ମୁମ୍ବାଇ: ଆଲୋକର ପର୍ବ ଦୀପାବଳି । ସମସ୍ତେ ନିଜ ପରିବାର, ସାଙ୍ଗସାଥି ଓ ପ୍ରିୟଜନଙ୍କ ସହ ଉତ୍ସାହର ସହ ଦୀପାବଳି ପର୍ବ ପାଳନ କରିଥାନ୍ତି । ଏହି ଦିନ ପ୍ରଭୁ ଶ୍ରୀ ରାମ ୧୪ ବର୍ଷର ବନବାସ ଶେଷ କରି ରାବଣର ବଧ କରିବା ପରେ ଅଯୋଧ୍ୟା ଫେରିଥିଲେ । ପ୍ରଭୁ ଶ୍ରୀ ରାମଙ୍କ ସ୍ୱାଗତ ପାଇଁ ଅଯୋଧ୍ୟାବାସୀ ପୁରା ସହରକୁ ଦୀପ ମାଳାରେ ସଜାଇଥିଲେ । ସେଥିପାଇଁ ଦୀପାବଳି ପର୍ବକୁ ଦୀପୋତ୍ସବ ମଧ୍ୟ କୁହାଯାଏ । ଦୀପାବଳି ପର୍ବକୁ ବିଜୟର ପ୍ରତୀକ ଭାବେ ବିବେଚିତ କରାଯାଇଛି । ଅଧିକାଂଶ ବ୍ୟକ୍ତିଙ୍କ ଦୀପାବଳି ପର୍ବ ସହ ଜଡ଼ିତ କିଛି ସ୍ମୃତି ମଧ୍ୟ ରହିଥାଏ । ଏଥିମଧ୍ୟରୁ କିଛି ଭଲ ତ ଆଉ କିଛି ଖରାପ ଥାଏ । କିନ୍ତୁ ପରବର୍ତ୍ତୀ ସମୟରେ ଏହି ସ୍ମୃତି ଜୀବନରେ ଅନେକ ପରିବର୍ତ୍ତନ ଆଣିଥାଏ । ସେ ସାଧାରଣ ଜନତା ହୁଅନ୍ତୁ କିମ୍ବା କୌଣସି ସେଲିବ୍ରିଟି । ଆଜି ଆମେ ବଲିଉଡର ଧକ୍ ଧକ୍ ଗାର୍ଲ ମାଧରୀ ଦିକ୍ଷିତଙ୍କ ବିଷୟରେ ଏକ ରୋଚକ ଘଟଣା ଶେୟାର କରିବୁ ।
ଭାରତୀୟ ସଂସ୍କୃତି ଅନୁଯାୟୀ ଅନେକ ସ୍ଥାନରେ ଏହି ଦିନରୁ ନୂଆ ବର୍ଷ ପ୍ରାରମ୍ଭର ପ୍ରତୀକ ଅଟେ । ଅଧିକାଂଶ ବଲିଉଡ ସେଲିବ୍ରିଟିମାନେ ଦୀପାବଳି ଉତ୍ସବକୁ ବଡ଼ ଆକାରରେ ପାଳନ କରିଥାନ୍ତି । ବଲିଉଡରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି ମାଧୁରୀ ଦିକ୍ଷିତ । ସେ ତାଙ୍କ ଅଭିନୟର ଯାଦୁ ଏବଂ ନୃତ୍ୟ ମାଧ୍ୟମରେ ଦର୍ଶକଙ୍କୁ ନିଜ ଦିୱାନା କରିଛନ୍ତି । କିନ୍ତୁ ପିଲାଦିନେ ଦୀପାବଳି ଦିନ ତାଙ୍କ ସହ ଏମିତି କିଛି ଘଟିଥିଲା ଯାହା ପରେ ଆଜି ପର୍ଯ୍ୟନ୍ତ ସେ ବାଣ ଠାରୁ ଦୂରେଇ ରୁହନ୍ତି । ଏକ ସାକ୍ଷାତକାରରେ ମାଧୁରୀ ପିଲାଦିନେ ତାଙ୍କ ଦୀପାବଳି ସ୍ମୃତି ଶେୟାର କରିଥିଲେ । ପିଲାଦିନେ ଏକାଠି ଦୀପାବଳି ଉତ୍ସବ ପାଳନ କରୁଥିବା ସମୟରେ ଜଣେ ପିଲା ତାଙ୍କ ହାତରେ ଥିବା ବାଣରେ ନିଆଁ ଲଗାଇଦେଇଥିଲା । ଫଳରେ ତାଙ୍କ କେଶରେ ନିଆଁ ଲାଗି ଅଧିିକାଂଶ ଜଳିଯାଇଥିଲା । ଏଥିପାଇଁ ତାଙ୍କୁ ଲଣ୍ଡା ହେବାକୁ ପଡ଼ିଥିଲା । କିନ୍ତୁ ଭାଗ୍ୟ ବଶତଃ ତାଙ୍କ ଚେହେରା ବର୍ତ୍ତିଯାଇଥିଲା । ଏହା ତାଙ୍କ ପାଇଁ କୌଣସି ଦୁଃସ୍ୱପ୍ନରୁ କମ୍ ନଥିଲା ବୋଲି ସେ କହିଥିଲେ । ସେବେ ଠାରୁ ଆଜି ପର୍ଯ୍ୟନ୍ତ ସେ ଦୀପାବଳି ଦିନ ବାଣ ଠାରୁ ଦୂରେଇ ରୁହନ୍ତି ।