ସମ୍ଭାବ୍ୟ ମରୁଡ଼ି ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: କଣ୍ଟିଜେନ୍ସି କ୍ରପ୍ ପ୍ଲାନ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ, ୭ ଦିନରେ ସବୁ ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟରେ ସମ୍ଭାବ୍ୟ ମରୁଡି ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରି ଏହାର ମୁକାବିଲା କରିବାକୁ ନିର୍ଦ୍ଦେଶ ଦେବା ସହିତ ଚାଷୀମାନଙ୍କ ପାଇଁ ଜରୁରୀକାଳୀନ ଫସଲ ଯୋଜନା (କଣ୍ଟିଜେନ୍ସି କ୍ରପ୍ ପ୍ଲାନ୍) କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୨୧୩ଟି ବ୍ଲକ୍ରେ ବର୍ଷାର ଅଭାବ ଦେଖାଦେଇଛି, ଯାହାକି କୃଷି କାର୍ଯ୍ୟକ୍ରମକୁ ପ୍ରଭାବିତ କରିବାର ଆଶଙ୍କା ରହିଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇ ଦୈନିକ ଭିତ୍ତିରେ ପରିସ୍ଥିତି ଉପରେ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଜିଲ୍ଲାପାଳମାନେ କ୍ଷେତ୍ରସ୍ତରରେ ତୁରନ୍ତ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଛନ୍ତି । ଫସଲ ପାଇଁ ଜରୁରୀକାଳୀନ ଯୋଜନା, କେନାଲଗୁଡିକରେ ଜଳପ୍ରବାହ ଏବଂ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି କାର୍ଯ୍ୟକ୍ରମଗୁଡିକ ମଧ୍ୟରେ ଉତ୍ତମ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଚାଷୀମାନଙ୍କ ଫସଲ ନଷ୍ଟ ହେବା କ୍ଷେତ୍ରରେ ଦ୍ୱିତୀୟ ଫସଲ ପାଇଁ ବିହନ ଓ ମିନିକିଟ୍ ଯୋଗାଇ ଦେବା ଏବଂ ଯେଉଁଠାରେ ଫସଲ ଅଛି, ତାକୁ ସୁରକ୍ଷିତ ରଖିବା ପାଇଁ ରିହାତି ଦରରେ ଚାଷୀମାନଙ୍କୁ ଡିଜେଲ ପମ୍ପ୍ସେଟ୍ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଚାଷୀଙ୍କ ସୁବିଧା ପାଇଁ ସମସ୍ତ ଉଠାଜଳସେଚନ ପଏଣ୍ଟଗୁଡ଼ିକୁ ୭ ଦିନ ମଧ୍ୟରେ ମରାମତି ଓ ପୁନରୁଦ୍ଧାର କରି କାର୍ଯ୍ୟକ୍ଷମ କରାଯିବ। ଏଥିସହ ଫସଲ ନଷ୍ଟ କ୍ଷେତ୍ରରେ ୨ୟ ଫସଲ ପାଇଁ ବିହନ ଓ ମିନିକିଟ୍ ଯୋଗାଇବା ଏବଂ ରିହାତି ଦରରେ ଚାଷୀମାନଙ୍କୁ ଡିଜେଲ ପମ୍ଫସେଟ୍ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
— CMO Odisha (@CMO_Odisha) August 31, 2021
