fbpx

ଭାରତର ଦମଦାର ବିଜୟ, ୭ ୱିକେଟରେ ଦକ୍ଷିଣ ଆଫ୍ରିକାକୁ ହରାଇଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଭାରତର ଦମଦାର ବିଜୟ। ୭ ୱିକେଟରେ ଦକ୍ଷିଣ ଆଫ୍ରିକାକୁ ହରାଇଲା ଟିମ୍ ଇଣ୍ଡିଆ। କେପଟାଉନରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଉଥିବା ଟେଷ୍ଟରେ ଜିତିଲା ଭାରତ। ମାତ୍ର ୩ ୱିକେଟ ହରାଇ ଦକ୍ଷିଣ ଆଫ୍ରିକା ପକ୍ଷରୁ ମିଳିଥିବା ୭୯ ରନର ଟାର୍ଗେଟକୁ ହାସଲ କରିଛି ଟିମ୍ ଇଣ୍ଡିଆ। ଏହା ଫଳରେ ଟେଷ୍ଟ ସିରିଜ ୧-୧ରେ ଶେଷ ହୋଇଛି ।

ସୂଚନା ଥାଉକି, କେପଟାଉନରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟରେ ଆଜି ପୁଣି ଚମତ୍କାର ବୋଲିଂ କରିଛି ଟିମ୍ ଇଣ୍ଡିଆ। ଏଥିରେ ଏଡେନ ମାକରମଙ୍କ ଶତକ ସତ୍ତ୍ୱେ ଦକ୍ଷିଣ ଆଫ୍ରିକା ତା’ର ଦ୍ୱିତୀୟ ଇନିଂସରେ ୧୭୬ ରନ କରି ଅଲଆଉଟ ହୋଇଯାଇଥିଲା। ଫଳରେ ପ୍ରଥମ ଇନିଂସରେ ୯୮ ରନର ଗୁରୁତ୍ୱପୂର୍ଣ୍ଣ ଲିଡ ହାସଲ କରିଥିବା ଭାରତକୁ ବିଜୟ ପାଇଁ ୭୯ ରନର ଟାର୍ଗେଟ ମିଳିଥିଲା। ତେବେ ଏହି ଦ୍ୱିତୀୟ ଇନିଂସରେ ୱିକେଟ ନେଇ କମାଲ ଦେଖାଇଥିଲେ ଯଶପ୍ରୀତ ବୁମ୍ରା। ସେ ସର୍ବାଧିକ ୬ଟି ୱିକେଟ ନେଇଥିବା ଦେଖିବାକୁ ମିଳିଥିଲା। ଅନ୍ୟପଟେ ମୁକେଶ କୁମାର ୨ଟି, ମହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଗୋଟିଏ ଲେଖାଏ ୱିକେଟ ହାସଲ କରିଥିଲେ।

ତେବେ କେବଳ ମାକରମଙ୍କୁ ଛାଡ଼ି ଦେଲେ ଦକ୍ଷିଣ ଆଫ୍ରିକାର ଆଉ କୌଣସି ବ୍ୟାଟ୍ସମ୍ୟାନ ଭାରତର ବୋଲିଂକୁ ସାମ୍ନା କରିପାରିନଥିଲେ। ଗୋଟିଏ ପଟେ ଦଳ ୱିକେଟ ହରାଉଥିବା ବେଳେ ମାକରମ ଅନ୍ୟପଟେ ବ୍ୟାଟିଂ ଭାର ସମ୍ଭାଳିଥିଲେ। ଏପରି ପରିସ୍ଥିତିରେ ସେ ନିଜର ଶତକ ହାସଲ କରିବାରେ ସକ୍ଷମ ମଧ୍ୟ ହୋଇଥିଲେ। ଦଳ ପାଇଁ ସେ ୧୦୬ ରନ ସଂଗ୍ରହ କରିଥିବା ବେଳେ ମହମ୍ମଦ ସିରାଜ ତାଙ୍କ ୱିକେଟ ନେଇ ଦକ୍ଷିଣ ଆଫ୍ରିକାକୁ ୮ମ ଝଟକା ଦେଇଥିଲେ। ଏହାପରେ ଦକ୍ଷିଣ ଆଫ୍ରିକାର ଲମ୍ବା ସ୍କୋର ହାସଲ କରିବାର ଆଶା ମଉଳି ଯାଇଥିଲା। ଶେଷରେ ବୁମ୍ରା ଶେଷ ବ୍ୟାଟର ଭାବେ ଲୁଙ୍ଗି ଏନଗିଡିଙ୍କୁ ଆଉଟ କରି ଦକ୍ଷିଣ ଆଫ୍ରିକା ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ଫଳରେ ଭାରତ ଆଗରେ ୭୯ ରନର ବିଜୟ ଲକ୍ଷ୍ୟ ରହିଥିଲା। ଏହାପରେ ଟିମ୍ ଇଣ୍ଡିଆ ପକ୍ଷରୁ ଯଶସ୍ଵୀ ଜୟସ୍ୱାଲ ୨୮ ରନ କରିଥିବାବେଳେ ରୋହିତ ଶର୍ମା ୧୭ ରନ କରିଥିଲେ । ବିରାଟ କୋହଲି ୧୨ ରନ କରି ଆଉଟ ହୋଇଥିଲେ ।

Get real time updates directly on you device, subscribe now.