ଆସନ୍ତା ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ରାଜ୍ୟରେ ରହିବ ଶୀତର ପ୍ରଭାବ: ପାଣିପାଗ ବିଭାଗର ଅନୁମାନ

ଭୁବନେଶ୍ୱର : ସମଗ୍ର ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି । ଆସନ୍ତା ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ହ୍ରାସ ପାଇବାକୁ ଥିବାବେଳେ ଝାରସୁଗୁଡ଼ା, ସୁନ୍ଦରଗଡ଼, ଜଗତ୍‍ସିଂହପୁର ଓ ଅନୁଗୁଳ ଜିଲ୍ଲାରେ ଅଧିକ ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ୧୫ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀରୁ କମ୍‍ ଥିଲା । ରାଉରକେଲାରେ ୫ ଦଶମିକ ୭ ଡିଗ୍ରୀ, ଫୁଲବାଣୀରେ ୭, ଝାରସୁଗୁଡ଼ାରେ ୭ ଦଶମିକ ୧, ଦାରିଙ୍ଗିବାଡ଼ିରେ ୭ ଦଶମିକ ୫, ଭୁବନେଶ୍ୱରରେ ୧୦ ଦଶମିକ ୯ ଏବଂ କଟକରେ ୧୧ ଡିଗ୍ରୀ ସେଲ୍‍ସିୟସ୍‍ ରେକର୍ଡ଼ କରାଯାଇଛି ।