ଓଡ଼ିଶା ଭାସ୍କର: ଆଉ ୩ ଦିନ ବଢ଼ିଲା ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ। ଭୁବନେଶ୍ୱର ଜନତା ମୈଦାନ ଠାରେ ଅନୁଷ୍ଠିତ ହେଉଥିବା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀକୁ ଆଉ ୩ ଦିନ ପାଇଁ ବୃଦ୍ଧି କରାଯାଇଛି। ଏହା ସହ ଏଣିକି ପ୍ରତି ୫ ବର୍ଷରେ ଥରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇ କହିଛନ୍ତି।
ସୂଚନା ଥାଉକି, ଗତ ଫେବୃଆରୀ ୩ ତାରିଖରୁ ଏହି ସମ୍ମିଳନୀ ଜାରି ରହିଛି। ତେବେ ଫେବୃଆରୀ ୩ରୁ ୫ ତାରିଖ ଯାଏଁ ଏହି ସମ୍ମିଳନୀ ଚାଲିବ ବୋଲି କୁହାଯାଇଥିଲା। କିନ୍ତୁ ଏହି ସମ୍ମିଳନୀକୁ ଆଉ ୩ ଦିନ ପାଇଁ ବୃଦ୍ଧି କରାଯାଇଛି। ଫଳରେ ଆସନ୍ତା ୮ ତାରିଖ ଦିନ ଏହି ସମ୍ମିଳନୀ ଶେଷ ହେବ ବୋଲି ଜଣାପଡିଛି।
ଏଠାରେ କହି ରଖୁଛୁ ଯେ, ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀକୁ ନେଇ ସାରା ରାଜ୍ୟବାସୀ ବେଶ ଉତ୍ସାହିତ ରହିଛନ୍ତି। ସବୁ ବର୍ଗର ବ୍ୟକ୍ତିବିଶେଷ ଏହି ସମ୍ମିଳନୀରେ ସାମିଲ ହେଉଥିବା ଦେଖିବାକୁ ମିଳୁଛି। ତେବେ ଶାସ୍ତ୍ରୀୟ ଭାଷା ଓଡ଼ିଆକୁ ଅଧିକ ଲୋକପ୍ରିୟ କରିବାକୁ ଏହି ସମ୍ମିଳନୀରେ ଆଲୋଚନା ଜାରି ରହିଛି। ଏହା ସହ ଓଡ଼ିଆ ଭାଷାକୁ ଅଧିକରୁ ଅଧିକ ଉପଯୋଗ ପାଇଁ ମାନସମନ୍ଥନ ଚାଲିଛି। ସେପଟେ ଓଡ଼ିଆ ଭାଷାର ପ୍ରାଚୀନତା ଓ ଭବିଷ୍ୟତର ପ୍ରାସଙ୍ଗିକତା ସମ୍ପର୍କରେ ମଧ୍ୟ ତର୍ଜମା କରାଯାଉଛି। ବହୁ ଓଡ଼ିଆ ଭାଷାବିତ ମାନେ ଏହି ସମ୍ମିଳନୀରେ ଯୋଗଦେଇ ଆଲୋଚନା ଜାରି ରଖିଛନ୍ତି।