ଆଜି ହେଉଛି ବିଶ୍ୱ ଯକ୍ଷ୍ମା ଦିବସ, ଜାଣନ୍ତୁ ଚଳିତବର୍ଷର ବାର୍ତ୍ତା କ’ଣ ?

ଆଜି ବିଶ୍ୱ ଯକ୍ଷ୍ମା ଦିବସ । ବିଶ୍ୱରେ ଯକ୍ଷ୍ମାରୋଗର ପ୍ରଭାବ ବିଷୟରେ ଲୋକଙ୍କୁ ସଚେତନ କରାଇବା ଏବଂ ଏହାର ସାମାଜିକ ଓ ଅର୍ଥନୈତିକ ପରିଣାମ ବିଷୟରେ ସଚେତନତା ସୃଷ୍ଟି କରିବା ସହ ଏହାର ମୁକାବିଲାପାଇଁ ପ୍ରୟାସକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ଯକ୍ଷ୍ମାଦିବସ ପାଳନ କରାଯାଉଚଛି ।

ଡକ୍ଟର ରବର୍ଟ କୋଚ୍‍ଙ୍କ ଦ୍ୱାରା ୧୮୮୨ ମସିହାରେ ଯକ୍ଷ୍ମା ଭୂତାଣୁ ଆବିଷ୍କାରର ଆଜି ବାର୍ଷିକୀ ପାଳନ କରାଯାଉଛି । ଚଳିତବର୍ଷ ଏହି ଦିବସର ବାର୍ତ୍ତା ରହିଛି ‘ଆମେ ଯକ୍ଷ୍ମାକୁ ମୂଳୋତ୍ପାଟନ କରିପାରିବା ଓ ଏଥିପାଇଁ ପ୍ରତିଶ୍ରୁତିବଦ୍ଧ ହୋଇପାରିବା’ ଏହିକ୍ରମରେ ଓଡ଼ିଶାକୁ ଚଳିତବର୍ଷ ସୁଦ୍ଧା ଯକ୍ଷ୍ମାମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟର ୬ହଜାର ୭୯୪ଟି ଗ୍ରାମ ପଞ୍ଚାୟତକୁ ଯକ୍ଷ୍ମାମୁକ୍ତ କରିବା ଲାଗି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

୨୦୨୨ ମସିହାରେ ୧ଲକ୍ଷ ଲୋକଙ୍କ ମଧ୍ୟରୁ ୫୬୮ଜଣ ଯକ୍ଷ୍ମା ସଂକ୍ରମିତ ହୋଇଥିବାବେଳେ ଗତବର୍ଷସୁଦ୍ଧା ଏହି ସଂଖ୍ୟା ୪୨୮କୁ ହ୍ରାସ ପାଇଛି । ଯକ୍ଷ୍ମାଜନିତ ମୃତ୍ୟୁହାର ମଧ୍ୟ ୪ ପ୍ରତିଶତକୁ ହ୍ରାସ ପାଇଥିବା ଜଣାପଡିଛି । ନିକ୍ଷୟ ପୋଷଣ ଯୋଜନାରେ ଯକ୍ଷ୍ମା ରୋଗୀମାନଙ୍କୁ ପୁଷ୍ଟିକର ଆହାର ନିମନ୍ତେ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ପ୍ରାୟ ସମସ୍ତ ହସ୍ପିଟାଲରେ ଟ୍ରୁନାଟ୍‍ ମେସିନ୍‍ରେ ଯକ୍ଷ୍ମା ପରୀକ୍ଷା କରାଯାଇ ସଂକ୍ରମିତଙ୍କୁ ମାଗଣା ଔଷଧ ଦିଆଯାଉଛି ।

ଦୁଇ ସପ୍ତାହରୁ ଅଧିକ ସମୟ ଧରି କାଶ ହେଲେ ତୁରନ୍ତ ପରୀକ୍ଷା କରାଇନେବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବିଭିନ୍ନ ଘରୋଇ ସଂସ୍ଥା ସହଯୋଗରେ ଚିହ୍ନଟ ଚିକିତ୍ସା ପ୍ରତିଷେଧକ ସହିତ ସଚେତନତାକୁ ସର୍ବାଧିକ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛି ।