ବଦଳିବ ନିୟମ, ଦୂର ହେବ ଅନ୍ଧବିଶ୍ୱାସ, ବସରେ ଆଗ ଚଢ଼ିବେ ମହିଳା, ନ ମାନିଲେ କାର୍ଯ୍ୟାନୁଷ୍ଠାନ

ସରକାରଙ୍କ ବଡ଼ ପଦକ୍ଷେପ। ଏଣିକି ବସରେ ଆଗ ଚଢିପାରିବେ ମହିଳା। ମହିଳା ଯାତ୍ରୀଙ୍କୁ ବସ୍ କଣ୍ଡକ୍ଟର ଅପମାନିତ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ। ଅନ୍ଧବିଶ୍ୱାସ ଦୂର କରିବାକୁ ସରକାରଙ୍କ ନିର୍ଦ୍ଦେଶ।

ଭୁବନେଶ୍ୱର: ବଦଳିବ ବର୍ଷ ବର୍ଷର ଅନ୍ଧବିଶ୍ୱାସ। ଏଣିକି ଆଉ ଅପମାନିତ ହେବାକୁ ପଡିବନି ମହିଳାଙ୍କୁ। ଏବେ ମହିଳାଙ୍କୁ ବି ବସରେ ପ୍ରଥମେ ଚଢିବାକୁ ମିଳିବ ଅନୁମତି। ଏନେଇ ରାଜ୍ୟ ସରକାରଙ୍କ ପରିବହନ ବିଭାଗରୁ ସୂଚନା ଦିଆଯାଇଛି।

ଆଉ ଏହାର ଶୁଭାରମ୍ଭ ଆଜି କଟକ ବସ୍ ଟର୍ମିନାଲରୁ ଆରମ୍ଭ ହୋଇଛି। ଏହାଛଡ଼ା ଯେଉଁ ବ୍ୟକ୍ତି ବସରେ ପ୍ରଥମେ ମହିଳା ଚଢିବାକୁ ବାରଣ କରିବ କିମ୍ୱା ମହିଳାଙ୍କୁ ଅପମାନିତ କରିବ ତାଙ୍କ ଡବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି।

ଅନ୍ଧବିଶ୍ୱାସ: ଆଜି ବି ଆମ ସମାଜରେ ଅନେକ କୁପ୍ରଥା ଏବଂ ଅନ୍ଧବିଶ୍ୱାସ ଚାଲିଆସିଛି। ବିଶେଷ କରି ମହିଳାମାନଙ୍କ କ୍ଷେତ୍ରରେ ଅନେକ ଅନ୍ଧବିଶ୍ୱାସ ଦେଖାଦେଇଥାଏ। ପ୍ରାୟ ଜାଗାରେ ମହିଳା ମାନଙ୍କ ପାଇଁ ବିଭିନ୍ନ ପ୍ରକାର ଅନ୍ଧବିଶ୍ୱାସ ଯୋଗୁଁ କଟକଣା ମଧ୍ୟ ଲଗାଯାଇଥାଏ।

ବସରେ ଚଢିବେନି ମହିଳା: ଠିକ୍ ସେହିପରି କାହିଁ କେଉଁ ଯୁଗରୁ ଏକ ଅନ୍ଧବିଶ୍ୱାସ ରହି ଆସିଛି। କି ମହିଳାମାନେ ପ୍ରଥମେ ବସରେ ଚଢିପାରିବେ ନାହିଁ। ସକାଳୁ ବସ୍ ଗଢିବା ଆରମ୍ଭ ବେଳେ ଯଦି ଜଣେ ମହିଳାଙ୍କ ସହ ପୁରୁଷ ନଥାନ୍ତି ତାହାଲେ ସେମାନଙ୍କୁ ବସରେ ଚଢିବାକୁ ଦିଆଯାଏନି। ଏହିସବୁ କାରଣରୁ ସବୁବେଳେ ମହିଳାଙ୍କୁ ଅପମାନିତ ହେବାକୁ ପଡେ।

କାହଁକି ମହିଳା ଚଢନ୍ତିନି ବସ୍: ତେବେ ଆପଣମାନେ ତ ଜାଣିଥିବେ ମାସିକ ଋତୁସ୍ରାବ ପ୍ରକ୍ରିୟା କୌଣସି ଖରାପ ଜିନିଷ ନୁହେଁ। ଯାହାକୁ କିଛିକାଂଶରେ ଅଶୁଭ ବୋଲି ମନାଯାଏ। ଯେଉଁଥିପାଇଁ ମହିଳାଙ୍କୁ ବସରେ ପ୍ରଥମେ ଚଢିବାକୁ ବାରଣ କରିଥାଏ କଣ୍ଡକ୍ଟର।

