fbpx

ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଟିମ୍ ଇଣ୍ଡିଆ: BCCI ସୂତ୍ର

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାକିସ୍ତାନ ଆୟୋଜନ କରୁଥିବା ବେଳେ ଭାରତ ସେଠାକୁ ଯିବା ନଯିବା ନେଇ ବର୍ତ୍ତମାନ ସମୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଏନେଇ ଗତ କିଛିଦିନ ଧରି ଏକାଧିକ ରିପୋର୍ଟ ଗଣମାଧ୍ୟମରେ ପ୍ରକାଶ ପାଇଥିବାର ଦେଖିବାକୁ ମିଳିଛି । ତେବେ ଚାମ୍ପିୟନ୍ସ ଟ୍ରଫି ୨୦୨୫ ଖେଳିବାକୁ ଭାରତ ପାକିସ୍ତାନ ଗସ୍ତ କରିବ ନାହିଁ । ପାକିସ୍ତାନ ବଦଳରେ ଶ୍ରୀଲଙ୍କା କିମ୍ବା ଦୁବାଇରେ ମ୍ୟାଚ କରାଇବାକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)କୁ ଅନୁରୋଧ କରିବ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) । ଏନେଇ ବିସିସିଆଇ ସୂତ୍ରରୁ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ଏସିଆ କପ ୨୦୨୩ ସମୟରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ଉକ୍ତ ଟୁର୍ଣ୍ଣାମେଣ୍ଟ ପାକିସ୍ତାନ ଆୟୋଜନ କରୁଥିବା ବେଳେ ଟିମ୍ ଇଣ୍ଡିଆ ନିଜର ମୁକାବିଲା ହାଇବ୍ରିଡ ମଡେଲ ଅନୁସାରେ ଶ୍ରୀଲଙ୍କାରେ ଖେଳିଥିଲା । ଏସିଆ କପ୍ ପାଇଁ ଭାରତ ପାକିସ୍ତାନ ଗସ୍ତ କରିନଥିଲା । ସୁରକ୍ଷା ପ୍ରସଙ୍ଗକୁ ଆଧାର କରି ଭାରତ ପାକିସ୍ତାନ ଗସ୍ତରୁ ଓହରି ଯାଇଥିଲା । ଗତ ସପ୍ତାହରେ ଚାମ୍ପିୟନ୍ସ ଟ୍ରଫିକୁ ନେଇ ବିସିସିଆଇ ସୂତ୍ରରୁ ଗଣମାଧ୍ୟମକୁ କୁହାଯାଇଥିଲା ଯେ, ‘ଦ୍ୱିପାକ୍ଷିକ ସିରିଜକୁ ଭୁଲିଯିବା ଉଚିତ । ଟିମ୍ ଇଣ୍ଡିଆ ସମ୍ଭବତଃ ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାଇଁ ପାକିସ୍ତାନ ଗସ୍ତ ନକରିବା ଉଚିତ । ଭେନ୍ୟୁରେ ପରବର୍ତ୍ତନ ବା ହାଇବ୍ରିଡ ମଡେଲର ବ୍ୟବହାର କରାଯାଇପାରେ ।’

ଅନ୍ୟପକ୍ଷରେ ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ଭାରତ-ପାକିସ୍ତାନ ମ୍ୟାଚ ନେଇ ସୂଚୀ ପ୍ରକାଶ କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) । ଫେବୃଆରୀ ୯ରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇ ମାର୍ଚ୍ଚ ୯ରେ ସରିବ । ମାର୍ଚ୍ଚ ୧୦କୁ ରିଜର୍ଭ ଡେ’ ଭାବେ ରଖାଯାଇଛି । ଗ୍ରପ-ଏ’ରେ ଭାରତ, ପାକିସ୍ତାନ, ନ୍ୟୁଜିଲାଣ୍ଡ, ବାଂଲାଦେଶ ରହିଥିବା ବେଳେ ଗ୍ରୁପ-ବି’ରେ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ଆଫଗାନିସ୍ତାନ ରହିଛନ୍ତି ।

Get real time updates directly on you device, subscribe now.