ଓଡ଼ିଶା ଭାସ୍କର: ଆଜିକାଲି ଡିଜିଟାଲ ଯୁଗରେ ଘରେ ବସି ସହଜରେ ସବୁ କାମ ହୋଇଯାଉଛି । ଅଧିକାଂଶ ଲୋକଙ୍କ ଘରେ ଲାପଟପ୍ ଥିବାରୁ ୱାର୍କ ଫ୍ରମ୍ ହୋମ୍ କରିବା ଏକ ପ୍ରକାର ସୁବିଧା ହୋଇଛି । ବର୍ତ୍ତମାନ ଲାପଟପ୍ ଦୈନନ୍ଦିନ ଜୀବନର ଏକ ଅଂଶ ବିଶେଷ ପାଲଟିଯାଇଛି । ଲାପଟପକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା, ଅଧିକ ବ୍ୟବହାର କରିବା ଇତ୍ୟାଦି ଦ୍ୱାରା ସେଥିରେ ଧୂୂଳି ଜମିଯାଇଥାଏ । ଏହାକୁ ନିୟମିତ ସଫା କରିବା ଆବଶ୍ୟକ ହୋଇଥାଏ । ଅନେକ ଲୋକମାନେ ଲାପଟପକୁ ସଫା କରିବାର ଉଚିତ ପ୍ରକ୍ରିୟା ବିଷୟରେ ଅଜଣା ଥାଆନ୍ତି । ସେମାନେ ତରବରିଆ ଭାବରେ କୌଣସି ସାଧାରଣ କପଡ଼ା କିମ୍ବା ବ୍ରଶରେ କେବଳ ହାଲୁକା ଭାବରେ ଝଡ଼ାଝଡ଼ି କରିଥାନ୍ତି । ଏହା ଦ୍ୱାରା ଲାପଟପ୍ ଭଲ ଭାବରେ ସଫା ହୋଇନଥାଏ ଏବଂ ସେଥିରେ ସ୍କ୍ରାଚ୍ ଦେଖାଦେଇଥାଏ । ତେବେ ଆସନ୍ତୁ ଜାଣିବା ଲାପଟପ୍ ସଫା କରିବାର ଉଚିତ ଉପାୟ ବିଷୟରେ ।
୧. ଲାପଟପ୍ ସଫା କରିବା ପାଇଁ ସବୁବେଳେ କୋମଳ ଏବଂ ସୂତା କପଡ଼ା(ମାଇକ୍ରୋଫାଇବର କପଡ଼ା) ବ୍ୟବହାର କରିବା ଉଚିତ । ଏହା ଦ୍ୱାରା ମଇଳା ସହଜରେ ସଫା ହେବା ସହ ସ୍କ୍ରିନରେ ସ୍କ୍ରାଚ୍ ଆସି ନଥାଏ । ଲାପଟପ ସଫା କରିବା ସମୟରେ ଉଭୟ କପଡ଼ା ଏବଂ ହାତ ସଫା ରହିବା ଉଚିତ । ଲାପଟପ୍ ସ୍କ୍ରିନ୍ ସଫା କରିବା ପାଇଁ ଏକ ବିଶେଷ ପ୍ରକାର ଲିକ୍ୱିଡ୍ ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ । ସବୁବେଳେ ହାଲୁକା ହାତରେ ଲାପଟପ୍ ସଫା କରନ୍ତୁ ।
୨. ସ୍ପଞ୍ଜ୍ ସାହାଯ୍ୟରେ ମଧ୍ୟ ଲାପଟପ୍ ସ୍କ୍ରିନକୁ ସହଜରେ ସଫା କରିପାରିବା । ପ୍ରଥମେ ସ୍ପଞ୍ଜକୁ ଅଳ୍ପ ଓଦା କରି ଭଲ ଭାବରେ ଚିପୁଡ଼ି ଦିଅନ୍ତୁ । ଏହା ପରେ ହାଲୁକା ହାତରେ ଲାପଟପ୍ ସ୍କ୍ରିନକୁ ସଫା କରନ୍ତୁ ।
୩. ଆପଣ ଚାହିଁଲେ ଲାପଟପ୍ ସଫା କରିବା ପାଇଁ ଡସ୍ଟର ବ୍ରଶ୍ ବ୍ୟବହାର କରିପାରିବେ । ଛୋଟ ଛୋଟ ପଲିଷ୍ଟର ଫାଇବରରେ ନିର୍ମିତ ଏହି ଡଷ୍ଟର ବ୍ରଶ୍ । ମାଇକ୍ରୋଫାଇବର କପଡ଼ା କିମ୍ବା ସ୍ପଞ୍ଜ ନଥିଲେ ଏହାର ବ୍ୟବହାର କରିପାରିବେ ।
ତେବେ ଲାପଟପ୍ ସଫା କରିବା ସମୟରେ ନିମ୍ନଲିଖିତ କିଛିଟା ଦିଗ ପ୍ରତି ଧ୍ୟାନ ଦେବା ଉଚିତ:
– ଲାପଟପ୍ ଅନ୍ ଥିଲେ ସ୍କ୍ରିନ୍ ସଫା କରିବା ପାଇଁ ଚେଷ୍ଟା କରନ୍ତୁ ନାହିଁ । ଲାପଟପକୁ ସଫା କରିବା ପୂର୍ବରୁ ଏହାକୁ ବନ୍ଦ କରି ବ୍ୟାଟେରୀ ବାହାର କରିଦିଅନ୍ତୁ ।
– ଲାପଟପ୍ ସ୍କ୍ରିନରେ ସିଧା ଲିକ୍ୱଡର ପ୍ରୟୋଗ କରନ୍ତୁ ନାହିଁ । ଲିକ୍ୱିଡକୁ ପ୍ରଥମେ ମାଇକ୍ରୋଫାଇବର କପଡ଼ା କିମ୍ବା ସ୍ପଞ୍ଜରେ ଦେଇ ସଫା କରନ୍ତୁ । ପାଣି ଏବଂ ଆମୋନିଆ ଥିବା ଲିକ୍ୱିଡ୍ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ କାରଣ ଏହା ସ୍କ୍ରିନ୍ ଖରାପ କରିପାରେ ।
– ଲାପଟପ୍ ସ୍କ୍ରିନକୁ କେବେ ବି ଅଧିକା ପ୍ରେସରରେ ସଫା କରନ୍ତୁ ନାହିଁ । ହାଲୁକା ହାତରେ ସଫା କରନ୍ତୁ ।