fbpx

କୋଭିଡ୍ ଡ୍ୟୁଟିରେ ଯାଉଥିବା ସରକାରୀ ବସ୍ ଓଲଟିଲା: ୭ ଡାକ୍ତରୀ ଛାତ୍ରଛାତ୍ରୀ ଆହତ, ଡ୍ରାଇଭର ଗୁରୁତର

ଦଶପଲ୍ଲା, ୮ା୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ସତେଯେମିତି କାଳଭାବେ ଉଭା ହୋଇଛି । ଯୁଆଡ଼େ ଗଲେ କେବଳ କରୋନାର ତାଣ୍ଡବ । ଗୋଟିଏ ପଟେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି । ଅନ୍ୟ ପଟେ କୋଭିଡ୍ ଡ୍ୟୁଟି ପାଇଁ ଯାଉଥିବା ଏକ ଡାକ୍ତରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ହେବା ସହ ୭ ଜଣ ଏସସିବି ଡାକ୍ତରୀ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । କଟକରୁ ବଲାଙ୍ଗିର ଯାଉଥିବା ଏକ ଓଏସଆରଟିସି ବସ୍ ଦଶପଲ୍ଲାର ବାଣୀଗୋଚ୍ଛା ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି ।

ସୂଚନା ଅନୁଯାୟୀ, ଏହି ସରକାରୀ ବସଟି କୋଭିଡ୍ ଡ୍ୟୁଟି ପାଇଁ ୨୦ ଜଣ ଡାକ୍ତରଙ୍କୁ ନେଇ କଟକରୁ ବଲାଙ୍ଗିର ଯାଉଥିଲା । ବିଳମ୍ବିତ ରାତ୍ରିରେ ୫୭ ନମ୍ବର ଜାତୀୟ ରାଜପଥର ଦୁର୍ଗାପ୍ରସାଦ ନିକଟରେ ବସଟି ଏକ ଗଛ ସହ ଧକ୍କା ହୋଇ ଓଲଟି ପଡ଼ିଥିଲା । ଖବର ପାଇ ତହସିଲଦାର, ମଧ୍ୟଖଣ୍ଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ, ଥାନାଧିକାରୀ, ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେମାନେ ଆହତଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ସମସ୍ତ ଡାକ୍ତରଙ୍କୁ ଏକ ସ୍ୱତନ୍ତ୍ର ଗାଡ଼ି ଯୋଗେ ପଠାଯିବା ନିମନ୍ତେ ବ୍ୟବସ୍ଥା କରାଯାଉଥିବା ଜଣାପଡ଼ିଛି ।

Get real time updates directly on you device, subscribe now.