fbpx

ପ୍ରଥମେ ଦୁଇ ପୁଅ ତା’ପରେ ପିତାଙ୍କୁ ଦଂଶିଲେ ନାଗ ନାଗୁଣୀ, ଗାଁରେ ପଡିଯାଇଛି ହାହାକାର

ପ୍ରତାପଗଡ: ଏଠାରେ ଏକ ପରିବାର ଉପରେ ନାଗ-ନାଗୁଣୀ କାଳ ସାଜିଛନ୍ତି । ପ୍ରଥମେ ଏହି ନାଗନାଗୁଣୀ ଯୋଡି ପରିବାରର ଦୁଇ ଶିଶୁଙ୍କୁ ଚୋଟ ମାରିଥିଲେ ଓ ସେମାନଙ୍କର ମୃତ୍ୟୁ ହୋଇଯାଇଥିଲା । ଏହାର ୩ ଦିନ ପରେ ଏହି ନାଗ ନାଗୁଣୀ ପିଲାମାନଙ୍କ ପିତାଙ୍କ ଉପରେ ଆକ୍ରମଣ କରିଥିଲେ । ଏବେ ସଂପୃକ୍ତ ବ୍ୟକ୍ତିଙ୍କର ଚିକିତ୍ସା ଚାଲିଛି । ନାଗ ନାଗୁଣୀଙ୍କ ଏହି ଯୋଡି ସେହି ବ୍ୟକ୍ତିଙ୍କ ଘରେ ୩ ଦିନ ପର୍ଯ୍ୟନ୍ତ ରହି ଆତଙ୍କ ଖେଳାଇ ଦେଇଥିଲେ । ବହୁ ଚେଷ୍ଟା ପରେ ସାପଧରା ଟିମ୍ ନାଗ ନାଗୁଣୀକୁ ଧରିବାରେ ସମର୍ଥ ହୋଇଛନ୍ତି । ଏହି ଘଟଣାକୁ ନେଇ ଏବେ ସାରା ଅଞ୍ଚଳରେ ଚର୍ଚ୍ଚା ଖେଳିଯାଇଛି ।

ଏହି ଘଟଣା ଲାଲଗଞ୍ଜ କୋଟୱା ଧଧୁଆ ଗାଜନ ଗ୍ରାମର । ଗ୍ରାମର ବବଲୁ ଯାଦବ ସହରରେ ଯାଇ କାମ କରନ୍ତି । ଘରେ ତାଙ୍କର ପତ୍ନୀ ଏବଂ ୯ ଓ ୭ବର୍ଷର ଦୁଇ ପୁଅ ରୁହନ୍ତି । ଗତ ୧୭ ତାରିଖ ରାତିରେ ଏହି ନାଗ ନାଗୁଣୀ ବବଲୁଙ୍କ ଘରେ ପଶିଥିଲେ ଓ ଏକ ଦୌଡିଆ ଖଟରେ ଶୋଇଥିବା ଦୁଇ ଭାଇଙ୍କୁ ଚୋଟ ମାରିଥିଲେ । ଏହାପରେ ଦୁଇ ଭାଇଙ୍କ ପାଟି ଶୁଣି ବବଲୁଙ୍କ ପତ୍ନୀ ଆସି ଦେଖନ୍ତି ତ ନାଗ ନାଗୁଣୀ ତାଙ୍କ ପୁଅଙ୍କୁ ଚୋଟ ମାରି ଚାଲି ଯାଉଛନ୍ତି । ଏହାପରେ ସେମାନଙ୍କୁ ହସ୍ପିଟାଲ ନିଆଯାଇଥଇଲେ ବି ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ପୁଅଙ୍କ ମୃତ୍ୟୁ ଖବର ଶୁଣି ବବଲୁ ଘରକୁ ଧାଇଁ ଆସିଥିଲେ ।
ଦୁଇ ପୁଅଙ୍କ ମୃତ୍ୟୁରେ ପରିବାର ଭାଙ୍ଗି ପଡିଥିବା ବେଳେ ପୁନର୍ବାର ଏହି ନାଗ ନାଗୁଣୀ ୨୦ ତାରିଖରେ ବବଲୁଙ୍କୁ ଚୋଟ ମାରିବାକୁ ଉଦ୍ୟତ ହୋଇଥିଲେ । କିନ୍ତୁ ବବଲୁ ସେମାନଙ୍କୁ ଦେଖିପାରି ଦୌଡିବା ପରେ ଜୀବନ ବଞ୍ଚାଇ ପାରିଥିଲେ ସତ କିନ୍ତୁ ଚେତା ହରାଇ ପଡିଯାଇଥିଲେ । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଏହି ଘଟଣା ପରେ ଲାଲଗଞ୍ଜ ଏସଡିଏମ୍ ପୀଡିତଙ୍କ ଘରେ ପହଞ୍ଚିଥିଲେ । ବବଲୁଙ୍କ ଘରୁ ନାଗ ନାଗୁଣୀଙ୍କୁ ଧରିବାକୁ ବହୁତ ଚେଷ୍ଟା କରାଯାଇଥିଲା । କିନ୍ତୁ ଅସଫଳ ହେବାରୁ କାନପୁରରୁ ସାପଧରା ଟିମ୍ ଆସି ନାଗ ନାଗୁଣୀଙ୍କୁ ଧରିବାରେ ସଫଳ ହୋଇଛନ୍ତି ।

Get real time updates directly on you device, subscribe now.