ଲର୍ଡ୍ସ ଟେଷ୍ଟ ପୂର୍ବରୁ ଭାରତ ଓ ଇଂଲଣ୍ଡକୁ ଲାଗିଲା ଝଟକା, ଜରିମାନା ସହିତ କଟିଲା WTC ପଏଣ୍ଟ

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଅଗଷ୍ଟ ୧୨ରେ ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଖେଳାଯିବ । ହେଲେ ଏହି ମ୍ୟାଚ୍ ପୂର୍ବରୁ ଉଭୟ ଦଳକୁ ଝଟକା ଲାଗିଛି । ସ୍ଲୋ ଓଭର ରେଟ୍ କାରଣରୁ ଦୁଇ ଦଳର ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ୨୦୨୧-୧୩ର ପଏଣ୍ଟ ତାଲିକାରୁ ଦୁଇ ଦୁଇ ପଏଣ୍ଟ କଟାଯାଇଛି । ଉଭୟ ଦଳ ମଧ୍ୟରେ ସିରିଜର ପ୍ରଥମ ମ୍ୟାଚ୍ ନର୍ଟିଂହାମରେ ଖେଳାଯାଇଥିଲା । ବର୍ଷା ଯୋଗୁଁ ଶେଷ ଦିନର ଖେଳ ବାତିଲ ହେବା ପରେ ମ୍ୟାଚ୍ ଡ୍ର ଘୋଷଣା କରାଯାଇଥିଲା ।

 

ମ୍ୟାଚ୍ ଡ୍ର ହେବା ପରେ ଦୁଇ ଦଳକୁ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ୨୦୨୧-୨୩ ପାଇଁ ଚାରି-ଚାରି ପଏଣ୍ଟ ଦିଆଯାଇଥିଲା । ତେବେ ମ୍ୟାଚ୍ ରେଫରୀ କ୍ରିସ ବ୍ରଡ ଦୁଇ ଦଳକୁ ଧିମା ଓଭରରେ ଦୋଷୀ ପାଇଥିଲେ । ଏହି କାରଣରୁ ଦୁଇ ଦଳର ଖାତାରୁ ପେନାଲଟି ଭାବେ ଦୁଇ ପଏଣ୍ଟ ଲେଖାଏଁ କଟା ଯାଇଛି । ଏବେ ଦୁଇ ଦଳର ଖାତାରେ ଚାରି-ଚାରି ଜାଗାରେ ଦୁଇ-ଦୁଇ ପଏଣ୍ଟ ରହିଛି । ଏହା ବ୍ୟତୀତ ଦୁଇ ଦଳର ଖେଳାଳିଙ୍କୁ ମ୍ୟାଚ୍ ଫିର ୪୦ ପ୍ରତିଶତ ଜରିମାନା ଭରିବାକୁ ପଡିବ ।