ମହାରାଷ୍ଟ୍ର: ଆଦିତ୍ୟ ଠାକରେ ନିର୍ବାଚନ ଲଢୁଥିବା ୱାର୍ଲିରେ କିଏ ଆଗୁଆ ଅଛନ୍ତି?

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାର ୱାର୍ଲି ନିର୍ବାଚନ ମଣ୍ଡଳୀରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ୪୬୦୦ରୁ ଅଧିକ ଭୋଟ ବ୍ୟବଧାନରେ ଆଗୁଆ ଅଛନ୍ତି । ସେ ଏପର୍ଯ୍ୟନ୍ତ ୪୨ ହଜାରରୁ ଅଧିକ ଭୋଟ ପାଇସାରିଲେଣି । ରାଜ୍ୟସଭା ସାଂସଦ ମିଲିନ୍ଦ ଦେଓରା ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେ ଶିବସେନା (ସିନ୍ଦେ ଗୋଷ୍ଠୀ) ଟିକେଟରେ ନିର୍ବାଚନ ଲଢୁଛନ୍ତି । ସେ ୩୭ ହଜାରରୁ ଅଧିକ ଭୋଟ ପାଇଥିଲେ । ଚଳିତ ବର୍ଷ ଜାନୁଆରିମାସରେ ଦେଓରା କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ ।

ଆଦିତ୍ୟ ଠାକରେ ୨୦୧୯ ବିଧାନସଭା ନିର୍ବାଚନରେ ମୁମ୍ବାଇ ସହରର ଏହି ଆସନରୁ ବିଜୟୀ ହୋଇଥିଲେ । ୨୦୧୯ରେ ଆଦିତ୍ୟଙ୍କୁ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ସରକାରରେ ପରିବେଶ ଓ ପର୍ଯ୍ୟଟନ ମନ୍ତ୍ରଣାଳୟଦାୟିତ୍ୱ ଦିଆଯାଇଥିଲା । ମହାରାଷ୍ଟ୍ରରେ କଂଗ୍ରେସ ନେତୃତ୍ୱାଧୀନ ଏମଭିଏ ମେଣ୍ଟ ୫୩ଟି ଆସନରେ ଆଗୁଆ ଥିବା ବେଳେ ବିଜେପି ନେତୃତ୍ୱାଧୀନ ମହାୟୁତି ମେଣ୍ଟ ୨୨୨ଟି ଆସନରେ ଆଗୁଆ ରହିଛି । ଅନ୍ୟାନ୍ୟ ଦଳ ୧୩ଟି ଆସନରେ ଆଗୁଆ ଅଛନ୍ତି ।