fbpx

ସୌଭିକଙ୍କ ପରେ ସମ୍ବିତଙ୍କ ବିଷୋଦ୍ଗାର, ସେ ବି ନେତୃତ୍ୱଙ୍କୁ ଦେଲେ ସବୁ ଦୋଷ

ଭୁବନେଶ୍ୱର: ବିଜେଡିରେ ଯିଏ ପାରୁଛି, ସିଏ ଆସୁଛି ଓ ନେତୃତ୍ୱଙ୍କ ଉପରେ ବର୍ଷିଦେଇ ଯାଉଛନ୍ତି । ଆଗରୁ ପ୍ରଭାତ ବିଶ୍ୱାଳ, ଅମର ଶତପଥୀ, ପ୍ରଦୀପ ମାଝୀ, ବଦ୍ରୀ ପାତ୍ରଙ୍କ ପରି ବରିଷ୍ଠ ଦଳ ମୁଖିଆଙ୍କୁ ଅଇନା ଦେଖାଉଥିଲେ, ଏବେ କନିଷ୍ଠମାନେ ଦୋଷ ଦୁର୍ବଳତା କହୁଛନ୍ତି । ଗତକାଲି କଟକ ଚୌଦ୍ୱାରର ବିଧାୟକ ସୌଭିକ ବିଶ୍ୱାଳ ଦଳର ନେତୃତ୍ୱଙ୍କ ଉପରେ ବର୍ଷିଥିଲେ, ଆଜି ପୁଣି ପାରାଦୀପର ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ ନେତୃତ୍ୱଙ୍କ ଉପରେ ବର୍ଷିଛନ୍ତି । ଅବଶ୍ୟ ଦୁଇ ନେତା ସମ୍ପୂର୍ଣ୍ଣ ନୂଆ ନୁହଁନ୍ତିା ହେଲେ ଏମାନେ ଆସିବା ପରେ ଦଳରେ ନେତୃତ୍ୱ ନେବାର ମୌକା ନେବାର ସୂଯୋଗ ନ ଥିଲା । କାରଣ ମାତ୍ର କିଛି ଲୋକଙ୍କ ବିତରେ ସବୁ ଦାୟିତ୍ୱ ଓ କ୍ଷମତା କେନ୍ଦ୍ରିଭୂତ ହୋଇ ରହିଯାଇଥିଲା । ଏମାନେ ଖାଲି ବିଧାୟକ ହୋଇ ରହିଯାଇଥିଲେ । ହେଲେ ବର୍ତ୍ତମାନ ଦଳରେ ନେତାଙ୍କ ଏତାଦୃଶ କାର୍ଯ୍ୟ ଦେଖି ମୁହଁରେ ହାତ ଦେଇ ଲୋକେ ହସୁଛନ୍ତି ।

ଆଜି ସମ୍ବିତ ରାଉତରାୟ କଟକ ବାରବାଟୀ ପ୍ରାର୍ଥୀ ପ୍ରକାଶ ବେହେରାଙ୍କ ଦଳରୁ ଇସ୍ତଫାକୁ ନେଇ ମୁହଁ ଖୋଲିଛନ୍ତି । ପ୍ରକାଶଙ୍କ ଏମିତି କାମ ପାଇଁ ସେ ଦଳକୁ ଦୋଷ ଦେଇଛନ୍ତି । ଭୁଲ, ଦଳ ଓ ଦଳର ନେତୃତ୍ୱ ନେଉଥିବା ବ୍ୟକ୍ତିଙ୍କର ବୋଲି କହିଛନ୍ତି । ସମ୍ବିତ କହିଛନ୍ତି କି, ପ୍ରକାଶ କେବେ ବିଜଡେିର ନ ଥିଲେ । ଦୁଇ ଦଳ ଡେଇଁ ବିଜେଡିରେ ସାମିଲ ହୋଇଥିଲେ । ତାଙ୍କୁ ଦଳ ବାରବାଟୀ ପରି ସମ୍ମାନଜନକ ଆସନରୁ ପ୍ରାର୍ଥୀ କରିବା ଉପରେ ପ୍ରଶ୍ନ କରିଛନ୍ତି ସମ୍ବିତ । ଆମଦାନୀ ନେତା କେବେ ଦଳର ମହତ୍ବ ବୂଝିବେ ନାହିଁ । ପରିସ୍ଥିତିରେ ପଡି ସେ ଆସିଥିଲେ, ସ୍ୱାର୍ଥ ପାଇଁ ଦଳ ଛାଡିଲେ ବୋଲି ସମ୍ବିତ କହିଛନ୍ତି ।ଏଥିସହ ପ୍ରକାଶଙ୍କୁ ପ୍ରାର୍ଥୀ କରିବାକୁ ନେଇ ନେତୃତ୍ୱଙ୍କୁ ପ୍ରଶ୍ନ କରିଛନ୍ତି ସମ୍ବିତ । ନେତୃତ୍ୱଙ୍କ ନିଷ୍ପତ୍ତି ଜନତାଙ୍କୁ ଖଟକି ଥିଲା, ଏମିତି କି ସମ୍ବିତଙ୍କ ଆଖିକୁ ଖଟକିଥିଲା ବୋଲି ସମ୍ବିତ କହିବାକୁ ପଛେଇ ନାହାନ୍ତି ।

