fbpx

ମୂର୍ତ୍ତି ଉଚ୍ଚତାକୁ ନେଇ ଭର୍ତ୍ତୁହରିଙ୍କ ବୟାନକୁ ହଜମ କରି ପାରୁନି ବିଜେଡି, ସାଂସଦକୁ ଜବାବ ଦେଲେ ବିଧାୟକ ଦେବାଶିଷ

କଟକ : କରୋନା ମହାମାରୀ ମଧ୍ୟରେ ପାର୍ବଣ ଋତୁ ଆରମ୍ଭ ହୋଇ ଯାଇଛି । ହେଲେ ମହାମାରୀକୁ ଦୃଷ୍ଟିରେ ରଖି ମା ଦୁର୍ଗାଙ୍କ ମୂର୍ତ୍ତି ୪ ଫୁଟରୁ ଅଧିକ ଉଚ୍ଚ ନକରିବା ନେଇ କଟକ ଶାନ୍ତି କମିଟି ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦ ଥମିବା ପରିବର୍ତ୍ତେ ଘନେଇବାରେ ଲାଗିଛି । ପ୍ରଶାସନର ମୂର୍ତ୍ତି ୪ ଫୁଟ୍ ରଖାଯିବା ନିଷ୍ପତ୍ତି ପ୍ରତିବାଦରେ ଆସନ୍ତାକାଲି ୧୨ ଘଣ୍ଟିଆ କଟକ ବନ୍ଦ ଡାକରା ଦିଆଯାଇଛି । ଅନ୍ୟପଟେ ମୂର୍ତ୍ତି ପ୍ରସଙ୍ଗ ନେଇ ରାଜନୀତି ମଧ୍ୟ ଜୋର ଧରିଛି । ବିରୋଧୀ ଦଳ ଶାସକକୁ ସମାଲୋଚନା କରିବା ସ୍ୱାଭାବିକ କଥା କିନ୍ତୁ ଶାସକ ବିଜେଡି ଦଳରେ ନେତାଙ୍କ ମଧ୍ୟରେ ମୂର୍ତ୍ତି ଉଚ୍ଚତାକୁ ନେଇ ମତଭେଦ ଦେଖିବାକୁ ମିଳିଛି । ବିଜେପି ନେତା ସମୀର ଦେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିବା ବେଳେ ସେପଟେ କଟକ ସାଂସଦ ଭର୍ତ୍ତୁହରି ମହତାବ ଏବଂ କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇ ଯାଇଛି । ଭର୍ତ୍ତୁହରିଙ୍କ ମନ୍ତବ୍ୟକୁ ଶାସକ ବିଜେଡି ସହଜେ ହଜମ କରି ପାରିନାହିଁ ।

ସେପଟେ ଦେବୀଙ୍କ ମୃଣ୍ମୟୀ ପ୍ରତିମାର ଉଚ୍ଚତା ୪ ଫୁଟରୁ ଅଧିକ ନହେବା ପ୍ରସଙ୍ଗରେ ବିଧାୟକ ଦେବାଶିଷ ସାମନ୍ତରାୟ ସାଂସଦ ଭର୍ତ୍ତୁହରି ମହତାବଙ୍କୁ ଟାର୍ଗେଟ୍ କରିଛନ୍ତି । ରାଜ୍ୟ ସରକାରଙ୍କ ମୂର୍ତ୍ତି ୪ ଫୁଟ୍ ରଖାଯିବା ନିଷ୍ପତ୍ତିକୁ ସାମନ୍ତରାୟ ସମର୍ଥନ କରିବା ସହ ଭର୍ତ୍ତୁହରିଙ୍କୁ ସେ ସମାଲୋଚନାକ କରିଛନ୍ତି । ସେ କହିଛନ୍ତି ଯେ, ସରକାରଙ୍କ ନିଷ୍ପତ୍ତିକୁ ଭର୍ତ୍ତୁହରି ବିରୋଧ କରିବାର ଯୁକ୍ତି ବୁଝାପଡୁନି । ଯେବେଠୁ ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ ଉଠିଛି, ସାଂସଦ କେବେ ମଧ୍ୟ ଉପସ୍ଥିତ ହୋଇ ନାହାନ୍ତି । ଏବେ ଯେତେବେଳେ ନିଷ୍ପତ୍ତି ହୋଇ ସାରିଛି ସେଥିରେ ସାଂସଦ ବିଭ୍ରାଟ ସୃଷ୍ଟି କରିବା ଉଚିତ୍ ନୁହେଁ । ସରକାରଙ୍କ ନିଷ୍ପତ୍ତି ପରେ ଯୁକ୍ତି ବାଢିବା ସ୍ୱାଭାବିକ ନୁହେଁ । ଏହି ନିଷ୍ପତ୍ତି କେବଳ କଟକ ପାଇଁ ନୁହେଁ ବରଂ ସାରା ରାଜ୍ୟ ପାଇଁ ନିଆଯାଇଛି । ଶାସ୍ତ୍ରରେ ତ କେଉଁଠି ମୂର୍ତ୍ତିର ଉଚ୍ଚତା କେତେ ହେବା ଉଚିତ୍ ଲେଖା ହୋଇନି । ଭର୍ତ୍ତୁହରି ତ ଜଣେ ବିଜ୍ଞ ସାଂସଦ ସେ କିପରି ବୁଝି ପାରୁ ନାହାନ୍ତି ।

