fbpx

ଟିମ୍ ଇଣ୍ଡିଆର ଆଉ ଜଣେ ସଦସ୍ୟ କରୋନା ପଜିଟିଭ୍, ଖେଳାଳିଙ୍କ ଅଭ୍ୟାସ୍ ବାତିଲ, ସଙ୍କଟରେ ଅନ୍ତିମ ଟେଷ୍ଟ !

ନୂଆଦିଲ୍ଲୀ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳା ଯିବାକୁ ଥିବା ଅନ୍ତିମ ଟେଷ୍ଟ ଏବେ ବିପଦରେ । ଭାରତୀୟ କ୍ରିକେଟ୍ ଦଳର ଆଉ ଜଣେ ସପୋର୍ଟ ଷ୍ଟାଫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି କାରଣରୁ ଭାରତୀୟ ଦଳକୁ ନିଜର ଅଭ୍ୟାସ୍ ସେସନ ମଧ୍ୟ ରଦ୍ଦ କରିବାକୁ ପଡିଛି । ଭାରତ ଓ ଇଂଲଣ୍ଡ ମଧ୍ୟରେ ଶୁକ୍ରବାରଠୁ ପଞ୍ଚମ ଟେଷ୍ଟ ଖେଳାଯିବ । ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କରୋନା ପଜିଟିଭ୍ ହୋଇଥିବା କୁହାଯାଉଛି । ହେଲେ ଏ ପର୍ଯ୍ୟନ୍ତ ଉକ୍ତ ସପୋର୍ଟ ଷ୍ଟାଫଙ୍କ ନାମ ଜଣା ପଡିନାହିଁ ।

କରୋନା ସଂକ୍ରମଣ ଚିହ୍ନଟ ପରେ ଭାରତୀୟ ଦଳର ସମସ୍ତ ଖେଳାଳିଙ୍କୁ ନିଜ ରୁମରେ ରହିବାକୁ ପରାମର୍ଶ ଦିଆଯାଇଛି । ଏହା ପୂର୍ବରୁ ଚତୁର୍ଥ ଟେଷ୍ଟରେ ସଂକ୍ରମିତ ଚିହ୍ନଟ ପରେ ଦଳର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଆଇସୋଲେସନରେ ଅଛନ୍ତି । ତାଙ୍କ ବ୍ୟତୀତ ଫିଲ୍ଡିଂ କୋଚ୍ ଆର ଶ୍ରୀଧର, ବୋଲିଂ କୋଚ୍ ଭରତ ଅରୁଣ ଏବଂ ଫିଜିଓ ନୀତିନ ପଟେଲ ମଧ୍ୟ ଲଣ୍ଡନରେ ଆଇସୋଲେସନରେ ଅଛନ୍ତି । ସଂପ୍ରତି ଭାରତୀୟ ଦଳ ସହିତ କେବଳ ବ୍ୟାଟିଂ କୋଚ୍ ବିକ୍ରମ ରାଠୋର ଅଛନ୍ତି । ଏହା ପରେ ମଧ୍ୟ ଭାରତୀୟ ଦଳ ଓଭାଲରେ ଖେଳା ଯାଇଥିବା ଚତୁର୍ଥ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ଦମଦାର ବିଜୟ ହାସଲ କରିଥିଲା । ଦଳ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି ।

ଦଳରେ କୋଭିଡ୍-୧୯ କେସ୍ ସାମ୍ନାକୁ ଆସିବା ପରେ ରବି ଶାସ୍ତ୍ରୀଙ୍କ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏଥିରେ ବହୁ ସଂଖ୍ୟାରେ ଲୋକେ ଉପସ୍ଥିତ ଥିଲେ । କୋଚ୍ ଶାସ୍ତ୍ରୀଙ୍କ ସହିତ ଉକ୍ତ କାର୍ଯ୍ୟକ୍ରମରେ ଅଧିନାୟକ ବିରାଟ କୋହଲି ମଧ୍ୟ ଉପସ୍ଥିତ ଥିଲେ । ଏହା ପରେ ବିସିସିଆଇ କଠୋର ଆଭିମୁଖ୍ୟ ଆପଣେଇ ଶାସ୍ତ୍ରୀ ଏବଂ କୋହଲିଙ୍କ ସଫେଇ ମାଗିଛି । ଏବେ ପୁଣି ଦଳରେ କରୋନାର ନୂତନ କେସ୍ ଚିହ୍ନଟ ହେବା ବିସିସିଆଇର ଚିନ୍ତା ବଢାଇ ଦେଇଛି । ଦଳର ଅନେକ ଖେଳାଳିଙ୍କ ପରିବାର ଇଂଲଣ୍ଡରେ ଅଛନ୍ତି ଏବଂ ସେମାନଙ୍କ ସହ ସେମାନଙ୍କର ପିଲା ମଧ୍ୟ ଅଛନ୍ତି ।

 

Get real time updates directly on you device, subscribe now.