ସର୍ଟ ସର୍କିଟ ଯୋଗୁଁ ରୁମରେ ଲାଗିଲା ନିଆଁ : ଶୋଇଥିବା ଅବସ୍ଥାରେ ୪ ଯୁବକଙ୍କୁ ନେଇଗଲେ ଯମରାଜ

ନୂଆଦିଲ୍ଲୀ : ହରିୟାଣାର ଗୁରୁଗ୍ରାମ ଜିଲ୍ଲାର ସରସ୍ୱତୀ ଏନକ୍ଲେଭର ଜେ ବ୍ଲକରେ ସର୍ଟ ସର୍କିଟ ଯୋଗୁଁ ବ୍ୟାପକ ଅଗ୍ନିକାଣ୍ଡର ଘଟଣା ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ଜଳିଯାଇ ୪ ଜଣ ଯୁବକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ତେବେ ସର୍ଟ ସର୍କିଟ କାରଣରୁ ସରସ୍ୱତୀ ଏନକ୍ଲେଭର ଜେ ବ୍ଲକରେ ସ୍ଥିତ ଏକରୁମରେ ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡ କିଛି କ୍ଷଣ ମଧ୍ୟରେ ବିଲ୍ଡିଂରେ ବ୍ୟାପି ଯାଇଥିଲା, ଯେଉଁ କାରଣରୁ କୋଠରୀରେ ଶୋଇଥିବା ୧୭ ବର୍ଷୀୟ, ୨୨ ବର୍ଷ ବୟସ୍କ, ୨୪ ବର୍ଷ ବୟସ୍କ ଏବଂ ୨୮ ବର୍ଷ ବୟସ୍କ ଯୁବକଙ୍କର ମୃତ୍ୟୁ ଘଟିଥିଲା ​​।

ସୂଚନା ଅନୁସାରେ, ୪ ଜଣ ଯୁବକ ବିହାରର ବାସିନ୍ଦା ଥିଲେ ଏବଂ ଏଠାରେ ସେମାନେ ସରସ୍ୱତୀ ଏନକ୍ଲେଭରେ ଘର ଭଡ଼ା ନେଇ ରହୁଥିଲେ । ମୃତ ଯୁବକମାନଙ୍କ ପରିଚୟ ଜଣାପଡ଼ିଛି । ସେମାନେ ହେଲେ ନୁର ଆଲମ, ମୁସ୍ତାକ, ଅମନ ଓ ସାହିଲ ।

ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏହାପରେ ଘର ଭିତରୁ ୪ ଜଣଙ୍କ ମୃତଦେହକୁ ଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପ୍ରାରମ୍ଭିକ ତଦନ୍ତ ଅନୁଯାୟୀ, ଏମାନେ ସମସ୍ତେ ଗାରମେଣ୍ଟସ୍ କମ୍ପାନୀରେ ଟେଲରିଂ କାମ କରୁଥିଲେ । ସାହିଲ ନାମକ ଯୁବକ ଗୁରୁଗ୍ରାମ ବୁଲିବାକୁ ଆସି ଏଠାରେ ଅଟକି ଯାଇଥିଲେ । ସେ ୧୦ମ ଶ୍ରେଣୀର ଛାତ୍ର ବୋଲି ଜଣାପଡ଼ିଛି ।

ସ୍ଥାନୀୟ ଲୋକେ କହିଛନ୍ତି ଯେ ସମସ୍ତେ ଗୋଟିଏ ପରିବାରର ପିଲା ଥିଲେ । ଯୁବକମାନେ ରାତିରେ ଶୋଇଥିବା ଅବସ୍ଥାରେ ଘରେ ନିଆଁ ଲାଗିଥିଲା । ଫଳରେ ଶ୍ୱାସରୁଦ୍ଧ ଏବଂ ନିଆଁରେ ଜଳି ସମସ୍ତଙ୍କ ମୃତ୍ୟୁ ଘଟିଥିଲା । ଲୋକମାନେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ଯେତେବେଳେ କବାଟ ଭଙ୍ଗାଯାଇଥିଲା, ସେତେବେଳକୁ ଯୁବକମାନଙ୍କର ମୃତ୍ୟୁ ହୋଇସାରିଥିଲା । ଦମକଳ ଗାଡ଼ି ବିଳମ୍ବରେ ପହଞ୍ଚିଥିବା ଲୋକେ କହିଛନ୍ତି ।