କ୍ରୁଟ୍‌କୁ ୧୦୦ ନୂଆ ଇଲେକ୍ଟ୍ରିକ୍ ବସ୍ ; ୨୧ ଜୁନ୍‌ରୁ ୮ଟି ନୂଆ ରୁଟ୍‌ରେ ‘ଆମ ବସ୍’ ସେବା

ଭୁବନେଶ୍ୱର: ଓଡ଼ିଶାରେ ସହଜ ଓ ସୁଲଭ ସାର୍ବଜନୀନ ପରିବହନ ସେବା ଯୋଗାଇ ଦେଉଥିବା କ୍ୟାପିଟାଲ ରିଜନ୍ ଆର୍ବାନ୍ ଟ୍ରାନ୍ସପୋର୍ଟ (କ୍ରଟ୍) ଅଧୀନରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୦୦ଟି ଇଲେକ୍ଟ୍ରିକ୍ ବସ୍ (ଇ-ବସ୍) ଉଦ୍‌ଘାଟନ କରିଛନ୍ତି। ଏହି ୧୦୦ ଇ-ବସ୍‌ର ଯୋଗଦାନ ସହିତ କ୍ରୁଟ୍ ଶନିବାର (୨୧ ଜୁନ୍) ଠାରୁ ଭୁବନେଶ୍ୱର ଓ କଟକ ଜୋଡ଼ା ସହରରେ ୮ଟି ନୂଆ ରୁଟ୍‌ରେ ‘ଆମ ବସ୍’ ସେବା ଆରମ୍ଭ କରିବ।

ନୂଆ ରୁଟ୍‌ଗୁଡ଼ିକ ହେଲା:
ରୁଟ୍-୮୬: ମନୁ ବିଶ୍ୱବିଦ୍ୟାଳୟ – ମହାନଦୀ ବିହାର (ଚହଟା ଛକ ମାର୍ଗରେ)

ରୁଟ୍-୮୭: ନରାଜ ପୁଲିସ ଆଉଟପୋଷ୍ଟ – ମହାନଦୀ ବିହାର (ସିଡିଏ, ଜୁଡିସିଆଲ ଛକ, ଲିଙ୍କ ରୋଡ ମାର୍ଗରେ)

ରୁଟ୍-୮୮: ଏନ୍‌ଏଲ୍‌ୟୁ – ଏସ୍‌ସିବି ହସ୍ପିଟାଲ (ସିଡିଏ, ଜୁଡିସିଆଲ ଛକ, ଦୋଳମୁଣ୍ଡାଇ, ପ୍ରଫେସରପଦା ମାର୍ଗରେ)

ରୁଟ୍-୮୯: ତ୍ରିଶୂଳିଆ ବସ୍ ଷ୍ଟାଣ୍ଡ – ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ

ରୁଟ୍-୯୦: ଖୋର୍ଦ୍ଧା ନୂଆ ବସ୍ ଷ୍ଟାଣ୍ଡ – ଜଗତପୁର, କଟକ (ଏନ୍‌ଏଚ୍ ମାର୍ଗରେ)

ରୁଟ୍-୯୧: ବାରମୁଣ୍ଡା ବିଏସ୍‌ଏବିଟି – ବିଜୁ ପଟ୍ଟନାୟକ ପାର୍କ, କଟକ (ଏନ୍‌ଏଚ୍ ମାର୍ଗରେ)

ରୁଟ୍-୯୨: ବାରମୁଣ୍ଡା ବିଏସ୍‌ଏବିଟି – ସାଇ ମନ୍ଦିର (ଖଣ୍ଡଗିରି, ଲିଙ୍ଗରାଜ ଷ୍ଟେସନ, ଭୀମଟାଙ୍ଗୀ, କ୍ୟାପିଟାଲ ହସ୍ପିଟାଲ, କଲ୍ପନା ମାର୍ଗରେ)

