ବାଘ ମୃତ୍ୟୁରେ ଲାଗୁନି ବ୍ରେକ, ଜଳଭଣ୍ଡାରରେ ଭାସୁଛି କଲରାପତରିଆରର ମୃତଦେହ

ସୁନ୍ଦରଗଡ- ଜଳ ଭଣ୍ଡାରରେ ଭାସୁଛି ବାଘ । କଲରା ପତରିଆ ବାଘ ରେଙ୍ଗାଲି ଡ୍ୟାମ ପାଣିରେ ଭାସୁଛି ଏକ କଲରାପତରିଆ ବାଘ । ବାଘଟି ମୃତ୍ୟୁର କାରଣ ଜଣାପଡି ନାହିଁ । ତେବେ ଖବର ପାଇଁ ଘଟଣାସ୍ଥଳରେ ବନ କର୍ମଚାରୀ ପହଞ୍ଚି ବାଘକୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛନ୍ତି ।

ସୁନ୍ଦରଗଡ ଦେବଗଡ,ରିଆମାଳ ବନାଞ୍ଚଳ ନୂଆଡିହି ଫରେଷ୍ଟ ସେକ୍ସନ ଅଧୀନରେ ରେଙ୍ଗାଲି ଡ୍ୟାମର ଜଳ ଭଣ୍ଡାରରେ ଏକ କଲରା ପତରିଆ ବାଘ ଭାସୁଥିବା ଦେଖିବାକୁ ମିଳିଥିଲା । ବାଘଟି ପାଣିରେ ଭାସୁଥିବା ବେଳେ ତା ଶରୀରରେ କୌଣସି ମୁଭମେଣ୍ଟ ହେଉନଥିଲା । ଫଳରେ ବାଘଟିର ମୃତ୍ୟୁ ହୋଇଥିବା ନେଇ ଲୋକେ ଅବଗତ ହୋଇଥିଲେ । ସ୍ଥାନୀୟ ଲୋକ ତୁରନ୍ତ ବନବିଭାଗକୁ ସୂଚନା ଦେଇଥିଲେ ।

ବନ ବିଭାଗର ଡିଏଫଓ ତଥା ଅନ୍ୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ବାଘକୁ ଉଦ୍ଧାର କରିବାକୁ ଚେଷ୍ଟା ଆରମ୍ଭ ହୋଇଛି । ତେବେ ବାଘ ମୃତର କାରଣ ଜଣାପଡି ନାହିଁ । ବାଘଟି ଶିକାରୀ ଗୁଳିରେ ଆହତ ହୋଇ ପାଣିରେ ପଡି ଏହି ସ୍ଥାନକୁ ଚାଲି ଆସିଛି ନା ମୃତ୍ୟୁ ପଛରେ ଅନ୍ୟ କୌଣସି କାରଣ ରହିଛି ତାହା ବାଘ ଉଦ୍ଧାର ପରେ ପୋଷ୍ଟମର୍ଟମରୁ ସ୍ପଷ୍ଟ ହେବ ବୋଲି ବନ ଅଧିକାରୀ କହିଛନ୍ତି ।

ରାଜ୍ୟରେ ବାଘ ମୃତ୍ୟୁ ଉଦବେଗର କାରଣ ହୋଇଛି । ଗତ ପାଞ୍ଚ ବର୍ଷ ଭିତରେ ରାଜ୍ୟରେ ଆଖି ବୁଜିଛନ୍ତି ୩୪ କଲରାପତରିଆ । ଏଥିମଧ୍ୟରୁ ଶିକାର ଦ୍ୱାରା ୧୭ଟି ବାଘ ଆଖି ବୁଜିଥିବା ବେଳେ , ବିଦ୍ୟୁତ ଆଘାତରେ ୩ଟି ଆଉ ରେଳ ଦୁର୍ଘଟଣାରେ ଗୋଟିଏ ବାଘ ମୃତ୍ୟୁ ହୋଇଛି । ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଥିଲେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।