fbpx

ଭାରତ ଓ ପାକିସ୍ତାନ କ୍ରିକେଟରଙ୍କ ଆୟରେ ଆକାଶ ପାତାଳ ଫରକ, ଜାଣନ୍ତୁ ଗୋଟିଏ ମ୍ୟାଚ୍ ପାଇଁ କେତେ ଟଙ୍କା ମିଳେ

ନୂଆଦିଲ୍ଲୀ : ଟି-୨୦ ବିଶ୍ୱ କପରେ ସବୁଠୁ ବଡ ମୁକାବିଲା ପାଇଁ ଓଲଟା ଗଣତି ଆରମ୍ଭ ହୋଇ ଯାଇଛି । ଭାରତ ଓ ପାକିସ୍ତାନ ମଧ୍ୟରେ ଅକ୍ଟୋବର ୨୪ରେ ଖେଳାଯିବ ମହାମୁକାବିଲା । ପ୍ରାୟ ୨୮ ମାସ ପରେ ଦୁଇ ପରସ୍ପରର ମୁହାଁମୁହିଁ ହେବେ । ଶେଷ ଥର ୨୦୧୯ ବିଶ୍ୱ କପରେ ଦୁଇ ଦଳ ମଧ୍ୟରେ ହୋଇଥିଲା ଟକ୍କର । ଏବେ ଏହି ମ୍ୟାଚ୍ ଉପରେ ପୂରା ଦୁନିଆର ନଜର ରହିଛି । ଆଇସିସିକୁ ମଧ୍ୟ ଏହି ମ୍ୟାଚରେ ମୋଟା ଅଙ୍କର ଆୟ ହୋଇଥାଏ । ମଇଦାନରେ ପ୍ରାୟୋଜକଙ୍କଠୁ ନେଇ ଟିଭି ବିଜ୍ଞାପନର ମୂଲ୍ୟ ୧୦୦ ଗୁଣ ଅଧିକ ବଢିଯାଏ । ତେଣୁ ଏହି ବଡ ମଞ୍ଚରେ ଖେଳାଳିଙ୍କୁ ଭଲ ପ୍ରଦର୍ଶନ କରିବାର ଚାପ ରହିଥାଏ । ମାତ୍ର ଆପଣ ଜାଣିଛନ୍ତି କି, ଗୋଟିଏ ମ୍ୟାଚ୍ ପାଇଁ ଭାରତ ଓ ପାକିସ୍ତାନ ଖେଳାଳିଙ୍କୁ କେତେ ଟଙ୍କା ମିଳିଥାଏ । ଏହା ଜାଣିଲେ ଆପଣଙ୍କୁ ପାକିସ୍ତାନ ଖେଳାଳିଙ୍କ ଉପରେ ଦୟା ଆସିପାରେ ।

ପାକିସ୍ତାନ କ୍ରିକେଟ୍ ବୋର୍ଡ ସଂପ୍ରତି ସବୁଠୁ ଖରାପ ସମୟ ଦେଇ ଗତି କରୁଛି । ପ୍ରାୟ ୧୨ ବର୍ଷ ପରେ ଅନ୍ତର୍ଜାତୀୟ ଆୟୋଜନର ଆଶା ପାକିସ୍ତାନ କ୍ରିକେଟ୍ ବୋର୍ଡ ମନରେ ଜାଗି ଉଠିଥିଲା । ମାତ୍ର ଆତଙ୍କୀ ଆକ୍ରମଣ ଭୟରେ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ପାକିସ୍ତାନ ମାଟିରେ କ୍ରିକେଟ୍ ଖେଳିବାକୁ ମନା କରିଛନ୍ତି । ଅବସ୍ଥା ଏମିତି ଯେ, ପାକିସ୍ତାନ କ୍ରିକେଟ ଖେଳାଳିଙ୍କୁ ନିଜର ବୋର୍ଡକୁ ବାରମ୍ବାର ପଇସା ପାଇଁ ଗୁହାରି କରିବାକୁ ପଡିଥାଏ ।

