ପଟିଆଲା: ପଞ୍ଜାବ ରୋପର ପୋଲିସ ଜଣେ ୩୨ବର୍ଷୀୟ ବ୍ୟକ୍ତିଙ୍କୁ ୧୧ ଜଣଙ୍କୁ ହତ୍ୟା କରିବା ମାମଲାରେ ଗିରଫ କରିଛି । ମାତ୍ର ୧୮ ମାସ ଭିତରେ ଏହି ହତ୍ୟାକାଣ୍ଡ କରାଯାଇଥିବା ପୋଲିସ କହିଛି । ଗିରଫ ଯୁବକ ହେଲେ ହୋସିଆରପୁର ଜିଲା ଚୌରା ଗ୍ରାମରେ ରହୁଥିବା ରାମ ସପୁର ଓରଫ ସୋଧି । ଲିଫ୍ଟ ଦେବାର ବାହାନା କରି ସୋଧି ସେମାନଙ୍କୁ ହତ୍ୟା କରୁଥିଲା । ମୁଖ୍ୟତଃ ସେକ୍ସ କରିବା ପାଇଁ କହି ମନା କରିବା ଏବଂ ଟଙ୍କା ଧାର ନ ଦେବା କାରଣରୁ ସୋଧି ସେମାନଙ୍କ ହତ୍ୟା କରିଥିବା ପୋଲିସ କହିଛି । ୧୧ଟି ହତ୍ୟାକାଣ୍ଡରୁ ବର୍ତ୍ତମାନ ସୁଦ୍ଧା ୫ଟି ହତ୍ୟାକାଣ୍ଡରେ ସୋଧିର ସମ୍ପୃକ୍ତି ଥିବା ସ୍ପଷ୍ଟ ହୋଇଛି । ଏକ ହତ୍ୟାକାଣ୍ଡରେ ମୃତକଙ୍କ ପିଠିରେ ଧୋକେବାଜ୍ ଲେଖିଥିଲା ସୋଧି ।
କପଡ଼ା ସାହାଯ୍ୟରେ ଗଳାଚିପି କିମ୍ବା ଇଟାରେ ମୁଣ୍ଡକୁ ଛେଚି ସୋଧି ଲୋକଙ୍କୁ ମାରୁଥିବା ଏସ୍ପି ନବନୀତ ସିଂ ମହଲ କହିଛନ୍ତି । ସୋଧି ବିବାହିତ ଏବଂ ତା’ର ୩ ପିଲା ଅଛନ୍ତି । ସମଲିଙ୍ଗି ସମ୍ପର୍କ କାରଣରୁ ସୋଧିକୁ ଘର ଲୋକ ବାହାର କରିଦେଇଥିଲେ, ଯେଉଁ କାରଣରୁ ସେ ପିଲାଛୁଆଙ୍କଠାରୁ ଅଲଗା ରହୁଥିଲା । ପୋଲିସର ପଚରା ଉଚରାରେ ସୋଧି ଫରେତହଗଡ଼ ସାହିବ ଏବଂ ହୋସିଆରପୁର ଜିଲାରେ ହତ୍ୟାକାଣ୍ଡ ଭିଆଇଥିବା କହିଛି । ଅଧିକ ତଥ୍ୟ ସଂଗ୍ରହ ସାଙ୍ଗକୁ ହତ୍ୟା ପଛର କାରଣ ଜାଣିବା ପାଇଁ ପୋଲିସ ତାକୁ ରିମାଣ୍ଡରେ ନେଇଛି । ଯାଞ୍ଚ କାର୍ଯ୍ୟ ପୂର୍ବରୁ ସୋଧିର ମେଡିକାଲ ଟେଷ୍ଟ ମଧ୍ୟ ସରିଛି ।