Ahmedabad Plane Crash: ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର 90 ସେକେଣ୍ଡରେ ବନ୍ଦ ହୋଇଯାଇଥିଲା ଉଭୟ ଇଞ୍ଜିନ

ଆସିଲା ଅହମ୍ମଦାବାଦ ବିମାନ ଦୁର୍ଘଟଣାର ପ୍ରାଥମିକ ତଦନ୍ତ ରିପୋର୍ଟ । ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (AAIB) ପକ୍ଷରୁ ବଡ଼ ଖୁଲାସା ।

ଅହମଦାବାଦ: ଆସିଲା ଅହମ୍ମଦାବାଦ ବିମାନ ଦୁର୍ଘଟଣାର ପ୍ରାଥମିକ ତଦନ୍ତ ରିପୋର୍ଟ । ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (AAIB) ପକ୍ଷରୁ ବଡ଼ ଖୁଲାସା । ଅପ୍ରତ୍ୟାସିତ ଭାବରେ ଦୁଇଟି ଇଞ୍ଜିନ ହଠାତ୍ କାମ କଲାନି । ଏକ ସେକେଣ୍ଡରେ ଇଞ୍ଜିନକୁ ଇନ୍ଧନ ଯୋଗାଣ ବନ୍ଦ ହୋଇଗଲା । ଇଞ୍ଜିନ ଫେଲ ହେବାରୁ ଦ୍ବନ୍ଦରେ ପଡ଼ିଯାଇଥିଲେ ପାଇଲଟ । ଜଣେ ଆଉ ଜଣକୁ ଇଞ୍ଜିନ ବନ୍ଦ ନେଇ ପଚାରିଥିଲେ । ଉଡ଼ାଣର 90 ସେକଣ୍ଡରେ ମଧ୍ୟରେ ବନ୍ଦ ହୋଇଯାଇଥିଲା ବିମାନ ।  AAIB ପକ୍ଷରୁ 15 ପୃଷ୍ଠାର ପ୍ରାଥମିକ ତଦନ୍ତ ରିପୋର୍ଟ ଜାରି ହୋଇଛି ।

ପ୍ରକାଶଥାଉକି, ଅହମଦାବାଦରେ ଜୁନ୍ ୧୨ ତାରିଖରେ ଏୟାର ଇଣ୍ଡିଆର ବୋଇଙ୍ଗ୍ ୭୮୭-୮ ବିମାନ ଭୟାବହ ଦର୍ଘଟଣାର ଶିକାର ହୋଇଥିଲା । ଏନେଇ ଆଜି ଭାରତର ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (AAIB) ଏ ବାବଦ  ପ୍ରାଥମିକ ତଦନ୍ତ ରିପୋର୍ଟ ଜାରି କରିଛି।

AAIB ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ବିମାନର ଦୁଇଟି ଯାକ ଇଞ୍ଜିନ ହଠାତ୍‌ କାମ କରିବା ବନ୍ଦ କରିଦେଇଥିଲା। ବିମାନଟି ଉଡ଼ାଣ ଭରିବାର ମାତ୍ର 90 ସେକେଣ୍ଡ ମଧ୍ୟରେ ଏଭଳି ସ୍ଥିତି ଉପୁଜିଥିଲା ଏବଂ ଉଭୟ ଇଞ୍ଜିନ ଅଚାନକ ଅଚଳ ହୋଇଗଲା ବୋଲି ରିପୋର୍ଟରେ ଦର୍ଶାଯାଇଛି।  ଇଞ୍ଜିନ-୧ ଓ ଇଞ୍ଜିନ୍-୨ର ଇନ୍ଧନ କଟ୍‌ଅଫ୍ ସୁଇଚ୍ ‘ରନ୍’ରୁ ‘କଟ୍ ଅଫ୍’ ସ୍ଥିତିକୁ ଯିବା  ପୂର୍ବରୁ ବିମାନଟି ଏୟାରସ୍ପିଡ୍‌ର ସର୍ବାଧିକ ବେଗ ୦୮:୦୮:୪୨ ୟୁଟିସିରେ ପହଞ୍ଚିଥିଲା।  ଉଡ଼ାଣ ସମୟରେ ହିଁ ଉଭୟ ଇଞ୍ଜିନ ବନ୍ଦ ହୋଇଯିବାରୁ ଏହା ଖସିବା ଆରମ୍ଭ କରିଥିଲା।

ରିପୋର୍ଟରେ ଏହା ମଧ୍ୟ ଜଣାପଡ଼ିଛି ଯେ, ଉଭୟ ଇଞ୍ଜିନର ଇନ୍ଧନ କଟଅଫ୍ ସୁଇଚ୍ ଗୋଟିଏ ପରେ ଗୋଟିଏ କଟ୍ ଅଫ୍ ସ୍ଥିତିକୁ ପରିବର୍ତ୍ତିତ ହେବାମାତ୍ରେ ପାଇଲଟ ଜରୁରୀ ବାର୍ତ୍ତା ପଠାଇଥିଲେ। ମାତ୍ର ସେତେବେଳକୁ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା।
କକପିଟ୍ ଭଏସ୍ ରେକର୍ଡିଂରେ ଜଣେ ପାଇଲଟ୍ ଅନ୍ୟ ଜଣଙ୍କୁ ଇଞ୍ଜିନ୍ କାହିଁକି ଅଚଳ ହୋଇଯାଉଛି ବୋଲି ପଚାରିଥିବା  ଶୁଣିବାକୁ ମିଳିଥିଲା । ଯାହାର ଉତ୍ତରରେ ଦ୍ୱିତୀୟ ପାଇଲଟ୍ କହିଥିଲେ ଯେ ଏଭଳି କାହିଁକି ହେଉଛି, ସେ ଜାଣିପାରୁ ନାହାନ୍ତି । ଏଭଳି ସ୍ଥିତିକୁ ଆସିବା ପାଇଁ ସେ କିଛି କରିନାହାନ୍ତି।

ରିପୋର୍ଟରେ ସ୍ୱୀକାର କରାଯାଇଛି ଯେ ବିମାନର ପ୍ରାରମ୍ଭିକ ଉଡ଼ାଣ ସମୟରେ ‘ରାମ୍‌ ଏୟାର ଟର୍ବାଇନ୍ (ଆରଏଟି) ମୁତୟନ ହୋଇଥିଲା। ବିମାନବନ୍ଦର ପରିସରର ପାଚେରି ଅତିକ୍ରମ କରିବା ପୂର୍ବରୁ ହିଁ ବିମାନଟି ଉଚ୍ଚତା ହରାଇବା ଆରମ୍ଭ କରିଥିଲା। ଉଡ଼ାଣ ପଥ ନିକଟରେ କୌଣସି ବିଶେଷ ପକ୍ଷୀ ଗତିବିଧି ଦେଖିବାକୁ ମିଳିନଥିବା ବେଳେ ଏହି ପର୍ଯ୍ୟାୟରେ ପକ୍ଷୀ ଧକ୍କା ହେବାର ସମ୍ଭାବ୍ୟ କାରଣ ନାହିଁ ବୋଲି ତଦନ୍ତ ରିପୋର୍ଟରେ ଦର୍ଶାଯାଇଛି।  ଆଗକୁ ଏ ବାବଦରେ ବିସ୍ତୃତ ତଦନ୍ତ ରିପୋର୍ଟ ଜାରି ହେବ ।