ତେବେ ସମ୍ବିତ ସିଧାସିଧା ନେତୃତ୍ୱ ବୋଲି ଯାହାକୁ କହୁଛନ୍ତି, ତାର ଖୁଲାସା ତ ଚୌଦ୍ୱାର ବିଧାୟକ କରିସାରିଛନ୍ତି । ସୌଭିକ କହିଥିଲେ କି, ବିଜେଡିକୁ ଦୁଇ ଜଣ ଚଳାଉଥିଲେ । ଖାଲି ସେତିକି ନୁହେଁ, ତାଙ୍କ ବାପାଙ୍କୁ ଓ ତାଙ୍କୁ ହରାଇବାକୁ ଦଳର ତୁଙ୍ଗ ନେତୃତ୍ୱ କୋଟି କୋଟି ଟଙ୍କା ପାଣି ପରି ଚୌଦ୍ୱାରରେ ବୁହାଇଦେଇଥିଲେ ବୋଲି ଅଭିଯୋଗ କରିଥିଲେ ସୌଭିକ । ଆଉ ଏତେ ଟଙ୍କା କେଉଁଠୁ ଆସିଥିଲା ବୋଲି ଦଳପତିଙ୍କୁ ସିଧାସଳଖ ପ୍ରଶ୍ନ କରିବାକୁ ପଛେଇ ନ ଥିଲେ ବିଶ୍ୱାଳ ।

ଖାଲି ଏହି ଦୁଇ ଜଣ ନୁହଁନ୍ତି, ପୂର୍ବରୁ ମଧ୍ୟ ଅନେକ, ନେତୃତ୍ୱଙ୍କୁ ଧୋଇଦେଇସାରିଛନ୍ତି । ପୂର୍ବରୁ ସବୁ କିଛିକୁ ମୁଣ୍ଡପାତି ସହିଯାଉଥିବା ନେତାମାନଙ୍କ ଏମିତି ସାହସ ଦେଖି ରାଜ୍ୟବାସୀ ଆବାକ୍ । ଲୋକେ କହୁଛନ୍ତି, କ୍ଷମତାରେ ଥିବାରୁ ଦଳପତି ତଥା ତାଙ୍କ ମାନସ ପୁତ୍ର ଭି କାର୍ତ୍ତିକେୟନ ପାଣ୍ଡିଆନ ଓ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଯାହା କହୁଥିଲେ, ସମସ୍ତେ ମୁଣ୍ଡ ନୁଆଁଇ ଗ୍ରହଣ କରୁଥିଲେ । ଯାହାକୁ ଦେଖି ବିଜେଡି ସୁପ୍ରିମୋ ତଥା ସାଧାରଣରେ ଏକ ଭାବନା ସୃଷ୍ଟି ହୋଇଥିଲା କି, ବିଜେଡି ଏକ ଶୃଙ୍ଖଳିତ ଦଳ । ଏଠି ସୁପ୍ରିମୋଙ୍କ ନିଷ୍ପତ୍ତି ସର୍ବୋପରେ । ହେଲେ ବର୍ତ୍ତମାନ ସ୍ଥିତିକୁ ଦେଖି ଲୋକେ ବୁଝିଲେଣି, ନେତାମାନେ ନିଜକୁ ଭିଜିଲାନ୍ସ, ପୋଲିସ ପରି ସଂସ୍ଥାଠାରୁ ଦୂରେଇ ରଖିବାକୁ ଚୁପ ରହୁଥିଲେ ।

ଏବେ ବଦଳିଛି ଦଳର ସ୍ଥିତି । ନା ଅଛି କ୍ଷମତା ନାହିଁ ଆଉ ଅଛି ବନ୍ଧା ହେବାର ଭୟ । ତେଣୁ ଦୀର୍ଘ ବର୍ଷ ଧରି ଭିତରେ କେନ୍ଦ୍ରିଭୂତ ରାଗ ସାମାନ୍ୟ ଧାସରେ ହୁତୁ ହୁତୁ ହୋଇ ଜଳୁଛି । ଆଉ ଦଳ ମୁଖିଆ ଦଳୀୟ ନେତୃତ୍ୱଙ୍କ ଏତାଦୃଶ ହାବଭାବ ଆଖି ମିଟିମିଟି କରି ଦେଖୁଛନ୍ତି ସିନା ହେଲେ ପଦଟିଏ ଆକଟ ବାଣୀ କହିପାରୁ ନାହାନ୍ତି ବୋଲି ଲୋକେ କୁହାକୁହି ହେଉଛନ୍ତି ।

 

Get real time updates directly on you device, subscribe now.