ଅଯୋଧ୍ୟା ଯାଇ ରାମଲଲାଙ୍କ ଦର୍ଶନ କରିବେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ, ସାଙ୍ଗରେ ଯିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଓ ପରିବାର

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଆସନ୍ତାକାଲି ତାଙ୍କ ସପରିବାର ସହ ଅଯୋଧ୍ୟା ଯାଇ ରାମଲଲାଙ୍କ ଦର୍ଶନ କରିବେ। ତେବେ ସେମାନଙ୍କ ସହିତ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଓ ତାଙ୍କ ପରିବାର ମଧ୍ୟ ଗସ୍ତ କରୁଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ଉଭୟ ଦୁଇ ମୁଖ୍ୟମନ୍ତ୍ରୀ ସହ ସେମାନଙ୍କ ବାପା ମା’, ପତ୍ନୀ ଓ ପିଲାଛୁଆ ଅଯୋଧ୍ୟା ଯାଇ ପ୍ରଭୁ ରାମଲଲାଙ୍କ ଦର୍ଶନ କରିବେ। ଏଥିପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଓ ତାଙ୍କ ପରିବାର ରବିବାର ସନ୍ଧ୍ୟାରେ ଦିଲ୍ଲୀରେ ପହଞ୍ଚିବେ। ଏହାପରେ ଦୁଇ ପରିବାର ଅଯୋଧ୍ୟା ଅଭିମୁଖେ ଯାତ୍ରା କରିବେ ବୋଲି ସୂଚନା ରହିଛି।

କେଜ୍ରିୱାଲ ‘ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିନଥିଲେ:-
ଜାନୁଆରୀ ୨୨ ରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ସେ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ। ଏହାକୁ ନେଇ ସେ କହିଥିଲେ ଯେ ପରେ ସେ ତାଙ୍କ ପିତାମାତା, ପତ୍ନୀ ଏବଂ ପିଲାମାନଙ୍କ ସହିତ ମନ୍ଦିର ପରିଦର୍ଶନ କରିବାକୁ ଚାହୁଁଛନ୍ତି।

ତେବେ କେଜ୍ରିୱାଲ କହିଥିଲେ, “ମୁଁ ଏକ ଚିଠି ପାଇଥିଲି ଯେଉଁଥିରେ ମୋତେ କୁହାଯାଇଥିଲା ଯେ କିଛି ଲୋକ ମୋତେ ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ଆନୁଷ୍ଠାନିକ ଭାବେ ଆମନ୍ତ୍ରଣ କରିବାକୁ ଆସିବେ କିନ୍ତୁ ଆଜି ପର୍ଯ୍ୟନ୍ତ କେହି ଆସିଲେ ନାହିଁ। ତଥାପି, ଏହା କୌଣସି ଗୁରୁତ୍ୱପୂର୍ଣ୍ଣ ନୁହେଁ। ତେବେ ମୋତେ କୁହାଯାଇଥିଲା ଯେ କେବଳ ଜଣେ ବ୍ୟକ୍ତିଙ୍କୁ ପରିଦର୍ଶନ କରିବାକୁ ଅନୁମତି ଦିଆଯାଇଛି। କିନ୍ତୁ ମୁଁ ମୋର ପରିବାର ସଦସ୍ୟଙ୍କ ସହ ସେଠାକୁ ଯିବାକୁ ଚାହୁଁଛି। ଆଉ ମୁଁ ନିଶ୍ଚିତ ଭାବେ ମୋ ପତ୍ନୀ, ପିଲା ଏବଂ ପିତାମାତାଙ୍କ ସହ ରାମଲଲାଙ୍କ ଦର୍ଶନ କରିବି କିନ୍ତୁ ଜାନୁୟାରୀ ୨୨ ପରେ।