ଉଲ୍ଲେଖନୀୟ ସାଂସଦ ଭର୍ତ୍ତୁହରି ମହତାବ କହିଥିଲେ ଯେ, ମୂର୍ତ୍ତି ୪ ଫୁଟ୍ ସୀମିତ ରହିବା ନେଇ ସରକାରଙ୍କ ନିଷ୍ପତ୍ତି ହାସ୍ୟାସ୍ପଦ ଲାଗୁଛି । ଆଉ ଦୁଇ ଫୁଟ୍ ଅଢେଇ ଫୁଟରେ କଣ କରୋନା ଡରି ପଳାଉଛି । ଏପରି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଯେକେହି କୋର୍ଟ ଯାଇ ପାରନ୍ତି । ତାଙ୍କର ଏହି ଯୁ୍କ୍ତିକୁ ଶାସକ ଦଳ ସହଜରେ ହଜମ କରି ପାରିନାହାନ୍ତି । ସେପଟେ ଶାନ୍ତି କମିଟି ମଧ୍ୟ ସରକାରଙ୍କ ୪ ଫୁଟ୍ ମୂର୍ତ୍ତି ଉଚ୍ଚତା ରଖାଯିବା ନିଷ୍ପତ୍ତିକୁ ଗ୍ରହଣ କରି ପାରୁ ନାହାନ୍ତି । ସେପଟେ ସରକାର ନିଜ ନିଷ୍ପତ୍ତିରେ ଅଟଳ ରହିଥିବା ବେଳେ ଶାନ୍ତି କମିଟି ମଧ୍ୟ ସରକାରଙ୍କ ନିଷ୍ପତ୍ତିକୁ ମାନିବାକୁ ନାରାଜ ।

ମୂର୍ତ୍ତି ଉଚ୍ଚତା ବିବାଦରେ ସମୀର ଦେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ, ଏହି ପ୍ରସଙ୍ଗରେ ରାଜ୍ୟ ସରକାର ଓ ପ୍ରଶାସନ ମଧ୍ୟରେ ତାଳମେଳ ରହୁନି । ଏପରିକି ସେ ସରକାରଙ୍କ ସହ ପୂଜା କମିଟି ବୈଠକକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଆଲୋଚନା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ସଚିବ କାହିଁକି କଥା ହେଲେନି ବୋଲି ସମୀର ପ୍ରଶ୍ନ କରିଛନ୍ତି । ଯଦି ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇନଥିଲା ତେବେ ଏହି ବୈଠକ କାହିଁକି ଡକାଗଲା । ଏଥିସହ ସାଂସଦ ଭର୍ତ୍ତୁହରି ମହତାବଙ୍କୁ ମଧ୍ୟ ସେ ଟାର୍ଗେଟ୍ କରିଛନ୍ତି । ବିବାଦ ସଂପର୍କରେ କଣ ସାଂସଦ ଅବଗତ ନଥିଲେ । ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କୁ ନ ଭେଟି ଏବେ କାହିଁକି ଭେଟୁଛନ୍ତି ବୋଲି ସମୀର ଦେ ପ୍ରଶ୍ନ କରିଛନ୍ତି ।

 

Get real time updates directly on you device, subscribe now.