ନୂଆଦିଲ୍ଲୀ: ନିର୍ବାଚନ ଆସିବା ମାତ୍ରେ ନିର୍ବାଚନ ବଣ୍ଡ ବିଷୟରେ ଆଲୋଚନା ଆରମ୍ଭ ହୁଏ । ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ବଣ୍ଡର ଅଡିଟ୍ ରିପୋର୍ଟ ପୁଣି ଥରେ ବାହାରକୁ ଆସିଛି । ଭାରତୀୟ ଜନତା ପାର୍ଟି ଏହାର ଅଡିଟ୍ ରିପୋର୍ଟରେ ପ୍ରକାଶ କରିଛି ଯେ, ଗତ ଆର୍ଥିକ ବର୍ଷରେ ନିର୍ବାଚନ ବଣ୍ଡରୁ ୧୨୯୪.୧୪ କୋଟି ଟଙ୍କା ଚାନ୍ଦା ମିଳିଛି ।
ବର୍ତ୍ତମାନ ସୁଦ୍ଧା ନିର୍ବାଚନ ବଣ୍ଡରୁ ମିଳିଥିବା ଅର୍ଥ ତୁଳନାରେ ଏହା ସର୍ବାଧିକ । ଭାରତୀୟ ଜାତୀୟ କଂଗ୍ରେସ ପାର୍ଟି ଗ୍ରହଣ କରିଥିବା ଚାନ୍ଦାଠାରୁ ଏହା ସାତ ଗୁଣ ଅଧିକ । ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ ହୋଇଥିବା ଅଡିଟ୍ ରିପୋର୍ଟ ଅନୁଯାୟୀ ବିଜେପିର ମୋଟ ଆୟ ୧୯୧୭.୧୨ କୋଟି ଟଙ୍କା ହୋଇଥିବାବେଳେ କଂଗ୍ରେସର ଆୟ ମାତ୍ର ୪୫୨.୩୭ କୋଟି ଟଙ୍କା ରହିଛି ।
ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫର୍ମସ୍ ଅନୁଯାୟୀ, ମାର୍ଚ୍ଚ ୨୦୧୮ ରୁ ଜୁଲାଇ ୨୦୨୩ ମଧ୍ୟରେ ରାଜନୈତିକ ଦଳଗୁଡିକ ୧୩,୦୦୦ କୋଟି ଟଙ୍କା ମୂଲ୍ୟର ଚାନ୍ଦା ବଣ୍ଡରୁ ପାଇଥିଲେ । ଏସବିଆଇ ୯,୨୦୮ କୋଟି ଟଙ୍କା ମୂଲ୍ୟର ନିର୍ବାଚନ ବଣ୍ଡ ବିକ୍ରି କରିଛି । ଏହି ପରିମାଣର ୫୮ ପ୍ରତିଶତ ଟଙ୍କା ବିଜେପି ପାଇଛି । ୧୮ ରୁ ୨୨ ମଧ୍ୟରେ, ପାର୍ଟୀକୁ ବଣ୍ଡରୁ ମିଳୁଥିବା ଚାନ୍ଦାରେ ୭୪୩ ପ୍ରତିଶତ ବୃଦ୍ଧି ଘଟିଥିଲା ।
୨୦୧୭ ବଜେଟରେ କେନ୍ଦ୍ର ସରକାର ନିର୍ବାଚନ ବଣ୍ଡ ଘୋଷଣା କରି ୨୦୧୮ ରେ କାର୍ଯ୍ୟକାରୀ କରିଥିଲେ । ପ୍ରତ୍ୟେକ ତ୍ରୈମାସିକ ଏସବିଆଇ ୧୦ ଦିନ ପାଇଁ ନିର୍ବାଚନ ବଣ୍ଡ ଜାରି କରେ । କୁହାଯାଏ ଯେ ବଣ୍ଡ କ୍ରେତାଙ୍କ ପରିଚୟ ଗୁପ୍ତ ରହିଥାଏ । ଏହା ମାଧ୍ୟମରେ ଆପଣଙ୍କ ପ୍ରିୟ ପାର୍ଟିକୁ ଦାନ ଦିଆଯାଇପାରେ ।
