CUET UG ପାଇଁ ଆରମ୍ଭ ହେଲା ରେଜିଷ୍ଟ୍ରସନ୍, ମେ’ରେ ପରୀକ୍ଷା: ଜାଣନ୍ତୁ କିପରି କରିବେ ଆବେଦନ

ନୂଆଦିଲ୍ଲୀ: +୨ ପରେ ବିଶ୍ୱବିଦ୍ୟାଳୟରେ ଆଡମିଶନ୍ ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ସିୟୁଇଟି ୟୁଜି ୨୦୨୫ ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ଆରମ୍ଭ କରିଛି ।

ଏଥିପାଇଁ ଆପଣ ସିୟୁଇଟିର ଅଫିସିଆଲ୍ ୱେବସାଇଟ୍ cuet.nta.nic.in ରେ ବିଜ୍ଞପ୍ତି ଚେକ୍ କରିପାରିବେ । ଦେଶର ଅଧିକାଂଶ କେନ୍ଦ୍ରୀୟ, ରାଜ୍ୟ, ବେସରକାରୀ ବିଶ୍ୱବିଦ୍ୟାଳୟରେ ଆଡମିଶନ ପାଇଁ ସିୟୁଇଟି ୟୁଜି ପାସ୍ କରିବା ଆବଶ୍ୟକ ।

ସିୟୁଇଟି ୟୁଜି ୨୦୨୫ ପାଇଁ ଆବେଦନ ପ୍ରକ୍ରିୟା ୧ ମାର୍ଚ୍ଚ ୨୦୨୫ ରୁ ଆରମ୍ଭ ହୋଇଛି । ଆଗ୍ରହୀ ପ୍ରାର୍ଥୀମାନେ ୨୨ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଆବେଦନ ଫର୍ମ ପୂରଣ କରିପାରିବେ । ଏହା ସହିତ ପରୀକ୍ଷା ଫି’ ମାର୍ଚ୍ଚ ୨୩ ସୁଦ୍ଧା ଦେବାକୁ ପଡିବ ।

ସିୟୁଇଟି ୟୁଜି ଆବେଦନ ଫର୍ମରେ ଯେକୌଣସି ସଂଶୋଧନ କରିବା ପାଇଁ ୨୪ ମାର୍ଚ୍ଚରୁ ୨୬ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ସମୟ ଦିଆଯିବ । ସିୟୁଇଟି ୟୁଜି ଏକ କମ୍ପ୍ୟୁଟର ଆଧାରିତ ପରୀକ୍ଷା ଅର୍ଥାତ୍ ଏହା ସିବିଟି ମୋଡରେ ହେବ । ପ୍ରାର୍ଥୀମାନେ ସର୍ବାଧିକ ୫ଟି ବିଷୟ ପାଇଁ ପରୀକ୍ଷା ଦେଇପାରିବେ ।

କିପରି ଆବେଦନ କରିବେ?
ଆପଣ ୨୨ ମାର୍ଚ୍ଚ ୨୦୨୫ରେ ରାତି ୧୧.୫୦ ପର୍ଯ୍ୟନ୍ତ ସିୟୁଇଟି ୟୁଜି ୨୦୨୫ ପରୀକ୍ଷା ପାଇଁ ଆବେଦନ କରିପାରିବେ । ଏଥିପାଇଁ ଆପଣ ଏହି ଷ୍ଟେପ୍ ଫଲୋ କରନ୍ତୁ…
– ସିୟୁଇଟି ୟୁଜି ୨୦୨୫ ପରୀକ୍ଷା ଫର୍ମ ପୂରଣ କରିବା ପାଇଁ ଅଫିସିଆଲ୍ ୱେବସାଇଟ୍ cuet.nta.nic.in ଯାଆନ୍ତୁ ।
-ହୋମପେଜରେ ଦେଖାଯାଉଥିବା ସିୟୁଇଟି ୟୁଜି ପଞ୍ଜିକରଣ ଲିଙ୍କ୍ ୨୦୨୫ ଉପରେ କ୍ଲିକ୍ କରିବା ପରେ ଆପଣଙ୍କୁ ଏକ ନୂଆ ପେଜକୁ ରିଡାରେକ୍ଟ କରାଯିବ ।
– ସିୟୁଇଟି ୟୁଜି ପରୀକ୍ଷା ପାଇଁ ପଞ୍ଜିକରଣ କରିବା ପରେ ଆପଣଙ୍କ ଆକାଉଣ୍ଟରେ ଲଗଇନ୍ କରି ଆବେଦନ ଫର୍ମ ପୂରଣ କରନ୍ତୁ ଏବଂ ଫିସ୍ ଦିଅନ୍ତୁ ।
– ସିୟୁଇଟି ୟୁଜି ଫର୍ମ ସବମିଟ୍ ଉପରେ କ୍ଲିକ୍ କରନ୍ତୁ ଏବଂ କନଫର୍ମ ପେଜ୍ ଡାଉନଲୋଡ୍ କରନ୍ତୁ ।
– ଭବିଷ୍ୟତ ପାଇଁ ଆପଣ ସିୟୁଇଟି ୟୁଜି ପଞ୍ଜିକରଣ ଫର୍ମର ଏକ ପ୍ରିଣ୍ଟଆଉଟ୍ ମଧ୍ୟ ନେଇପାରିବେ ।

କେଉଁ ଡକ୍ୟୁମେଣ୍ଟ ଆବଶ୍ୟକ?
ଦଶମ ଏବଂ ଦ୍ୱାଦଶ ମାର୍କ ସିଟ୍ ଏବଂ ପ୍ରମାଣପତ୍ର
ଜନ୍ମ ତାରିଖ ପ୍ରମାଣପତ୍ର
ସ୍କାନ ହୋଇଥିବା ଫଟୋ
ଦସ୍ତଖତର ସ୍କାନ ହୋଇଥିବା କପି
ପିଡଏଫ ଫର୍ମାଟରେ ବର୍ଗ ପ୍ରମାଣପତ୍ର (ଯଦି ପ୍ରଯୁଜ୍ୟ)
ଫି ପେମେଣ୍ଟ ପାଇଁ ବ୍ୟାଙ୍କ ଆକାଉଣ୍ଟ ବିବରଣୀ
ଇମେଲ୍ ଆଇଡି ଏବଂ ଫୋନ୍ ନମ୍ବର ।