ଚଣ୍ଡିଗଡ : ଚଳିତ ସପ୍ତାହରେ ଦେଶ ରାଜନୀତିର ଦୃଶ୍ୟପଟ୍ଟରେ ଅନେକ ପରିବର୍ତନ ଦେଖିବାକୁ ମିଳିଲାଣି । କେଉଁ ଦଳରେ ଆଭ୍ୟନ୍ତରୀଣ କନ୍ଦଳ ତେଜୁଛି ତ ଆଉ କେଉଁ ଦଳରେ ନେତାଙ୍କ ଆଗମନ ଘଟୁଛି । ପଶ୍ଚିମବଙ୍ଗ ଓ ଉତର ପ୍ରଦେଶରେ ରାଜନୈତିକ ହଟଚମଟ ପରେ ପଞ୍ଜାବରେ ଏବେ ରାଜନୀତି ଚଳଚଂଚଳ ହୋଇ ଉଠିଛି । ଆଗାମୀ ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏବେଠୁ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତିରେ ଜୁଟି ଗଲେଣି। ଏହି କ୍ରମରେ ରାଜ୍ୟରେ ଏବେ ନୂତନ ରାଜନୈତିକ ସମୀକରଣ ଦେଖିବାକୁ ମିଳିଛି । ୨୦୨୨ରେ ହେବାକୁଥିବା ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ସୁଖବୀର ସିଂହ ବାଦଲଙ୍କ ଶିରୋମଣି ଅକାଳି ଦଳ ଓ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି ମଧ୍ୟରେ ମେଂଟ ଗଠନ ହୋଇଛି । ଗତ ନିର୍ବାଚନରେ ଶିରୋମଣି ଅକାଳି ଓ ବିଜେପି ମେଂଟ ନିର୍ବାଚନ ଲଢିଥିଲେ ।
ମେଂଟ ଘୋଷଣା କରି ଅକାଳି ଦଳର ପ୍ରମୁଖ ସୁଖବୀର ସିଂହ ବାଦଲ କହିଛନ୍ତି, ଶିରୋମଣି ଅକାଳି ଦଳ ଓ ବିଏସପି ମେଂଟ ରାଜ୍ୟରେ ଆଗାମୀ ବିଧାନସଭା ନିର୍ବାଚନ ଲଢିବେ । ଏହାକୁ ନେଇ ଦୁଇ ଦଳ ମଧ୍ୟରେ ଆସନ ବୁଝାମଣ୍ଡା ମଧ୍ୟ ସରିଛି । ପଞ୍ଜାବର ୧୧୭ ଆସନରୁ ବିଏସପି ୨୦ ଏବଂ ଶିରୋମଣି ଅକାଳି ଦଳ ୯୭ ଆସନରେ ନିର୍ବାଚନ ଲଢିବେ । ଏହି ସମୟରେ ବିଏସପିର ରାଜ୍ୟସଭା ସାଂସଦ ସତୀଶଚନ୍ଦ୍ର ମିଶ୍ର ଉପସ୍ଥିତ ଥିଲେ ।
ସାମ୍ବାଦିକ ସମ୍ମିଳନୀରେ ମେଂଟ ଘୋଷଣା କରି ସୁଖବୀର ସିଂହ ବାଦଲ ପଞ୍ଜାବ ରାଜନୀତି ପାଇଁ ଆଜିର ଦିନକୁ ଏକ ନୂତନ ଦିନ ବୋଲି କହିଛନ୍ତି । ଏପରିକି ସେ ଏହାକୁ ଐତିହାସିକ ଦିନ ବୋଲି କହିଛନ୍ତି । ଶିରୋମଣି ଓ ବିଏସପି ମେଂଟ ସହ ରାଜ୍ୟ ରାଜନୀତିରେ ନୂତନ ସମୀକରଣ ସୃଷ୍ଟି ହୋଇଛି । ଏବେ ମଇଦାନରେ ବିଜେପି, କଂଗ୍ରେସ, ଆପ୍ ଏବଂ ଶିରୋମଣି ଅକାଳି ଦଳ-ବିଏସପି ମେଂଟ ଓହ୍ଲାଇବାକୁ ଅଂଟା ଭିଡିଛନ୍ତି ।
ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଦ୍ୱାରା ପ୍ରଣିତ ତିନି ନୂତନ କୃଷି ଆଇନକୁ ବିରୋଧ କରି ଗତ ବର୍ଷ ଶିରୋମଣି ଅକାଳି ଦଳ ଏନଡିଏରୁ ଓହରି ଯାଇଥିଲା । ଗତ ନିର୍ବାଚନରେ ଶିରୋମଣି ସହ ମେଂଟ ଆଧାରରେ ବିଜେପି ୨୩ ଆସନରେ ନିର୍ବାଚନ ଲଢିଥିଲା । କିନ୍ତୁ ବିଜେପିଠୁ ଅଲଗା ହେବା ପରେ ପଞ୍ଜାବ ରାଜନୀତି ଦୃଶ୍ୟପଟରେ ପରିବର୍ତନ ଆସିଛି ।