ସେହିପରି ଚାଷୀମାନଙ୍କ ଜମିକୁ ଜଳଯୋଗାଣକୁ ସୁରକ୍ଷିତ ରଖିବା ପାଇଁ ଗୋଟିଏ ଜାଗାରେ ଅଧ ଏକରରୁ ଅଧିକ ଥିବା ଚାଷ ଜମି ପାଇଁ ପୋଖରୀ ଖୋଳିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ସମସ୍ତ ଉଠାଜଳସେଚନ ପଏଣ୍ଟଗୁଡିକୁ ୭ ଦିନ ମଧ୍ୟରେ ମରାମତି ଓ ପୁନରୁଦ୍ଧାର କରି କାର୍ଯ୍ୟକ୍ଷମ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଛୋଟ ଓ ନାମମାତ୍ର ଚାଷୀ ଓ କୃଷି ଶ୍ରମିକମାନଙ୍କୁ ଜୀବିକା ସହାୟତା ଦେବା ପାଇଁ ବିଭିନ୍ନ ରୋଜଗାର ସୃଷ୍ଟିକାରୀ ଯୋଜନା ଉପରେ ପ୍ରାଥମିକତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ତଳିଆ ଅଞ୍ଚଳର ଚାଷୀମାନଙ୍କ ପାଇଁ ଜଳଯୋଗାଣ ସୁନିଶ୍ଚିତ କରିବା ଓ ଭୂତଳ ଜଳ ରିଚାର୍ଜିଂ ପାଇଁ ପଦକ୍ଷେପ ନେବାକୁ ଜଳସମ୍ପଦ ବିଭାଗକୁ ପରାମର୍ଶ ଦେଇଛନ୍ତି । ଜନସାଧାରଣ ଓ ପ୍ରାଣୀସମ୍ପଦ ମାନଙ୍କ ପାଇଁ ଯେପରି ପାନୀୟ ଜଳର ଅଭାବ ନ ହୁଏ, ତାହା ସୁନିଶ୍ଚିତ କରିବାକୁ ଜିଲ୍ଲା ଓ ପୌରସଂସ୍ଥା କର୍ଲୃ କ୍ଷମାନେ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଚାଷୀ ଓ ସାଧାରଣ ଜନତାଙ୍କ ଉପରେ ମରୁଡିର ପ୍ରଭାବ କମ୍ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇ କହିଥିଲେ ଯେ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ବୃଷ୍ଟିପାତ ୩୦ ପ୍ରତିଶତ କମ୍ ରହିଛି । ଧାନ ଫସଲ ପାଇଁ ସମସ୍ୟା ଦେଖା ଦେଇଥିଲେ ମଧ୍ୟ ଅଣଧାନ ଫସଲ ପାଇଁ କୌଣସି ସମସ୍ୟା ସୃଷ୍ଟି ହୋଇନାହିଁ । ଏମଜିନରେଗାରେ ଅଧିକ କର୍ମନିଯୁକ୍ତି ସୃଷ୍ଟି ପାଇଁ ପଦକ୍ଷେପ ନିଆଯାଉଛି ବୋଲି ସେ କହିଥିଲେ । ବୈଠକରେ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଜଳସଂପଦ ବିଭାଗ ନିଜସ୍ୱ ବିକଳ୍ପ ଯୋଜନା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନା ରଖିଥିଲେ । କଳାହଣ୍ଡି, ସୁନ୍ଦରଗଡ, ଅନୁଗୁଳ ଓ ରାୟଗଡା ଜିଲ୍ଲାର ଜିଲ୍ଲାପାଳ ମାନେ ଜିଲ୍ଲାର ପରିସ୍ଥିତି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।
ପାଣିପାଗ ବିଭାଗର ଆଂଚଳିକ ନିର୍ଦ୍ଦେଶକ ରାଜ୍ୟରେ ବୃଷ୍ଟିପାତ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ସେପ୍ଟେମ୍ବର ମାସରେ ସ୍ୱଭାବିକ ବୃଷ୍ଟିପାତ ହୋଇ ୨୨୬.୬ ମି.ମି. ବର୍ଷା ହେବାର ସମ୍ଭାବନା ରହିଛି । କାମଧନ୍ଦା ଅଭାବରୁ ବାହାର ରାଜ୍ୟକୁ ଯାଉଥିବା ଲୋକଙ୍କୁ ଯେପରି ରାଜ୍ୟ ମଧ୍ୟରେ କାମ ଯୋଗାଇ ଦିଆଯାଇପାରିବ, ସେ ସମ୍ପର୍କରେ ବୈଠକରେ ଗୁରୁତ୍ୱ ଆରୋପ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ବୈଠକ ପରିଚାଳନା କରିଥିଲେ । ଉନ୍ନୟନ କମିଶନର ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ବୈଠକରେ ଉପସ୍ଥିତ ଥିଲେ ।