ଘଟିଲା ଅପେକ୍ଷାର ଅନ୍ତ ! ମଣିପୁରରେ ମୋଦୀ କରିବେ ବଡ଼ ଘୋଷଣା …
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ମଣିପୁର ଗସ୍ତରେ ଯିବେ । ଆସନ୍ତୁ ଜାଣିବା ମୋଦୀଙ୍କ ଗସ୍ତ କାହିଁକି ହେଉଛି ....
ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ମଣିପୁର ଗସ୍ତରେ ଯିବେ । ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଶୁକ୍ରବାର ରାଜ୍ୟ ରାଜଧାନୀ ଇମ୍ଫାଲରେ ପୋଷ୍ଟର ଏବଂ ବ୍ୟାନର ଲଗାଯାଇଥିଲା। ଅଧିକାରୀମାନେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶନିବାର ରାଜ୍ୟ ଗସ୍ତ କରିବେ ଏବଂ ୮ହଜାର କୋଟି ଟଙ୍କାରୁ ଅଧିକ ବିକାଶ ପ୍ରକଳ୍ପ ଲୋକାର୍ପଣ କରିବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତ ମଣିପୁରରେ ଜାତିଗତ ହିଂସା ଦେଖାଦେବାର ଦୁଇ ବର୍ଷ ପରେ ହେଉଛି।
ସୂଚନାମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୧୩ରେ ମଣିପୁର ଗସ୍ତ କରିବେ। ରାଜ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଅଶାନ୍ତି ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ପ୍ରଧାନମନ୍ତ୍ରୀ ମୋଦି ମଣିପୁରର ଚୁରାଚାନ୍ଦପୁରରେ ତାଙ୍କର ଗସ୍ତ ଆରମ୍ଭ କରିବେ। ଏହା ପରେ ସେ ଇମ୍ଫାଲର କାଙ୍ଗଲା ଯିବେ।
ମୁଖ୍ୟ ସଚିବ ଡକ୍ଟର ପୁନିତ କୁମାର ଗୋୟଲ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରଦାନ କରିଥିଲେ। ସେ କହିଥିଲେ, ‘ପ୍ରଧାନମନ୍ତ୍ରୀ ମୋଦୀ ଚୁରାଚାନ୍ଦପୁରରେ ଗସ୍ତ ଆରମ୍ଭ କରିବେ। ଏଠାରେ ସେ ସାମ୍ପ୍ରତିକ ଅଶାନ୍ତି ଯୋଗୁଁ ବିସ୍ଥାପିତ ଲୋକଙ୍କୁ ଭେଟିବେ। ଏହା ପରେ, ସେ ପ୍ରମୁଖ ରିଲିଫ୍ ଏବଂ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିବେ।’
ବଡ଼ ଘୋଷଣା କରିପାରନ୍ତି ମୋଦୀ:ଆପଣଙ୍କୁ କହି ରଖୁଛୁ ଯେ ପ୍ରଧାନମନ୍ତ୍ରୀ ମୋଦି ଦିନ ପ୍ରାୟ ୧୨:୧୫ ରେ ଚୁରାଚାନ୍ଦପୁରରେ ପହଞ୍ଚିବେ। ସେ ଅଶାନ୍ତି ଯୋଗୁଁ ପ୍ରଭାବିତ ଏବଂ ବିସ୍ଥାପିତ ଲୋକଙ୍କ ସହିତ ଆଲୋଚନା କରିବେ। ଏହା ପରେ, ସେ ରାଜ୍ୟବ୍ୟାପୀ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିବେ। ପ୍ରଧାନମନ୍ତ୍ରୀ ମୋଦୀ ଶାନ୍ତି ଭୂମିରେ ଏକ ସାଧାରଣ ସଭାକୁ ମଧ୍ୟ ସମ୍ବୋଧିତ କରିବେ।
ସେ ଅପରାହ୍ନ ପ୍ରାୟ ୨:୩୦ ରେ କାଙ୍ଗଲା ଅଭିମୁଖେ ଯାତ୍ରା କରିବେ। ଏଠାରେ ମଧ୍ୟ ସେ ଉପତ୍ୟକାର ବିସ୍ଥାପିତ ପରିବାରଙ୍କୁ ଭେଟିବେ। କାଙ୍ଗଲାରୁ ଅନେକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ଏଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ସମୟରେ, ମଣିପୁରକୁ ୧୩୦୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଏବଂ ୧୨୦୦ କୋଟି ଟଙ୍କାର ସମାପ୍ତ କାର୍ଯ୍ୟର ଉଦଘାଟନ କରିବାର ଉପହାର ମିଳିବାକୁ ଯାଉଛି ।