ମସ୍କୋ: ୟୁକ୍ରେନ ଓ ରୁଷିଆ ଯୁଦ୍ଧକୁ ବିତିଯାଇଛି ୧୦୦୦ ଦିନ । ଏ ଭିତରେ ଉଭୟ ଦେଶର ବହୁତ କ୍ଷତି ହୋଇଛି । ଏହାଛଡ଼ା ଯୁଦ୍ଧର ପ୍ରଭାବରେ ସାରା ବିଶ୍ୱ ପ୍ରଭାବିତ ହୋଇଛି । ଏତେ ଦିନ ବିତିଯାଇତିଲେ ସୁଦ୍ଧା ଯୁଦ୍ଧ ବନ୍ଦ ହେବା ନେଇ କୌଣସି ସମାଧାନର ବାଟ ବାହାରି ପାରୁନାହିଁ । ଯେଉଁକାରଣରୁ ଯୁଦ୍ଧରେ ବିରାମ ଲାଗିପାରୁ ନାହିଁ । ଯୁଦ୍ଧ ଦିନକୁ ଦିନ ଅଧିକ ତୀବ୍ର ହେବାରେ ଲାଗିଥିବାବେଳେ ଏବେ ପରମାଣୁ ଆକ୍ରମଣ ଆଶଙ୍କା ବଢ଼ିଯାଇଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନକୁ ଲଙ୍ଗ ରେଞ୍ଜ ମିଶାଇଲ ଷ୍ଟ୍ରାଇକର ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି । ଆମେରିକା ନିର୍ମିତ ଏଟିଏସିଏମଏସ ମିଶାଇଲ ବ୍ୟବହାର କରିବା ନେଇ ବାଇଡେନ୍ କର୍ତ୍ତୃପକ୍ଷ ନିଜ ପଲିସିରେ ପରିର୍ତ୍ତନ କରିଛନ୍ତି । ବାଇଡେନଙ୍କ ହାତରେ ୨ ମାସ ଶାସନ କ୍ଷମତା ଥିବାବେଳେ ସେ ଦେଶର ସମାରିକ ବଳକୁ ୟୁକ୍ରେନ୍ ସପକ୍ଷରେ ବ୍ୟବହାର କରିବାର କୌଣସି ମଉକା ଛାଡୁ ନ ଥିବା ଦେଖିବାକୁ ମିଳିଛି ।
ବାଇଡେନଙ୍କ ନିଷ୍ପତ୍ତିର ଜବାବରେ କ୍ରେମଲିନ୍ କହିଛି, ଏ ଯୁଦ୍ଧ ଶେଷ ପର୍ଯ୍ୟନ୍ତ ଜାରି ରହିବ । ୟୁକ୍ରେନକୁ ପାଶ୍ଚାତ୍ୟ ଦେଶର ସହଯୋଗର ପ୍ରଭାବ ରୁଷ ଉପରେ ପଡ଼ିବ ନାହିଁ ବୋଲି ମତ ପ୍ରକାଶ କରିଛନ୍ତି କ୍ରେମଲିନ ସ୍ପୋକ୍ସମ୍ୟାନ୍ ଡିମିଟ୍ରି ପେସକୋଭ । ଆବଶ୍ୟକ ପଡ଼ିଲେ ରୁଷିଆ ନୁ୍ୟକ୍ଲିଆର ଆଟାକ କରିବ ବୋଲି ସେ ଚେତାବନୀ ଦେଇଛନ୍ତି । ବାଇଡେନଙ୍କ ଘୋଷଣା ପୂର୍ବରୁ ୟୁକ୍ରେନ ରୁୁଷିଆ ଉପରେ ଏଟିଏସିଏମଏସ୍ ମିଶାଇଲ ମାଡ଼ କରିସାରିଛି । କିନ୍ତୁ ସେ ସମୟରେ ଏହାର ଟାର୍ଗେଟ ଥିଲା ରୁଷିଆ ସୀମାବର୍ତ୍ତି ଅଞ୍ଚଳ । ତେବେ ରୁଷିଆ ନୁ୍ୟକ୍ଲିୟର ଆଟାକର ଧମକ ପରେ ୟୁରୋପୀୟ ଦେଶଗୁଡ଼ିକ ଡରିଯାଇଛନ୍ତି । ଯେଉଁଥି ପାଇଁ ସେମାନେ ଖାଦ୍ୟ, ଜଳ ଭଳି ଆବଶ୍ୟକୀୟ ସାମଗ୍ରୀ ସଞ୍ଚୟ କରି ରଖିବା ଆରମ୍ଭ କଲେଣି ।
ଊନବିଂଶ ଶତାବ୍ଦୀର ସବୁଠୁ ବଡ଼ ଯୁଦ୍ଧ ହେଉଛି ରୁଷିଆ-ୟୁକ୍ରେନ ଯୁଦ୍ଧ । ଦୁଇ ଦେଶର ବହୁ ସହର, ନଗର ଏବଂ ଗ୍ରାମାଞ୍ଚଳ ମାଟିରେ ମିଶିସାରିଲାଣି । ଏହାଛଡ଼ା ବହୁ ଧନଜୀବନ ମଧ୍ୟ ନଷ୍ଟ ହୋଇଛି । ଅନେକ ଏହାକୁ ତୃତୀୟ ବିଶ୍ୱଯୁଦ୍ଧର ଆରମ୍ଭ ବୋଲି ମଧ୍ୟ କରୁଛନ୍ତି । ରୁଷିଆ –ୟୁକ୍ରେନ ଯୁଦ୍ଧ କେଉଁ ମୋଡ଼ ନେବ ତାହା ଭବିଷ୍ୟତରେ ଜଣାପଡ଼ିବ । କିନ୍ତୁ ବର୍ତ୍ତମାନର ସ୍ଥିତି ଓ ଯୁଦ୍ଧକୁ ନେଇ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ପ୍ରତିକ୍ରିୟାକୁ ଦେଖିଲେ ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପଡ଼ିବା ଅସମ୍ଭବ ପ୍ରାୟ ଲାଗୁଛି ।