fbpx

ଶାନ୍ତି ସୈନ୍ୟ ଛାଡ଼ି ଦିଅନ୍ତୁ ଲେବାନନ୍… ଜାତିସଂଘ ମହାସଚିବଙ୍କୁ ନେତାନ୍ୟାହୁଙ୍କ ପରାମର୍ଶ

ନୂଆଦିଲ୍ଲୀ: ଲେବାନନ୍ ଉପରେ ଇସରାଏଲର ଘନ ଘନ ଆକ୍ରମଣ ଜାରି ରହିଛି । ଏଥିମଧ୍ୟରେ ଦକ୍ଷିଣ ଲେବାନନରୁ ନିଜର ଶାନ୍ତି ସୈନ୍ୟଙ୍କୁ ପ୍ରତ୍ୟାହାର କରିବା ପାଇଁ ଜାତିସଂଘକୁ ପରାମର୍ଶ ଦେଇଛନ୍ତି ଇସରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ସେମାନଙ୍କ ଉପସ୍ଥିତି ଉଭୟ ଜାତିସଂଘ ଅନ୍ତରୀଣ ସୈନ୍ୟ(UNIFIL) ଏବଂ ଇସ୍ରାଏଲ ସୈନ୍ୟଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ନେତାନ୍ୟାହୁ କହିଛନ୍ତି। ଅନ୍ୟପଟେ UNIFIL ଏକ ବିବୃତି ଜାରି କରି କହିଚି ଯେ, ଏତେ ଦିନ ମଧ୍ୟରେ ଆମେ ୪ର୍ଥ ଥର ପାଇଁ ଇସ୍ରାଏଲ ପ୍ରତିରକ୍ଷା ବାହିନୀ(ଆଇଡିଏଫ)କୁ ଜାତିସଂଘ କର୍ମକର୍ତ୍ତା ଏବଂ ସମ୍ପତ୍ତିର ସୁରକ୍ଷା ସୁନିଶ୍ଚିତ କରିବା ଏବଂ ପ୍ରତ୍ୟେକ ସମୟରେ ଜାତିସଂଘ ପରିସରର ସମ୍ମାନ କରିବାର ଦାୟିତ୍ଵକୁ ସ୍ମରଣ କରାଉଛୁ।

ଅପରପକ୍ଷରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କୁ ନେତାନ୍ୟାହୁ ଏକ ବାର୍ତ୍ତାରେ କହିଛନ୍ତି ଯେ, UNIFILକୁ ପ୍ରତ୍ୟାହାର କରିବାକୁ ମନା କରିବାର ଅର୍ଥ ସେମାନଙ୍କୁ ହେଜବୋଲ୍ଲା ହାତରେ ଛାଡ଼ିଦେବା, ଯେଉଁମାନେ ଶାନ୍ତି ସୈନ୍ୟ ଏବଂ ଆମ ସୈନ୍ୟଙ୍କ ଜୀବନ ବିପଦରେ ପକାଉଛନ୍ତି। ତେଣୁ ବର୍ତ୍ତମାନର ସମୟ ହେଜବୋଲ୍ଲା ଗଡ଼ ଏବଂ ଯୁଦ୍ଧକ୍ଷେତ୍ରରୁ ଜାତିସଂଘର ଶାନ୍ତି ସୈନ୍ୟଙ୍କୁ ହଟାଇବାର ସମୟ ବୋଲି ନେତାନ୍ୟାହୁ ଜୋର୍‌ ଦେଇ କହିଛନ୍ତି।

ସୂଚନାଅନୁସାରେ, ଦକ୍ଷିଣ ଲେବାନନର ବେରୁଟ ସହରରେ ଆଡ୍ଡା ଜମାଇଥିବା ଆତଙ୍କବାଦୀ ସଂଗଠନ ହେଜବୋଲ୍ଲାର ବହୁ ସଂଗଠନ ଉପରେ ଇସ୍ରାଏଲ ଆକ୍ରମଣ ଜାରି ରଖିଛି। ହେଜବୋଲ୍ଲାର ଗୋଟିଏ ପରେ ଗୋଟିଏ ଠିକଣାକୁ ଆଇଡିଏଫ ଧ୍ବଂସ କରିଚାଲିଛି। ଅପରପକ୍ଷରେ ଶୁକ୍ରବାର ଇସରାଏଲ ପ୍ରତିରକ୍ଷା ବାହିନୀ ଗୁଳିମାଡ଼ରେ ନକୋରା ସ୍ଥିତ ୨ଟି ଶ୍ରୀଲଙ୍କୀୟ ସୈନିକ ଆହତ ହୋଇଥିଲେ । ଏହା ପୂର୍ବରୁ ୨ ଇଣ୍ଡୋନେସୀୟ ଶାନ୍ତି ସୈନିକ ମଧ୍ୟ ଆହତ ହୋଇଥିଲେ । ଭାରତ ସମେତ ଫ୍ରାନ୍ସ, ଇଟାଲୀ ଏବଂ ସ୍ପେନ୍ ନେତାମାନେ ଇସରାଏଲ ଆକ୍ରମଣର ନିନ୍ଦା କରିଛନ୍ତି ଏବଂ ଏହାକ ଅନୁଚିତ କହି ଏହାକୁ ତୁରନ୍ତ ବନ୍ଦ କରାଯିବା ଉଚିତ ବୋଲି କହିଛନ୍ତି ।

Get real time updates directly on you device, subscribe now.