‘ପୁଅର ମୁଣ୍ଡ ଛୁଇଁ ରାଣ ଖାଇ କୁହ ବିଜେପିକୁ ଭୋଟ୍ ଦେଇଥିଲି, ତୁରନ୍ତ ବିଜୁଳି ସଂଯୋଗ କରି ଦେବି’, ବିଧାୟକଙ୍କ ଭିଡିଓ ଭାଇରାଲ

ଭୁବନେଶ୍ଵର :  ପୁଅର ରାଣ ଖାଇ କୁହ, ବିଜେପିକୁ ଭୋଟ୍ ଦେଇଥିଲ। ଏବେ ବିଜୁଳି ସଂଯୋଗ କରି ଦେବି। କିନ୍ତୁ ତୁମେମାନେ ତ ବିଜେପିକୁ ଭୋଟ୍ ଦେଇନ। ଏଥିପାଇଁ ତୁମକୁ  ବିଜୁଳି ମିଳିବ ନାହିଁ।  ଗାଁ ଲୋକଙ୍କୁ ଏମିତି କହିଛନ୍ତି ବିଜେପି ବିଧାୟକ। ଆଉ ବିଧାୟକଙ୍କ ଏମିତି ଅଶୋଭନୀୟ ବ୍ୟବହାରର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ଏହି ଘଟଣା ଉତ୍ତର ପ୍ରଦେଶ ଶାହାଜହାନପୁର ଜିଲ୍ଲା କଟରା ନିର୍ବାଚନୀ ମଣ୍ଡଳୀର।

ସୂଚନା ଅନୁଯାୟୀ, ବିଜେପି ବିଧାୟକ ବୀର ବିକ୍ରମ ସିଂହ ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପ୍ରିନ୍ସ ନଗଲା ଇବ୍ରାହିମ ଗାଁରେ ବୃକ୍ଷରୋପଣ ସମାରୋହରେ ଯୋଗ ଦେଇଥିଲେ। ଏହି ସମୟରେ ଗାଁର ଜଣେ ଲୋକ ବିଧାୟକଙ୍କଠାରେ ବିଜୁଳି ସଂଯୋଗ ଦାବି କରିଥିଲେ। ଏହା  ଉପରେ ବିଧାୟକ  ବୀର ବିକ୍ରମ ସିଂହ ଗାଁ ଲୋକଙ୍କୁ କହିଥିଲେ ଯେ, ତୁମେ ଆମକୁ ଭୋଟ୍ ଦେଇନ, ଏଥିପାଇଁ ତୁମକୁ ବିଜୁଳି ମିଳିବ ନାହିଁ। ତୁମ ଗାଁରୁ ଆମକୁ ଭୋଟ୍ ମିଳିନାହିଁ। ତେଣୁ ମୋଠୁ କୌଣସି କାମର ଆଶା ରଖ ନାହିଁ। ଏଥିସହ ବିଧାୟକ ଗାଁ ଲୋକଙ୍କୁ କହୁଛନ୍ତି ଯେ, ଆପଣମାନେ ନିଜ ପୁଅଙ୍କ ମୁଣ୍ଡରେ ହାତ ରଖି କୁହନ୍ତୁ ଯେ, ଆମେ ବିଜେପିକୁ ଭୋଟ୍ ଦେଇଛୁ। ମୁଁ ତୁରନ୍ତ ଆପଣଙ୍କ ଗାଁରେ ବିଜୁଳି ସଂଯୋଗ ବ୍ୟବସ୍ଥା କରି ଦେବି। ଏହା ପରେ ଗାଁ ଲୋକ ବିଧାୟକଙ୍କୁ କହୁଛନ୍ତି ଯେ, ଆମେ ତ ଆପଣଙ୍କୁ କେବଳ ଅନୁରୋଧ କରୁଛୁ।  ବିଧାୟକଙ୍କ ଏହି ଭିଡିଓ ଭାଇରାଲ୍ ହେବାରେ ଲାଗିଛି।