କଟକ- ଡେଣ୍ଟାଲ ସର୍ଜନ ନିଯୁକ୍ତିରେ ହୋଇଥିବା ଅନିୟମିତତା ମାମଲାରେ ହାଜର ହୋଇଛନ୍ତି ଓପିଏସସି ସଚିବ । କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ ସଚିବ ଆଜି କୋର୍ଟଙ୍କ ସମ୍ମୁଖରେ ବ୍ୟକ୍ତିଗତ ଭାବେ ହାଜର ହୋଇଛନ୍ତି । ହାଜର ହେବା ସହ ସଚିବ କୋର୍ଟଙ୍କ ସମ୍ମୁଖରେ ରଖିଛନ୍ତି ସଂଶୋଧିତ ଡେଣ୍ଟାଲ ସର୍ଜନ ମେଧା ତାଲିକା । ଏହି ତାଲିକାକୁ କାଲି ସୁଦ୍ଧା ଓପିଏସସି ତାର ଅଫିସିଆଲ ୱେବସାଇଟରେ ଅପଲୋଡ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
କୋର୍ଟ ପୂର୍ବ ତାଲିକାରେ କାହାକୁ ନିଯୁକ୍ତି ଦିଆଯାଇଛି, ତା ଉପରେ ତଥ୍ୟ ଲୋଡିଛନ୍ତି । ଏଥିସହ ସରକାରଙ୍କୁ ନିଯୁକ୍ତି ସମ୍ପର୍କିତ ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୩ ଦିନ ଭିତରେ ତଥ୍ୟ ଦେବାକୁ କୋର୍ଟ କହିଛନ୍ତି । ଏହି ମାମଲାରେ ଆସନ୍ତା ଗୁରୁବାର ପରବର୍ତ୍ତୀ ଶୁଣାଣି ହେବ ଓ ସେହି ଦିନ ଚୂଡାନ୍ତ ଶୁଣାଣି ଶୁଣାଇ ପାରନ୍ତି କୋର୍ଟ ।
ମେଧା ତାଲିକାର ୧୭୮ ଜଣଙ୍କ ମଧ୍ୟରୁ ୧୭୧ ନିଯୁକ୍ତି ଦିଆଯାଇଥିଲା । କିନ୍ତୁ ପ୍ରଶ୍ନ ପତ୍ରରେ ତ୍ରୁଟି ଅଭିଯୋଗ କରି ଆଶାୟୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହାର ଶୁଣାଣି କରି ସିଙ୍ଗଲ କୋର୍ଟ ଦେଇଥିବା ନିଯୁକ୍ତି ନିର୍ଦ୍ଦେଶକୁ ଓପିଏସସି ଅବମାନନା କରି ସମ୍ବିଧାନିକ ପୀଠକୁ ଯାଇଥିଲେ । ସମ୍ବିଧାନିକ ପୀଠ ମାମଲାର ଶୁଣାଣି କରିବା ସହ ସଂଶୋଧିତ ତାଲିକା ଉପସ୍ଥାପନ କରିବାକୁ ବାରମ୍ବାର ତାଗିଦ କରିଥିଲେ । କିନ୍ତୁ ସବୁ ଥର ଓପିଏସସି ଏହି ନିର୍ଦ୍ଦେଶକୁ ଏଡାଇଚାଲିଥିଲେ ।
ଯାହାକୁ ନେଇ ଗତ ଶୁଣାଣି କାଳରେ କୋର୍ଟ ଅସନ୍ତୋଷ ଝାଡିବା ସହ ଆଜି ଓପିଏସସି କମିଶନରଙ୍କୁ କୋର୍ଟଙ୍କ ସମ୍ମୁଖରେ ବ୍ୟକ୍ତିଗତଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ ।