ନୂଆଦିଲ୍ଲୀ: ଦିନକୁ ଦିନ ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି । ମହିଳାଙ୍କ ସୁରକ୍ଷା ପାଇଁ ସରକାର ଅନେକ ଆଇନ୍ ପ୍ରଣୟନ କରିବା ପରେ ମଧ୍ୟ ଦେଶର କମେଣ୍ଟ କରିବା, ଅପହରଣ, ଏସିଡ୍ ମାଡ଼, ଦୁଷ୍କର୍ମ, ଯୌତୁକ ପାଇଁ ବଧୂ ହତ୍ୟା, ଶୋଷଣ, ନିର୍ଯାତନା, ଦଲାଲୀ ଭଳି ଅପରାଧ ବଢ଼ୁଛି । ସେଦିନ ଥିଲା ୧୬ ଡିସେମ୍ବର, ୨୦୧୨ । ରାଜଧାନୀ ଦିଲ୍ଲୀରେ ଚଳନ୍ତି ବସରେ ଜଣେ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ହୋଇଥିଲା । ଏହା ପରେ ତାଙ୍କୁ ରାସ୍ତା କଡ଼ରେ ଫିଙ୍ଗି ଦେଇ ଚାଲିଯାଇଥିଲେ । ହସ୍ପିଟାଲରେ ନିଜ ଜୀବନ ସହ ସଂଘର୍ଷ କରୁଥିବା ସମୟରେ ସେହି ଛାତ୍ରୀ ଜଣଙ୍କ ପ୍ରାଣ ହରାଇଥିଲେ । ଉକ୍ତ ଛାତ୍ରୀଙ୍କୁ ‘ନିର୍ଭୟା’ ନାଁ ଦିଆଯାଇଥିଲା । ସେତେବେଳେ ଏହି ଘଟଣା ସମସ୍ତ ଦେଶକୁ ଦୋହଲାଇ ଦେଇଥିଲା । ଏହି ଘଟଣାକୁ ନେଇ ଅନେକ ପ୍ରତିବାଦ ଓ ବିରୋଧ ପ୍ରଦର୍ଶନ ଦେଖାଦେଇଥିଲା । ଆଜି ଏହି ନିର୍ଭୟା କାଣ୍ଡକୁ ୧୨ ବର୍ଷ ହୋଇଛି ।
କେନ୍ଦ୍ର ସରକାରଙ୍କ ଏଜେନ୍ସି ଜାତୀୟ ଅପରାଧ ରେକର୍ଡ଼
ବ୍ୟୁରୋ(NCRB)ର ପରିସଂଖ୍ୟାନ ଦର୍ଶାଉଛି ଯେ ପ୍ରତି ବର୍ଷ ଭାରତରେ ମହିଳାଙ୍କ ବିରୋଧରେ ଅପରାଧ ମାମଲା ୪ ଲକ୍ଷରୁ ଉର୍ଦ୍ଧ୍ୱ ପଞ୍ଜିକୃତ ହୋଇଛି । ନିର୍ଭୟା କାଣ୍ଡ ପରେ ସରକାରଙ୍କୁ ଆଇନ୍ ବଦଳାଇବାକୁ ପଡ଼ିଥିଲା । ଦୁଷ୍କର୍ମ ପାଇଁ କଠୋର ଦଣ୍ଡାର ବ୍ୟବସ୍ଥା କରିଥିଲେ । ନିର୍ଭୟା କାଣ୍ଡର ଅପରାଧୀଙ୍କୁ ମାର୍ଚ୍ଚ ୪, ୨୦୨୦ରେ ଫାଶୀ ହୋଇଥିଲା । ସେଥିମଧ୍ୟରୁ ଜଣେ ଆତ୍ମହତ୍ୟା କରିଥିବା ବେଳେ ଜଣେ ନାବାଳକ ଥିବାରୁ ୩ ବର୍ଷର ଜେଲ ଦଣ୍ଡ ପରେ ମୁକୁଳି ଯାଇଥିଲେ । ଆଜି ନିର୍ଭୟା କାଣ୍ଡକୁ ୧୨ ବର୍ଷ ହୋଇଯାଇଛି କିନ୍ତୁ ପରିସଂଖ୍ୟାନ କହୁଛି କି କଠୋର ନିୟମ ପ୍ରଣୟନ ହେବା ପରେ ମଧ୍ୟ ଦୁଷ୍କର୍ମ ମାମଲା ହ୍ରାସ ପାଉନି କି କନଭିକସନ୍ ହାର ବୃଦ୍ଧି ପାଉଛି ।
ନିର୍ଭୟା କାଣ୍ଡ ପରେ କେଉଁ ଆଇନରେ ପରିବର୍ତ୍ତନ ହେଲା ?
୨୦୧୩ରେ ଦୁଷ୍କର୍ମ ଆଇନରେ ସଂଶୋଧନ କରାଯାଇଥିଲା ଏବଂ ଏହାର ପରିସର ବିସ୍ତାର କରାଯାଇଥିଲା । ଜୁଭେନାଇଲ୍ ନିୟମରେ ବି ସଂଶୋଧନ କରାଯାଇଥିଲା । ନୂତନ ନିୟମ ଅନୁଯାୟୀ ୧୬ ବର୍ଷ କିମ୍ବା ୧୮ ବର୍ଷରୁ କମ୍ ନାବାଳକ ଜଘନ୍ୟ କାଣ୍ଡରେ ସମ୍ପୃକ୍ତ ଥିଲେ ସେମାନଙ୍କ ସହ ବୟସ୍କ ଭଳି ଆଚରଣ କରାଯିବ । ଏହା ବାଦ୍ ଦୁଷ୍କର୍ମକାରୀଙ୍କ ପାଇଁ ମୃତ୍ୟୁ ଦଣ୍ଡାଦେଶ ମଧ୍ୟ ଲାଗୁ କରାଗଲା । କିନ୍ତୁ ଏତେ ସବୁ ପରେ ମଧ୍ୟ କିଛି ସୁଧାର ଦେଖାଯାଇନଥିଲା । ୨୦୧୨ ପୂର୍ବରୁ ବାର୍ଷିକ ୨୫ ହଜାର ହାରାହାରି ଦୁଷ୍କର୍ମ ମାମଲା ପଞ୍ଜିକୃତ ହେଉଥିଲା । ଏହା ପରେ ୨୦୧୨ରେ ୨୪ ହଜାରରୁ ଉର୍ଦ୍ଧ୍ୱ(ପ୍ରତ୍ୟେକ ଦିନ ହାରାହାରି ୬୮), ୨୦୧୩ରେ ୩୩ ହଜାରରୁ ଉର୍ଦ୍ଧ୍ୱ, ୨୦୧୬ରେ ୩୯ ହଜାର ପାଖାପାଖି, ୨୦୨୨ରେ ୩୧ ହଜାରରୁ ଉର୍ଦ୍ଧ୍ୱ (ପ୍ରତ୍ୟେକ ଦିନ ହାରାହାରି ୮୬) ମାମଲା ରେକର୍ଡ଼ କରାଯାଇଥିଲା । ୨୦୨୨ରେ ରାଜସ୍ଥାନରେ ସର୍ବାଧିକ ୫, ୩୯୯ ଦୁଷ୍କର୍ମ ମାମଲା ରେକର୍ଡ଼ କରାଯାଇଥିଲା । ଦ୍ୱିତୀୟ ନମ୍ବରରେ ୩, ୬୯୦ ପଞ୍ଜିକୃତ ମାମଲା ସହ ରହିଛି ଉତ୍ତର ପ୍ରଦେଶ । ପ୍ରାୟତଃ ଅଧିକାଂଶ ମାମଲାରେ ପୀଡ଼ିତାର ପରିବାର ଲୋକଙ୍କ ସମ୍ପୃକ୍ତି ଥିଲା । ଅନଲାଇନ୍ ଫ୍ରଡ୍, ଲିଭ୍ ଇନ୍ ପାର୍ଟନର କିମ୍ବା ବିବାହ ପ୍ରଲୋଭନ ଦେଖାଇଥିବା ଭଳି ଅନେକ କାରଣ ରହିଛି । NCRB ପରିସଂଖ୍ୟାନ ଅନୁଯାୟୀ ଦୁଷ୍କର୍ମ ମାମଲାରେ କନଭିକସନ୍ ରେଟ୍ ହାରାହାରି ୨୭-୨୮% ଅର୍ଥାତ ଦୁଷ୍କର୍ମର ୧୦୦ଟି ମାମଲାରୁ କେବଳ ୨୭ ଦୋଷୀଙ୍କ ଦଣ୍ଡ ପ୍ରମାଣିତ ହୋଇଥାଏ । ଅନ୍ୟ ମାମଲାରେ ଦୋଷୀ ନିର୍ଦ୍ଦୋଷରେ ଖଲାସ୍ ହୋଇଛନ୍ତି । ବ୍ରିଟେନରେ କନଭିକସନ୍ ରେଟ୍ ୬୦% ଏବଂ କାନାଡାରେ କନଭିକସନ୍ ରେଟ୍ ୪୦%ରୁ ଉର୍ଦ୍ଧ୍ୱ ଅଟେ ।