ଓଡ଼ିଶା ଭାସ୍କର: କଥାରେ ଅଛି ଜଳ ହିଁ ଜୀବନ । ତେଣୁ ସୁସ୍ଥ ଶରୀର ପାଇଁ ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇବାକୁ ପରାମର୍ଶ ଦେଇଥାନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ଏହା ଶରୀରକୁ ହାଇଡ୍ରେଟ୍ ରଖିବା ସହ ଡିଟକ୍ସିଫାଇ କରିଥାଏ । ଅଧିକାଂଶ ବ୍ୟକ୍ତି ସକାଳେ ଉଠିବା ପରେ ପାଣି ପିଇଥାନ୍ତି । କିନ୍ତୁ ରାତିରେ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ ପାଣି ପିଇବାର ବି ଅନେକ ଫାଇଦା ରହିଛି ।
ରାତିରେ ପାଣି ପିଇବାକୁ ନେଇ ଅନେକ ବ୍ୟକ୍ତିଙ୍କୁ ବିଭିନ୍ନ ପ୍ରକାର ପରାମର୍ଶ ଦିଆଯାଇଥାଏ । ସାଧାରଣତଃ ଭୋଜନ କରିବାର ୨୦-୩୦ ମିନିଟ୍ ପରେ କିମ୍ବା ଶୋଇବାର ୧-୨ ଘଣ୍ଟା ପୂର୍ବରୁ ପାଣି ପିଇବା ଉଚିତ । ଏହା ଦ୍ୱାରା ପାଚନ ତନ୍ତ୍ର ଉତ୍ତମ ରହିଥାଏ । ସୁଗାର, ହାର୍ଟ, କିଡନୀ ଏବଂ ମାଇଗ୍ରେନ୍ ରୋଗୀଙ୍କୁ ରାତିରେ ଶୋଇବା ପୂର୍ବରୁ ପାଣି ପିଇବା ଉଚିତ ନୁହେଁ । ଏହା ସେମାନଙ୍କ ସ୍ଲୀପ୍ ସାଇକେଲକୁ ପ୍ରଭାବିତ କରିପାରେ । ତେବେ ଆସନ୍ତୁ ଜାଣିବା ଶୋଇବା ପୂର୍ବରୁ ପାଣି ପିଇଲେ କ’ଣ ଫାଇଦା ହୋଇଥାଏ ।
୧. ଇମ୍ୟୁନିଟି ବୁଷ୍ଟ ହୋଇଥାଏ: ଶୋଇବା ପୂର୍ବରୁ ହାଲୁକା ଉଷୁମ ପାଣି ପିଇ ଶୋଇଲେ ଶରୀରର ତାପମାତ୍ରା ବୃଦ୍ଧି ପାଇବା ସହ ରକ୍ତ ପ୍ରବାହ ଠିକ୍ ଭାବରେ ହୋଇଥାଏ । ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ଥଣ୍ଡା, କାଶ, ଫ୍ଲୁ ଏବଂ ଜ୍ୱର ହେବାର ଆଶଙ୍କା ହ୍ରାସ ପାଇଥାଏ ।
୨. ମେଟାବଲିଜିମରେ ସୁଧାର: ରାତିରେ ପାଣି ପିଇ ଶୋଇଲେ ମେଟାବଲିଜିମରେ ବୃଦ୍ଧି ହୋଇଥାଏ । ଶରୀର ହାଇଡ୍ରେଟ୍ ରହିବା ସହ ଶରୀରର ତାପମାତ୍ରା ନିୟନ୍ତ୍ରିତ ରହିଥାଏ ।
୩. ଯକୃତ ସୁସ୍ଥ ରହିଥାଏ: ରାତିରେ ଶୋଇବା ପୂର୍ବରୁ ପାଣି ପିଇବା ଦ୍ୱାରା ଯକୃତ ସ୍ୱାସ୍ଥ୍ୟ ଉତ୍ତମ ରହିଥାଏ । ଯକୃତ ନଷ୍ଟ ହେବାର ଆଶଙ୍କା ମଧ୍ୟ ହ୍ରାସ ପାଇଥାଏ । ଏହା ପାଚନ ପ୍ରକ୍ରିୟାରେ ମଧ୍ୟ ସହାୟକ ହୋଇଥାଏ ।
୪. ଗଣ୍ଠି ଯନ୍ତ୍ରଣା ହ୍ରାସ: ରାତିରେ ପାଣି ପିଇବା joint lubrication ରେ ସହାୟକ ହୋଇଥାଏ । ସକାଳ ସମୟ ଆଣ୍ଠୁ ଗଣ୍ଠି ସମସ୍ୟା ହ୍ରାସ ହେବା ସହ ଦିନ ସାରା ଫୁର୍ତ୍ତି ଅନୁଭବ କରିଥାନ୍ତି । ତେଣୁ ଗଣ୍ଠି ଯନ୍ତ୍ରଣାର ଶିକାର ହେଉଥିବା ବ୍ୟକ୍ତି ନିୟମିତ ରାତିରେ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ ପାଣି ପିଇବା ଉଚିତ ।
୫. ଶରୀର ଡିଟକ୍ସିଫାଇ: ଶୋଇବା ପୂର୍ବରୁ ପାଣି ପିଇଲେ ଶରୀର ଡିଟକ୍ସିଫାଇ ହୋଇଥାଏ । ଶରୀରର ସମସ୍ତ ଟକ୍ସିନ୍ସ ବା ବିଷାକ୍ତ ପଦାର୍ଥ ବାହାରି ତ୍ୱଚାକୁ ସ୍ୱଚ୍ଛ ଓ ସୁନ୍ଦର କରିଥାଏ । ଏହା ବ୍ୟତୀତ ବିଭିନ୍ନ ପ୍ରକାର ଚର୍ମ ସମସ୍ୟା ଦୂରେଇ ଥାଏ ।