ଖେଳାଳିଙ୍କ ଆୟ

ଲମ୍ବା ଅପେକ୍ଷା ପରେ ଚଳିତ ବର୍ଷ ଜୁଲାଇରେ ପାକିସ୍ତାନୀ ଖେଳାଳିଙ୍କ ଦରମା କିଛିଟା ବଢା ଯାଇଛି । ମାତ୍ର ଖେଳାଳିଙ୍କ ଦରମା ଏବେ ବି ଶ୍ରୀଲଙ୍କା ଓ ବାଂଲାଦେଶ ଖେଳାଳିଙ୍କ ଦରମା ପାଖାପାଖି ରହିଛି । ଭାରତ ପରି ପାକିସ୍ତାନ ଖେଳାଳିଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଦିଆଯାଏ । ଏଠାରେ ଗ୍ରେଡ ଏର ଖେଳାଳିଙ୍କୁ ପ୍ରତି ବର୍ଷ ଏକ କୋଟି ୨୦ ଲକ୍ଷ ଟଙ୍କା ଦିଆଯାଏ । ଅର୍ଥାତ ଭାରତୀୟ ମୁଦ୍ରା ହିସାବରେ ପ୍ରାୟ ୫୨ ଲକ୍ଷ ଟଙ୍କା । କିନ୍ତୁ ଭାରତରେ ଗ୍ରେଡ ଏ ଖେଳାଳିଙ୍କୁ ପ୍ରତି ବର୍ଷ ୭ କୋଟି ଟଙ୍କା ମିଳିଥାଏ ।

ଗୋଟିଏ ମ୍ୟାଚରେ କେତେ ଟଙ୍କା ମିଳେ

ପାକିସ୍ତାନରେ ଅଲଗା ଅଲଗା ଗ୍ରେଡ୍ ହିସାବରେ ଖେଳାଳିଙ୍କୁ ମ୍ୟାଚ୍ ଫି ଦିଆଯାଏ । ଗୋଟିଏ ଟେଷ୍ଟ ମ୍ୟାଚ୍ ପାଇଁ ୩.୫ ଲକ୍ଷ ଟଙ୍କା, ଦିନିକିଆ ପାଇଁ ୨.୨ ଲକ୍ଷ ଟଙ୍କା ଏବଂ ଟି-୨୦ ଖେଳିବା ପାଇଁ କେବଳ ୧ ଲକ୍ଷ ୬୦ ହଜାର ଟଙ୍କା ମିଳିଥାଏ । ଯଦି କୌଣସି ଖେଳାଳି ଗ୍ରେଡ ସିର ହୋଇଥାନ୍ତି ତେବେ କମ ଟଙ୍କା ମିଳିଥାଏ । ଅନ୍ୟପଟେ ଭାରତରେ ଖେଳାଳିଙ୍କୁ ଅଲଗା ଅଲଗା ଗ୍ରେଡ ହିସାବରେ ବେତନ ମିଳିଥାଏ । ଏଠାରେ ଏ ଗ୍ରେଡ ଖେଳାଳିଙ୍କୁ ୭ କୋଟି, ବି ଗ୍ରେଡ ଖେଳାଳିଙ୍କୁ ୫ କୋଟି ଏବଂ ସି କାଟାଗୋରୀଙ୍କୁ ୩ କୋଟି ଟଙ୍କା ମିଳିଥାଏ ।

ଭାରତୀୟ ଖେଳାଳିଙ୍କୁ ମ୍ୟାଚ୍ ଫି ଭାବେ ଗୋଟିଏ ଟେଷ୍ଟ ପାଇଁ ୧୫ ଲକ୍ଷା, ଦିନିକିଆ ପିଛା ୬ ଲକ୍ଷ ଏବଂ ଟି-୨୦ ପିଛା ୩ ଲକ୍ଷ ମିଳିଥାଏ । ଏହା ବ୍ୟତୀତ ଭାରତୀୟ ଖେଳାଳିଙ୍କୁ ବୋନସ୍ ମଧ୍ୟ ମିଳିଥାଏ ।

Get real time updates directly on you device, subscribe now.