ପିପିଇ କିଟ୍ ପିନ୍ଧି କୋଭିଡ୍ ହସ୍ପିଟାଲରେ ହଠାତ୍ ପହଞ୍ଚିଗଲେ ମୁଖ୍ୟମନ୍ତ୍ରୀ, କରୋନା ଯୋଦ୍ଧା ଓ ରୋଗୀଙ୍କ ବଢ଼ାଇଲେ ମନୋବଳ

ଭୁବନେଶ୍ଵର(ଓଡ଼ିଶା ଭାସ୍କର): କରୋନା ମହାମାରୀ ଦ୍ବିତୀୟ ଲହରର ପ୍ରକୋପରେ ସମଗ୍ର ଦେଶରେ ହାହାକାର ସ୍ଥିତି ଉପୁଜିଛି। ଯଦିଓ ସଂକ୍ରମଣ ହାର ସାମାନ୍ୟ ହ୍ରାସ ପାଇଛି ତଥାପି ଅନେକ ରାଜ୍ୟରେ ଚିନ୍ତାଜନକ ସ୍ଥିତିରେ ରହିଛି। ଏହି ପରି ସଙ୍କଟ ପରିସ୍ଥିତିରେ କରୋନା ପୀଡିତଙ୍କୁ ବଞ୍ଚାଇବା ପାଇଁ ସମ୍ମୁଖ ଯୋଦ୍ଧା ତିଥା ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀମାନେ କଠିନ ପରିଶ୍ରମ କରୁଛନ୍ତି। ଏହି କଠିନ ପରିସ୍ଥିତି ମଧ୍ୟରେ ରୋଗୀ, ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କ  ମନୋବଳ ବଢ଼ାଇବା ପାଇଁ ତାମିଲନାଡୁର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଅଭିନବ ଉପାୟ ଆପଣାଇଛନ୍ତି। ସେ ହଠାତ୍ ପିପିଇ କିଟ୍ ପିନ୍ଧି କୋଭିଡ୍ ହସ୍ପିଟାଲ୍‌ରେ ପ୍ରବେଶ କରିବା ସହ ପରିଦର୍ଶନ କରିଛନ୍ତି। ଏଥିସହିତ କରୋନା ଯୋଦ୍ଧାଙ୍କ ମନୋବଳ ବଢ଼ାଇଛନ୍ତି।

ସୂଚନା ଯୋଗ୍ୟ ଯେ, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ କୋଏମ୍ବାଟୁରର ସରକାରୀ ମେଡିକାଲ କଲେଜ ଏବଂ ଇଏସଆଇ ହସ୍ପିଟାଲ ପରିଦର୍ଶନ କରିଥିଲେ। ସରକାରଙ୍କ କଟକଣା ସର୍ତ୍ତେ କୋଭିଡ୍ ହସ୍ପିଟାଲ୍‌ରେ ପିପିଏ କିଟ୍ ପିନ୍ଧି ୱାର୍ଡରେ ପ୍ରବେଶ କରିଥିଲେ। ସେହି ସମୟରେ କରୋନାରେ ପୀଡିତ ରୋଗୀମାନେ ବେଡ୍‌ରେ ଶୋଇଥିଲେ। ଚିକିତ୍ସାରେ ବ୍ୟସ୍ତ ଥିବା ଡାକ୍ତରଙ୍କ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପର୍ଯ୍ୟନ୍ତ  ହଠାତ୍ ପିପିଏ କିଟ୍ ପିନ୍ଧି ଥିବା ମୁଖ୍ୟମନ୍ତ୍ରୀଙ୍କୁ ଦେଖି ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଗଲେ। ପରେ କିନ୍ତୁ ଷ୍ଟାଲିନଙ୍କ ଗସ୍ତ ବହୁତ ସୁଚାର ରୂପେ ହୋଇଥିଲା। ଏହି ସମୟ ମଧ୍ୟରେ କରୋନା ସଂକ୍ରମିତ ରୋଗୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସହ କଥା ହେବା ସହ ସେମାନଙ୍କର ମନୋବଳ ବୃଦ୍ଧି କରିଥିଲେ। ଷ୍ଟାଲିନ ହସ୍ପିଟାଲ ପରିଦର୍ଶନର ସମୟର ଦୃଶ୍ୟ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହା ଦେଖି ଅନେକ ଲୋକ  ତାଙ୍କ କାର୍ଯ୍ୟକୁ ପ୍ରଂଶସା କରିଥିଲେ।

 

ଟ୍ୱିଟ୍‌ରରେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଲେଖିଛନ୍ତି ଯେ ‘’ ମୋତେ କୋଭିଡ ହସ୍ପିଟାଲ ପରିଦର୍ଶନ କରିବାକୁ ବାରଣ କରାଯାଇଥିଲା। ତଥାପି, ମୁଁ ଡାକ୍ତରଖାନାର କୋଭିଡ୍ ୱାର୍ଡକୁ ପ୍ରବେଶ କରିବା ସହ ବୁଲି ଦେଖିଥିଲି। ଯେଉଁମାନେ ଏହି ଯୁଦ୍ଧ ପାଇଁ ନିଜ ଜୀବନକୁ ବିପଦରେ ପକାଇ ଥିଲେ ସେମାନଙ୍କୁ ସାହସ ଦେବା ପାଇଁ ମୁଁ ସେଠାକୁ ଯାଇଥିଲି । ଏହା କେବଳ ଔଷଧ ନୁହେଁ ଯାହା ସବୁବେଳେ କାମ କରିବ, ମନୋବଳ ବୃଦ୍ଧି କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ମୁଁ ସେମାନଙ୍କୁ ଜଣାଇବାକୁ ଯାଇଥିଲି  ଯେ ରାଜ୍ୟ ସରକାର ସେମାନଙ୍କ ସହିତ  ଅଛନ୍ତି।