fbpx

ବ୍ୟାନ୍ ହେଲା ମାଷ୍ଟର କାର୍ଡ; ଜାଣନ୍ତୁ କାହିଁକି ଏମିତି ପଦକ୍ଷେପ ନେଲା ଆରବିଆଇ

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ମାଷ୍ଟର କାର୍ଡକୁ ବ୍ୟାନ୍ କରାଯାଇଛି । କୌଣସି ପ୍ରକାରର ନୂତନ ଡେବିଟ୍ ଓ କ୍ରେଡିଟ୍ କାର୍ଡ ଜାରି କରିବା ପାଇଁ ମାଷ୍ଟରକାର୍ଡ ଆଇଏନସି ଉପରେ କଟକଣା ଲଗାଇଛି ଆରବିଆଇ । ଆରବିଆଇର ଡାଟା ସଂରକ୍ଷଣ ନିୟମ ପାଳନ କରିନଥିବାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମାଷ୍ଟର କାର୍ଡକୁ ବ୍ୟାନ କରାଯାଇଥିବା ନେଇ ସୂଚନା ମିଳିଛି । ବୁଧବାର ଠାରୁ ବ୍ୟାନ କରାଯାଇଥିଲେ ହେଁ ଆସନ୍ତା ୨୨ ତାରିଖରୁ ଏହାକୁ ଲାଗୁ କରାଯିବ ।

ବିଦେଶୀ କମ୍ପାନୀ ହିସାବରେ ମାଷ୍ଟରକାର୍ଡ ଆଇଏନସି ଏହାର ଡାଟା ସଂରକ୍ଷଣ ତଥ୍ୟ ପ୍ରଦାନ କରିବା ଉଚିତ । ତେବେ କମ୍ପାନୀ ୨୦୧୮ ପରଠାରୁ ଏହି ନିୟମ ଉଲ୍ଲଂଘନ କରୁଥିବାରୁ ଏପରି ପଦକ୍ଷେପ ଗ୍ରହଣ କରିଛି ଆରବିଆଇ । ତେବେ କେବଳ ଭାରତରେ ମାଷ୍ଟର କାର୍ଡ ଜାରି ଉପରେ ଏହି କଟକଣା ଲାଗୁ କରାଯାଇଛି । ଏହି ନିଷ୍ପତ୍ତି ପରେ ଅସନ୍ତୋଷ ପ୍ରକାଶ କରିଛି ମାଷ୍ଟର କାର୍ଡ ଆଇଏନସି । କମ୍ପାନୀ ପକ୍ଷରୁ ଡାଟା ପଲିସିକୁ ନେଇ ସହଯୋଗ କରାଯାଉଥିବା ବେଳେ ଏପରି ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ତେବେ କମ୍ପାନୀ ଆରବିଆଇ ସହିତ ଏହାର ସହଭାଗିତା ବଜାୟ ରଖିବ ବୋଲି ଏକ ବୟାନରେ କୁହାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଆମେରିକୀୟ କମ୍ପାନୀ ଭିସା ଓ ମାଷ୍ଟର କାର୍ଡ ଏକାଧିକ ଭାରତୀୟ ବ୍ୟାଙ୍କ ସହିତ ଜଡିତ ଅଛନ୍ତି । ଏହା ସହିତ ଆଗାମୀ ୫ ବର୍ଷରେ ଭାରତୀୟ ବଜାରରେ ୧ ବିଲିୟନ ଡଲାର ନିବେଶ ନେଇ ମାଷ୍ଟରକାର୍ଡ ପକ୍ଷରୁ ଘୋଷଣା କରାଯାଇଛି । ଏହା ସହିତ ବର୍ତ୍ତମାନ ମାଷ୍ଟରକାର୍ଡ ବ୍ୟବହାର କରୁଥିବା ଗ୍ରାହକ ମାନେ ପ୍ରଭାବିତ ହେବେ ନାହିଁ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.