ଓଡ଼ିଶା ଭାସ୍କର: ହେ ପ୍ରଭୁ ମୁଁ କ’ଣ ଭୁଲ କରିଛି ଯେ ମୋତେ ଏତେ ଶାସ୍ତି ମିଳୁଛି । ଖଣ୍ଡେ ଖାଇବା ପାଇଁ ଘର ଘର ବୁଲୁଛି ହେଲେ ମିଳୁନି ଦୁଇ ମୁଠା ଖାଇବା । ଘର ଆଗେର ଏମିତି ଦିନ ରାତି ଛିଡା ହେଉଛି । କରିବି ବା କ’ଣ । ଚାରିଆଡେ ବା କଂକ୍ରିଟ ରାସ୍ତା, ଚକମକ୍ କୋଠା । ଆଉ କ’ଣ ସେ ସବୁଜ ଘାସ ପଡିଆ ଅଛି । ଦିନ କୁ ଦିନ ଏସବୁ ଦେଖି ଆଖିରୁ ଟୋପା ଟୋପା ଲୁହ ବୋହି ଯାଉଛି ଆଉ ସେ ବେଦନା କାହା ଆଗରେ ନ କହି ସବୁ ଦୁଃଖ ସହୁଛି ।
ହଁ ଆଜ୍ଞା ଯଦି ଏ ନିରୀହ ଗାଈ ଟି କଥା କହି ପାରନ୍ତା ତେବେ ସେ ନିଶ୍ଚୟ ନିଜ କୋହଭାର ଦୁଃଖ ବଖାଣିଥାନ୍ତା । ଆଉ କହିଥାନ୍ତା ଦିନେ ସବୁ ଆଡେ ସବୁଜ ଗଛ ଲତା ଥିଲା ମୋର ଖାଇବାରେ କୌଣସି ଅସୁବିଧା ନ ଥିଲା । ଆଜି ଜୁଆଡ଼େ ଅନାଉଛି ସେପଟେ ଖାଲି ବଡ ବଡ ଅଟାଳିକ । ଆଉ ରାସ୍ତା କଡରେ ମଧ୍ୟ ଗଛ ଲତା ଥିଲା କିନ୍ତୁ ଏବେ ପାଲଟିଛି କଣ୍ଟ୍ରିଟ ଓ ପିଚୁ ରାସ୍ତା । ଦୁଇ ଓଳି ଖାଇବା ପାଇଁ ନେହୁରା ହେବାକୁ ପଡୁଛି ଲୋକଙ୍କ ଦୁଆର ମୁହଁରେ । ଘଣ୍ଟା ଘଣ୍ଟା ଛିଡା ହେଉଛି କିନ୍ତୁ ମିଳୁନି ଗଣ୍ଡେ ଖାଇବାକୁ । ଆଜିର ବ୍ୟସ୍ତବହୁଳ ଦୁନିଆରେ କିଏ ବା କାହାକୁ ପଚାରେ ଛୁଟି ମିଳିଲେ କୁଆଡେ ବୁଲିବା ପାଇଁ କିମ୍ବା ହାତରେ ମୋବାଇଲ ଧରି ଫେସବୁକ ଚଲାଇବାକୁ ଚାଲିଲା ।
ମୋତେ ବା କିଏ ଆଉ କାହିଁକି ପଚାରିବି । ଦିନେ ମଣିଷ ମତେ ପୂଜା କରୁଥିଲା । କିନ୍ତୁ ଏବେ ଦ୍ୱାରେ ଦ୍ୱାରେ ବୁଲୁଛି । ଗଣ୍ଡେ ଖାଇବା ପାଇଁ ଅନେକ ଦୂର ଦୂର ସ୍ଥାନ ଯିବା ପାଇଁ ପଡୁଛି । ଆଉ ଆଜି ନେହୁରା ହେଉଛି ଯଦି ଗୋଟିଏ ଗୋଟିଏ ଗଛ ଲଗାନ୍ତେ ତେବେ ମୋତେ ତ ନିଶ୍ଚିତ ଭାବେ ଖାଇବାକୁ ମିଳନ୍ତା ତା ସହ ସମସ୍ତଙ୍କ ଜୀବନର ଆଉ କିଛି ବର୍ଷ ବୃଦ୍ଧି ମଧ୍ୟ ହୁଅନ୍ତା । ଏହି ଦୃଶ୍ୟ ଦେଖିଲେ ଗାଈଟି କେତେ ଯେ ଦୁଃଖରେ ଅଛି ଆପଣ ଭାବି ପାରୁଥିବେ । କଥା ସିନା କହିପାରୁନି ହେଲେ ତା ଆଖିର ଲୁହ ସବୁ କହୁଛି ।