୍ରହ କରିଥିଲେ । ସୋଧୀଙ୍କ ଉକ୍ତ ଇନିଂସ ବଳରେ ନ୍ୟୁଜିଲାଣ୍ଡ ୨୫୪ ରନ କରିବାକୁ ସକ୍ଷମ ହୋଇଥିଲା । ଉକ୍ତ ମ୍ୟାଚକୁ ନ୍ୟୁଜିଲାଣ୍ଡ ୮୬ ରନରେ ଜିତିନେଇଥିବା ବେଳେ ଦର୍ଶକଙ୍କର ହୃଦୟ ଜିତିପାରିଥିଲେ ଅଧିନାୟକ ଲିଟନ ।

Get real time updates directly on you device, subscribe now.