fbpx

UAEରେ ମିଳିଥିଲା ମୃତ୍ୟୁ ଦଣ୍ଡ, କୋଟିଏ ଟଙ୍କା ଦେଇ ଜୀବନ ବଞ୍ଚାଇଲେ NRI, ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ: ଦୁବାଇରେ ଫସିଥିଲେ ଭାରତୀୟ ଯୁବକ । ଏକ ଦୁର୍ଘଟଣା ଘଟାଇ ଜୀବନ ଚାଲିଯିବା ମାମଲାରେ ସେଠାରେ ତାଙ୍କୁ ମିଳିଥିଲା ମୃତ୍ୟୁଦଣ୍ଡ । ତେବେ ଏତେବଡ଼ ଦଣ୍ଡାଦେଶରୁ ତାଙ୍କୁ ଜଣେ ପ୍ରବାସୀ ଭାରତୀୟ ମୁକୁଳାଇବାକୁ ସକ୍ଷମ ହୋଇଛନ୍ତି । ଫଳରେ ଦୀର୍ଘଦିନର ପ୍ରତୀକ୍ଷା ପରେ ଦଣ୍ଡାଦେଶରୁ ମୁକ୍ତି ପାଇଁ ଭାରତ ଫେରିଛନ୍ତି ସମ୍ପୃକ୍ତ ୪୫ ବର୍ଷୀୟ ବ୍ୟକ୍ତି । ଆଉ କହିଛନ୍ତି ଯେ ତାଙ୍କୁ ଦ୍ୱିତୀୟ ଜୀବନ ମିଳିଛି ଏବଂ ଏଥିପାଇଁ ସେ ତାଙ୍କୁ ମୁକୁଳାଇଥିବା ବ୍ୟକ୍ତିଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି ।

ସୂଚନା ଅନୁସାରେ, ୨୦୧୨ ମସିହାରେ ୟୁଏଇରେ ଏକ ସଡ଼କ ଦୁର୍ଘଟଣାରେ ସୁଦାନର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା । ଏଥିପାଇଁ ତ୍ରିଶୂରର ମୂଳବାସିନ୍ଦା କୃଷ୍ଣନଙ୍କୁ ସେଠାରେ କୋର୍ଟ ହତ୍ୟା ଅଭିଯୁକ୍ତ ଦର୍ଶାଇ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ । ତେବେ ବିଶିଷ୍ଟ ବ୍ୟବସାୟୀ ଏମଏ ୟୁସୁଫ ଅଲି ଘଟଣାରେ ହସ୍ତକ୍ଷେପ କରିଥିଲେ । କୃଷ୍ଣନଙ୍କୁ ମୁକୁଳାଇବା ପାଇଁ ସେ ପ୍ରାୟ କୋଟିଏ ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି । ଚେଷ୍ଟା ସଫଳ ହୋଇଥିଲା କୃଷ୍ଣନଙ୍କୁ ଜାମିନ ମଞ୍ଜୁର କରାଯାଇଥିଲା । ଆବୁଧାବିରୁ ଭାରତ ପହଞ୍ôଚବାବେଳେ ବିମାନବନ୍ଦରରେ କୃଷ୍ଣନଙ୍କ ପତ୍ନୀ ଭେନା, ପୁଅ ଆଡଭାଇଥ ଓ ସମ୍ପର୍କୀୟମାନେ ଅପେକ୍ଷା କରିଥିଲେ ।

କୃଷ୍ଣନ କହିଛନ୍ତି ଯେ ୟୁସୁଫଙ୍କ ନିକଟରେ ମୁଁ ଚିର କୃତଜ୍ଞ । ତାଙ୍କ ପାଇଁ ମୁଁ ପାଇଛି ଦ୍ୱିତୀୟ ଜୀବନ । ସେ ମୃତକଙ୍କ ପରିବାର ସହ କିଛି ମାସ ଧରି କଥାବାର୍ତ୍ତା କରିବା ସହ ମୋତେ କ୍ଷମା କରିଦେବା ପାଇଁ ବୁଝାଇଥିଲେ । ସେମାନେ ବହୁ କଷ୍ଟରେ ରାଜି ହେବା ପରେ ଗତ ଜାନୁଆରୀରେ ପାଞ୍ଚ ଲକ୍ଷ ଟଙ୍କା ଆବୁଧାବି କୋର୍ଟରେ ଦାଖଲ କରାଯାଇଥିଲା । ପରେ ମିଳିଥିଲା ଜାମିନ୍ । କିନ୍ତୁ ଗାଡ଼ି ଚଳାଇ ଜଣଙ୍କୁ ହତ୍ୟା କରିବା ମାମଲାରେ ୟୁଏଇ ସୁପ୍ରିମକୋର୍ଟ କୃର୍ଷ୍ଣନଙ୍କୁ ମୃତ୍ୟୁ ଦଣ୍ଡ ଶୁଣାଇଥିଲେ । ସେବେଠାରୁ କୃଷ୍ଣନଙ୍କ ପରିବାର ଏବଂ ସାଙ୍ଗମାନେ ତାଙ୍କୁ ମୁକ୍ତ କରିବାକୁ ଚେଷ୍ଟା କରୁଥିଲେ । ତେବେ ସେଥିରେ ସଫଳ ହୋଇପାରୁନଥିଲେ ।

Get real time updates directly on you device, subscribe now.