ରୁଟ୍-୯୩: ଭୁବନେଶ୍ୱର ରେଲୱେ ଷ୍ଟେସନ – ବିଜୁ ପଟ୍ଟନାୟକ ପାର୍କ, ସିଡିଏ (ଫାୟାର ଷ୍ଟେସନ, ସମ୍ ହସ୍ପିଟାଲ, କଟେନି ମାର୍ଗରେ)

ବର୍ତ୍ତମାନ କ୍ରଟ୍ ୫୬୦ଟି ବସ୍‌ରୁ ଗଠିତ ଏକ ଶକ୍ତିଶାଳୀ ଫ୍ଲିଟ୍ ପରିଚାଳନା କରୁଛି, ଯେଉଁଥିରେ ୧୮୦ଟି ଇଲେକ୍ଟ୍ରିକ୍ ବସ୍ ରହିଛି। ଏହା ଦୈନିକ ହାରାହାରି ୩ ଲକ୍ଷରୁ ଅଧିକ ଯାତ୍ରୀଙ୍କୁ ସେବା ଯୋଗାଇ ଦେଉଛି। ନୂଆ ୧୦୦ ଇ-ବସ୍‌ର ଯୋଗଦାନ ଓଡ଼ିଶାରେ ସ୍ଥାୟୀ ସହରୀ ଗତିଶୀଳତାର ଲକ୍ଷ୍ୟ ହାସଲ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ୧୦୦ ବସ୍‌ଗୁଡ଼ିକ ୧୦ ବର୍ଷ ପାଇଁ ପ୍ରାୟ ୫୦୦ କୋଟି ଟଙ୍କାର ଅପରେସନାଲ ବଜେଟ୍ ସହିତ ବିଦ୍ୟମାନ ରୁଟ୍‌ଗୁଡ଼ିକରେ ସେବାର ଫ୍ରିକ୍ୱେନ୍ସି ବୃଦ୍ଧି କରିବା ସହ ୮ଟି ନୂଆ ରୁଟ୍‌ରେ ନେଟୱାର୍କ କଭରେଜ୍ ବୃଦ୍ଧି କରିବ।

ଏହି ବସ୍‌ଗୁଡ଼ିକ ନରାଜ ଇଲେକ୍ଟ୍ରିକ୍ ବସ୍ ଡିପୋରୁ ପରିଚାଳିତ ହେବ, ଯାହା ୮.୦୧ ଏକର ଜମିରେ ୫୦.୧୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏକ ଅତ୍ୟାଧୁନିକ ଇ-ବସ୍ ଡିପୋ। ଏହି ଗ୍ରୀନ୍ ଡିପୋରେ ୨୦୦ ଇଲେକ୍ଟ୍ରିକ୍ ବସ୍ ପାଇଁ ଚାର୍ଜିଂ ଷ୍ଟେସନ, ରକ୍ଷଣାବେକ୍ଷଣ ବେ, ବସ୍ ୱାଶିଂ ସୁବିଧା ଓ ନିର୍ଦ୍ଦିଷ୍ଟ ପାର୍କିଂ କ୍ଷେତ୍ର ରହିଛି, ଯାହା ଏହାକୁ ଅତ୍ୟାଧୁନିକ ଇଲେକ୍ଟ୍ରିକ୍ ବସ୍ ଡିପୋ ମଧ୍ୟରୁ ଗୋଟିଏ କରିଛି।

ଏହି ପଦକ୍ଷେପ ଭୁବନେଶ୍ୱର, କଟକ ଓ ପୁରୀ ଅଞ୍ଚଳରେ ସାର୍ବଜନୀନ ପରିବହନକୁ ଅଧିକ ସୁଗମ ଓ ପରିବେଶ ଅନୁକୂଳ କରିବ। ଏହା ଓଡ଼ିଶାର ସହରୀ ଗତିଶୀଳତାକୁ ନୂଆ ଉଚ୍ଚତା ଦେବ ବୋଲି ଆଶା କରାଯାଉଛି।