ଏହି ଦିନ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ, ଜାଣନ୍ତୁ ରାଷ୍ଟ୍ରପତି ପଦ ପାଇଁ କିଏ କରାଇବେ ଶପଥ ପାଠ

ୱାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳା ଘୋଷଣା ସରିଛି । କମଳା ହାରିସଙ୍କୁ ପରାସ୍ତ କରି ବାଜି ମାରିଛନ୍ତି ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ । ନିର୍ବାଚନ ଜିତିବା ପାଇଁ ୨୭୦ କୁହୁକ ସଂଖ୍ୟା ରହିଥିବାବେଳେ ଟ୍ରମ୍ପ ୨୭୭ ଭୋଟରେ ବିଜୟୀ ହୋଇଛନ୍ତି । ବର୍ତ୍ତମାନ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ଆମେରିକାର ୪୭ତମ ରାଷ୍ଟ୍ରପତି ହେବେ । ଅପରପକ୍ଷରେ ନିର୍ବାଚନରେ ଟ୍ରମ୍ପ ଜିତିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ, ଏଲନ୍ ମସ୍କଙ୍କ ସମେତ ଅନ୍ୟାନ୍ୟ ଦେଶର ବ୍ୟକ୍ତି ବିଶେଷ ଶୁଭେଚ୍ଛା ଜଣାଇଛନ୍ତି ।

ଆମେରିକାରେ ପ୍ରତି ୪ ବର୍ଷରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ପ୍ରାର୍ଥୀ ଜାନୁଆରୀ ୨୦ରେ ଶପଥ ଗ୍ରହଣ କରିଥାନ୍ତି । ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ଜରୁରୀ ଅଂଶ । ଶପଥ ଗ୍ରହଣ ସମାରୋହ ମାଧ୍ୟମରେ ନୂତନ ରାଷ୍ଟ୍ରପତିଙ୍କୁ ସମ୍ବିଧାନର ପାଳନ କରିବା ଏବଂ ନିଜ ସମ୍ପୂର୍ଣ୍ଣ ଶକ୍ତି ପ୍ରୟୋଗ କରି ଦେଶକୁ ଆଗକୁ ନେବାର ଦାୟିତ୍ୱ ତୁଲାଇଥାନ୍ତି । ଏହି ଶପଥ ସମସ୍ତ ଦେଶରେ ଆମେରିକୀୟ ଗଣତାନ୍ତ୍ରିକ ଶକ୍ତି ଏବଂ ଏହାର ଆସ୍ଥାର ସ୍ଥିରତାର ପ୍ରତୀକ ଭାବେ ବିବେଚିତ କରାଯାଇଛି । ତେବେ ଆମେରିକା ରାଷ୍ଟ୍ରପତିଙ୍କୁ ଶପଥ ପାଠ କରାଇବାର ଦାୟିତ୍ୱ ଆମେରିକାର ପ୍ରଧାନ ବିଚାରପତି(Chief Justice of the United States)ଙ୍କ ପାଖରେ ରହିଛି । ଏହି ବ୍ୟକ୍ତି ଜଣଙ୍କ ଆମେରିକା ସର୍ବୋଚ୍ଚ ନ୍ୟାୟାଳାୟର ମୁଖ୍ୟ ଅଟନ୍ତି ।

ଆମେରିକା ରାଷ୍ଟ୍ରପତି ଶପଥ ଗ୍ରହଣର କ’ଣ ରହିଛି ପ୍ରକ୍ରିୟା ?

ସର୍ବପ୍ରଥମେ ଆମେରିକା ରାଷ୍ଟ୍ରପତିଙ୍କ ଫଳାଫଳର ଆନୁଷ୍ଠାନିକ ଘୋଷଣା କରାଯାଇଥାଏ । ଇଲେକ୍ଟୋରାଲ କଲେଜ ପରିଣାମ ନଭେମ୍ବରରେ ଘୋଷଣା ହେବା ପରେ ମଧ୍ୟ ଜାନୁଆରୀରେ ଆନୁଷ୍ଠାନିକ ଭାବେ ସୁନିଶ୍ଚିତ କରାଯାଇଥାଏ । ଏଥିମଧ୍ୟରେ ବିଜୟୀ ପ୍ରାର୍ଥୀ ଶପଥ ଗ୍ରହଣ ପାଇଁ ପ୍ରସ୍ତୁତ ହେଉଥାଏ । ବିଶେଷ ଭାବରେ ୱାଶିଂଟନ୍ D.Cର ଆମେରିକୀୟ କ୍ୟାପିଟାଲ ବିଲ୍ଡିଂରେ ଜାନୁଆରୀ ୨୦ ତାରିଖରେ ହିଁ ଶପଥ ଗ୍ରହଣ ସମାରୋହ ଆୟୋଜିତ ହୋଇଥାଏ । ଶପଥ ଗ୍ରହଣ ସମାରୋହ ପରେ ନୂତନ ରାଷ୍ଟ୍ରପତି ତାଙ୍କ ଉଦ୍‌ଘାଟନୀ ଅଭିଭାଷଣ ଦେଇଥାନ୍ତି । ଏହା ପରେ ଏକ ପ୍ୟାରେଡ୍ ଆୟୋଜିତ ହୋଇଥାଏ ଯେଉଁଥିରେ ରାଷ୍ଟ୍ରପତି ତଥା ଅନ୍ୟ ପ୍ରମୁଖ ନେତା ହ୍ୱାଇଟ୍ ହାଉସ୍ ଠାରୁ ଆରମ୍ଭ କରି କ୍ୟାପିଟାଲ ହିଲ୍ ପର୍ଯ୍ୟନ୍ତ ପଦଯାତ୍ରା କରିଥାନ୍ତି । ଏହା ପରେ ରାତିରେ ଏକ ଭବ୍ୟ inaugural ball ଆୟୋଜନ କରାଯାଏ ।