ଅନ୍ଧବିଶ୍ୱାସ ରହିଛି ପ୍ରଥମେ ମହିଳା ବସରେ ଚଢିଲେ ସେଦିନର ବେପାର ଭଲ ହୁଏନି। ବସ୍ ଦୁର୍ଘଟଣାର ଶିକାର ହୋଇଥାଏ। ରାସ୍ତାରେ ଗାଡି ଖରାପ ହୋଇଯିବାର ଆଶଙ୍କା ଥାଏ।

ଅନ୍ଧବିଶ୍ୱାସ ଦୂରିକରଣ ପାଇଁ ପ୍ରୟାସ: ହେଲେ ଏବେ ମହିଳାମାନଙ୍କୁ ସେହିପରି କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବନି। କି ଅପମାନିତ ହେବାକୁ ମଧ୍ୟ ପଡିବନି। କାରଣ ଏହି ଅନ୍ଧବିଶ୍ୱାସ ଦୂରୀକରଣ ପାଇଁ ପ୍ରୟାସ ଆରମ୍ଭ କରିସାରିଛନ୍ତି ରାଜ୍ୟ ସରକାର।

ଏଣିକି ପ୍ରଥମେ ବସରେ ଚଢିପାରିବେ ମହିଳା ଯାତ୍ରୀ। ଏଥିପାଇଁ ସ୍ୱତନ୍ତ୍ର ଟିମ ଯାଇ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ କଟକ ବସ୍ ଷ୍ଟାଣ୍ଡରେ ଯାଞ୍ଚ ଆରମ୍ଭ କରିଛି। ଏହି ଅନ୍ଧବିଶ୍ୱାସକୁ ଦୂର କରିବା ପାଇଁ କଡା ନିର୍ଦ୍ଦେଶ ଦେଇଛି ରାଜ୍ୟ ସରକାରଙ୍କ ପରିବହନ ବିଭାଗ। କଟକ ନେତାଜୀ ବସ ଟର୍ମିନାଲରେ ହଠାତ୍ ପହଞ୍ଚି ଚଢାଉ କରିବା ସହ ରାଜ୍ୟର ସବୁ ବସଷ୍ଟାଣ୍ଡରେ ଏଭଳି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବସରେ ପ୍ରଥମେ ଚଢିପାରିବେ ମହିଳା: ଏବେଠାରୁ ମହିଳାମାନଙ୍କୁ ଆଉ ଅପମାନିତ ହେବାକୁ ପଡିବ ନାହିଁ। ଏଭଳି କୁସଂସ୍କାରକୁ ଦୂର କରିବାକୁ ବସରେ ପ୍ରଥମେ ଯାତ୍ରୀଙ୍କ ଚଢିବା ଉପରେ କୌଣସି କଟକଣା ନଲଗାଇବାକୁ ଏସଟିଏକୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା।

ଦଣ୍ଡବିଧାନ: ମୋଟର ଯାନ ଆଇନ ଅନୁସାରେ ଯାତ୍ରୀଙ୍କ ଭିତରେ ପାତଅନ୍ତର ଦଣ୍ଡନୀୟ ଅପରାଧ। ଏଥିପାଇଁ ଜରିମାନା ଓ ଗାଡ଼ିର ପରମିଟ୍ ରଦ୍ଦ କରିବାର ବ୍ୟବସ୍ଥା ମଧ୍ୟ ରହଛି। ଏହାଛଡ଼ା ମହିଳା ଯାତ୍ରୀଙ୍କୁ ଅସମ୍ମାନିତ କରାଗଲେ କଡ଼ା ପଦକ୍ଷେପ ନେବାକୁ ପ୍ରଶାସନ ଚେତାବନୀ ଦେଇଛି।

ମହିଳା ଯାତ୍ରୀଙ୍କୁ ଆବଶ୍ୟକ ସ୍ଥଳେ ଦିଆଯିବ ଅଗ୍ରାଧିକାର। ଆଗକୁ ଏଭଳି ଯାଞ୍ଚ ସହ ମହିଳା ଯାତ୍ରୀଙ୍କୁ ସମ୍ମାନ ଦେବା ପାଇଁ ସାଧାରଣରେ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ୟ୍ୟକ୍ରମ ମଧ୍ୟ କରାଯିବାକୁ ନିଷ୍ପତ୍ତି ହୋଇଛି। ହେଲେ ଘରୋଇ ବସ୍ ଏହାକୁ କେତେଦୂର ଗ୍ରହଣ କରିବ ତାହା ଉପରେ ନଜର।