ଅଧିକ ଯୋଗ୍ୟତା ସାଜିଲା କାଳ, ରିଜ୍ୟୁମ୍ ରିଜେକ୍ଟ କଲା ଷ୍ଟାର୍ଟଅପ୍ କମ୍ପାନୀ, କର୍ମଚାରୀ ଶେୟାର କଲେ ଭାବୁକ ପୋଷ୍ଟ

ନୂଆଦିଲ୍ଲୀ: ଅଧିକ ପାଠ ପଢ଼ିଥିବାରୁ କମ୍ପାନୀ ଦେଲାନି ଚାକିରି । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଏଭଳି କିଛି ଘଟିଛି ଗୁଗୁଲ କର୍ମଚାରୀଙ୍କ ସହ । କଥାରେ ଅଛି ବ୍ୟକ୍ତିର ଜ୍ଞାନ ହେଉଛି ସବୁଠାରୁ ଅମୂଲ୍ୟ ସମ୍ପଦ । ଏହାକୁ କେହି ଚୋର ମଧ୍ୟ ସହଜରେ ଚୋରି କରି ପାରେ ନାହିଁ । ଜ୍ଞାନର ଆଲୋକ ବ୍ୟକ୍ତିକୁୁ ଅଜ୍ଞାନତାର କଳା ବାଦଲ ଠାରୁ ଦୂରେଇ ରଖିବାରେ ସହାୟକ ହୋଇଥାଏ । ସ୍କୁଲରେ ଶିକ୍ଷକମାନେ ପିଲାଙ୍କୁ ଭଲ ପାଠପଢ଼ି ମାତା ପିତାଙ୍କ ନାଁ ଉଜ୍ଜ୍ୱଳ କରିବା ପାଇଁ ଶିକ୍ଷା ଦେଇଥାନ୍ତି । ଏହା ଦ୍ୱାରା ସମାଜରେ ମଧ୍ୟ ସ୍ୱତନ୍ତ୍ର ପରିଚୟ ଓ ପ୍ରତିଷ୍ଠା ପ୍ରାପ୍ତ ହୋଇଥାଏ ।

ନିକଟରେ କିନ୍ତୁ ଏହାର ବିପରିତ ଉଦାହରଣ ଦେଖିବାକୁ ମିଳିଛି ଗୁଗୁଲର ଜଣେ କର୍ମଚାରୀଙ୍କ ସହ । ଏକ ଷ୍ଟାର୍ଟଅପ୍ କମ୍ପାନୀରେ ସେ ଚାକିରି ପାଇଁ ଆବେଦନ କରିଥିଲେ । କିନ୍ତୁ ଉଚ୍ଚ ଯୋଗ୍ୟତା କାରଣତୁ କମ୍ପାନୀ ତାଙ୍କ ରିଜ୍ୟୁମ୍ ରିଜେକ୍ଟ କରିଥିଲା । ଏଭଳି ଏକ ନିଆରା ଘଟଣା ଘଟିଛି ଦିଲ୍ଲୀର ଅନୁ ଶର୍ମାଙ୍କ ସହ । ନିଜର ଜ୍ଞାନ, ପାଠପଢା ଓ ସଚ୍ଚୋଟତା ପାଇଁ ଅଡୁଆରେ ପଡିଛନ୍ତି ଦିଲ୍ଲୀର ଅନୁ ଶର୍ମା । ନିଜର ଅନୁଭବକୁ ସେ ସୋସିଆଲ ମିଡିଆରେ ସେୟାର କରିବା ପରେ ତାଙ୍କ ପୋଷ୍ଟ ଭାଇରାଲ ହେବାରେ ଲାଗିଛି । ବାସ୍ତବରେ ଅନୁ ଶର୍ମା ଗୁଗୁଲରେ ଜଣେ ସଫ୍ଟୱେୟାର ଇଂଜିନିୟର । ସେ ଏକ ଷ୍ଟାର୍ଟଅପରେ ଚାକିରି ପାଇଁ ଆବେଦନ କରିଥିଲେ । କିନ୍ତୁ ଷ୍ଟାର୍ଟଅପ୍ ତାଙ୍କ ରିଜ୍ୟୁମ୍ ରିଜେକ୍ଟ କରି ଉତ୍ତରରେ ଉଲ୍ଲେଖ କରିଥିଲା, ‘ଆପଣଙ୍କ ରିଜ୍ୟୁମ୍ ଦେଖି ଆମେ ଜାଣିବାକୁ ପାଇଲୁ ଯେ ରିକ୍ତ ଥିବା ପଦବୀ ପାଇଁ ଆପଣଙ୍କ ଯୋଗ୍ୟତା ବହୁତ ଅଧିକ । ଆମ ଅନୁଭବ ଅନୁଯାୟୀ ଉଚ୍ଚ ଶିକ୍ଷିତ ପ୍ରାର୍ଥୀ ପ୍ରାୟ ଚାକିରିରୁ ଶୀଘ୍ର ଅସନ୍ତୁଷ୍ଟ ହୋଇଯାଇଥାନ୍ତି । ସେମାନେ ଚାକିରିରେ ଯୋଗ ଦେବା ପରେ ତୁରନ୍ତ ଛାଡ଼ି ଦିଅନ୍ତି ।’

ତେବେ ଏହି ପୋଷ୍ଟକୁ ୧.୫ ହଜାରରୁ ଉର୍ଦ୍ଧ୍ୱ ଲୋକମାନେ ଲାଇକ କରିଥିବା ବେଳେ ୬୦ରୁ ଅଧିକ ୟୁଜର୍ସ ରିପୋଷ୍ଟ ଏବଂ ୨୦୦ରୁ ଅଧିକ ଲୋକ କମେଣ୍ଟ କରିଛନ୍ତି । ଏଭଳି ସ୍ଥିତି କାହା ସହିତ ବି ହୋଇପାରେ ତେଣୁ କୌଣସି କମ୍ପାନୀରେ ଆବେଦନ କରିବା ପୂର୍ବରୁ ପଦବୀ ଏବଂ ଯୋଗ୍ୟତାକୁ ନେଇ ଭଲ ଭାବେ ଚିନ୍ତା କରନ୍ତୁ ।