Breaking- ଆଳୁ କଳାବଜାର ବିରୋଧରେ ମୋହନ ସରକାରର ଶକ୍ତ ଆଭିମୁଖ୍ୟ, ଚାଲିଛି ରେଡ

ଭୁବନେଶ୍ୱର- ପଶ୍ଚିମ ବଙ୍ଗ ସରକାର ଆଳୁ ଯୋଗାଣ ବନ୍ଦ କରିବା ପରେ ରାଜ୍ୟରେ ଆଳୁ ଦର ବଢିଛି । ସେପଟେ କିଛି ଅସାଧୁ ବ୍ୟବସାୟୀ ଆଳୁ ଗୋଦାମରେ ଲୁଚେଇ ରଖି ଅଭାବ ପାଇଁ ବାଟ ଫିଟାଉଛନ୍ତି । ଫଳରେ ଦର ଆହୁରି ବୃଦ୍ଧି ପାଇବ । ଏହାକୁ ଦୃଷ୍ଟିରେ ରଖି ଟ୍ୱିନସିଟିରେ ଯୋଗାଣ ଅଧିକାରୀ ଆଳୁ ଗୋଦାମ ଓ ଦୋକାନ ଉପରେ ରେଡ ଜାରି ରଖିଛନ୍ତି । ଚଢା ଦରରେ କିଛି ବ୍ୟବସାୟୀ ଆଳୁ ବିକ୍ରି କରିବା ଅଭିଯୋଗ ପରେ ଯୋଗାଣ ବିଭାଗ ତରଫରୁ ଏହି ରେଡ ହେଉଛି । ଭୁବନେଶ୍ୱରର ୟୁନିଟ୪ ମାର୍କେଟରେ ଯୋଗାଣ ଅଧିକାରୀ ରେଡ କରୁଛନ୍ତି ।

ଆଳୁକୁ ନେଇ କୌଣସି କଳା ବଜାରକୁ ପ୍ରଶ୍ରୟ ଦିଆଯିବ ନାହିଁ, ଏହା ଉପରେ ଶକ୍ତ ରହିଛି ମୋହନ ସରକାର ଆଭିମୁଖ୍ୟ । ତେଣୁ ଗୋଦାମରେ ଆଳୁ ଲୁଚେଇ ବଜାରରେ କୌଣସି ପ୍ରକାର ଆଳୁ ଅଭାବ ସୃଷ୍ଟି ଉପରେ ସରକାର ତୀକ୍ଷ୍ନ ଦୃଷ୍ଟି ରଖିଛି । ଅଭିଯୋଗ ପରେ ରେଡ ଜାରି ରହିଛି ।

ସେପଟେ ଆଳୁକୁ ନେଇ ବିଧାନସଭାରେ ଝଡ । ବିରୋଧୀ ସରକାରକୁ ଆଳୁ ଯୋଗାଣରେ ଘେରିଛନ୍ତି  । ବିଜେଡି ବିଧାନସଭାରେ ସରକାର ବିରୋଧରେ ଆଣିଛି ଶୋଷଣର ଅଭିଯୋଗ । ରାଜ୍ୟବାସୀଙ୍କୁ ଏହି ସରକାର ଶୋଷଣ କରୁଛି ବୋଲି ଅଭିଯୋଗ କରିଛି ବିଜେଡି  । ଡବଲ ଇଞ୍ଜିନ ସରକାର ଶୋଷଣକାରୀ ସରକାର ବୋଲି ଅଭିଯୋଗ କରିଛି ବିଜେଡି  । ଏହାକୁ ନେଇ ଗୃହରେ ହଟ୍ଟଗୋଳ କରୁଛି ବିରୋଧୀଦଳ ।

ଅନ୍ୟପକ୍ଷରେ ଉତ୍ତରପ୍ରଦେଶରୁ ପ୍ରାୟ ୩୦୦ ଟ୍ରକରେ ଆଳୁ ମଗାଇଛନ୍ତି ରାଜ୍ୟ ସରକାର । ତେବେ ଓଡ଼ିଶାରେ ଉତ୍ତପ୍ରଦେଶର ଆଳୁ ଟ୍ରକ ପହଞ୍ଚିବା ପରେ ଖାଉଟିଙ୍କ ମନରେ ଖୁସି ଭରିଯାଇଛି । ଖୁଚୁରା ବଜାରରେ ବର୍ତ୍ତମାନ ଆଳୁ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଛି । ଗତ କିଛି ଦିନରୁ ଆଳୁର ମୂଲ୍ୟ ବୃଦ୍ଧି ହୋଇଥିବାରୁ ସାଧାରଣ ଜନତାଙ୍କୁ ଚିନ୍ତା ଘାରିଛି ।