ବଣ୍ଡରୁ ବିଜେପି ୫୪ ପ୍ରତିଶତ ଆୟ ପାଇଛି :-
ବିଜେପିର ମୋଟ ଆୟ ୨,୩୬୦ ର ୫୪ ପ୍ରତିଶତ ଟଙ୍କା ନିର୍ବାଚନ ବଣ୍ଡରୁ ଆସିଛି । ଗତ ଆର୍ଥିକ ବର୍ଷ ତୁଳନାରେ ଏହା ୨୫ ପ୍ରତିଶତ ଅଧିକ । ଗତ ଆର୍ôଥକ ବର୍ଷରେ ୧,୩୩୭ କୋଟି ଟଙ୍କା ଆୟ ହୋଇଥିଲା । ବ୍ୟକ୍ତିବିଶେଷ, କମ୍ପାନୀ ଏବଂ ଭୋଟର ଟ୍ରଷ୍ଟରୁ ବିଜେପି ୬୪୮ କୋଟି ଟଙ୍କା ଚାନ୍ଦା ଗ୍ରହଣ କରିଥିଲା, ଗତ ବର୍ଷ ଏହା ୭୨୧.୭ କୋଟି ଟଙ୍କା ଥିଲା । ବ୍ୟାଙ୍କରେ ଜମା ହୋଇଥିବା ଟଙ୍କା ଉପରେ ବିଜେପି ୨୩୭.୩ କୋଟି ଟଙ୍କା ସୁଧ ମଧ୍ୟ ପାଇଛି ।
କଂଗ୍ରେସର ଆୟ ହ୍ରାସ :-
ଭାରତୀୟ ଜାତୀୟ କଂଗ୍ରେସର ଆୟ ହ୍ରାସ ପାଇବାରେ ଲାଗିଛି । ଗତ ଆର୍ôଥକ ବର୍ଷରେ ଆୟ ମାତ୍ର ୪୫୨ କୋଟି ଟଙ୍କା ଥିଲା । ଏହାପୂର୍ବରୁ ଆୟ ୫୪୧ କୋଟି ଟଙ୍କା ଥିଲା । ନିର୍ବାଚନ ବଣ୍ଡରୁ କେବଳ ୧୭୧ କୋଟି ଟଙ୍କା ଗ୍ରହଣ କରାଯାଇଥିଲା, ପୂର୍ବରୁ ୨୩୬ କୋଟି ଟଙ୍କା ମିଳିଥିଲା ।
ନିର୍ବାଚନ ଖର୍ଚ୍ଚରେ ମଧ୍ୟ ବିଜେପି ଆଗରେ ରହିଛି
ଯେତେବେଳେ ନିର୍ବାଚନ ଖର୍ଚ୍ଚ କଥା ଆସେ, ସେଠାରେ ବିଜେପି ମଧ୍ୟ ପଛରେ ନାହିଁ । ଗତ ଆର୍ôଥକ ବର୍ଷରେ ନିର୍ବାଚନ ସମୟରେ ବିଜେପି ୧,୦୯୨.୧୫ କୋଟି ଟଙ୍କା ଖର୍ଚ୍ଚ କରିଥିଲା । ବିଜେପିର ମୋଟ ଖର୍ଚ୍ଚର ୮୦ ପ୍ରତିଶତ ବିଜ୍ଞାପନରେ ହୋଇଥିଲା । ବିଜ୍ଞାପନ ପାଇଁ ବିଜେପି ୪୩୨.୧୪ କୋଟି ଟଙ୍କା ଖର୍ଚ୍ଚ କରିଥିଲା । ଯେଉଁଠାରେ କଂଗ୍ରେସର ଖର୍ଚ୍ଚ ପାଞ୍ଚ ଗୁଣ କମ୍ । ନିର୍ବାଚନରେ କଂଗ୍ରେସ ମାତ୍ର ୧୯୨.୫୫ କୋଟି ଟଙ୍କା ଖର୍ଚ୍ଚ କରଥିଲା । ଗତ ଆର୍ଥିକ ବର୍ଷରେ ବିଜେପିର ମୋଟ ଖର୍ଚ୍ଚ ୧୩୬୧.୬୮ କୋଟି ଥିବାବେଳେ କଂଗ୍ରେସର ମୋଟ ଖର୍ଚ୍ଚ ୪୬୭.୧୩ କୋଟି ଟଙ୍କା ଥିଲା ।