fbpx

ଚୀନ ମାଟି ତଳେ ତିଆରି କରୁଛି ଭୟଙ୍କର ପରମାଣୁ ଯୁଦ୍ଧାସ୍ତ୍ର: ଆମେରିକାକୁ ପଛକୁ ଠେଲି ନମ୍ବର-୧ ଲକ୍ଷ୍ୟରେ ଡ୍ରାଗନ, ଭାରତ ପାଇଁ ସତର୍କ ଘଣ୍ଟି

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ପାଇଁ ବର୍ତ୍ତମାନ ବିପଦ ଭାବେ ଉଭା ହୋଇଛି ଚୀନ । ପୂର୍ବରୁ ଆମେରିକା-ରୁଷିଆ ମଧ୍ୟରେ ଶୀତଳ ଯୁଦ୍ଧ ଦେଖିବାକୁ ମିଳିଥିବା ବେଳେ ଆଗକୁ ଏହା ଆମେରିକା-ଚୀନ ମଧ୍ୟରେ ହେବାର ସମ୍ଭାବନା ରହିଛି । କିଛି ବର୍ଷ ହେଲା ଚୀନ ପ୍ରଯୁକ୍ତି ବିଦ୍ୟା, ପ୍ରତିରକ୍ଷା, ଅର୍ଥନୀତି ଆଦି କ୍ଷେତ୍ରରେ ଆମେରିକାକୁ କଡ଼ା ଟକ୍କାର ଦେଇ ଆସୁଛି, ଯାହାକି ଆମେରିକାର ମୁଣ୍ଡବିନ୍ଧାର କାରଣ ସାଜିଛି ।

ତେବେ ଚୀନର ସମସ୍ତ ଗୁପ୍ତ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍ କରିଛି ଆମେରିକା । ଗତ ଜୁନରେ ଚୀନର ପରମାଣୁ ଅସ୍ତ୍ରାଗାର ବା ସିଲୋର କିଛି ସାଟୋଲାଇଟ୍ ଚିତ୍ର ସାମ୍ନାକୁ ଆସିଥିଲା । ଚୀନର ଉତ୍ତର-ପଶ୍ଚିମ ସହର ୟୁମେନର ମରୁଭୂମି ଅଞ୍ଚଳରେ ଏହି ଅସ୍ତ୍ରାଗାର ଗୁପ୍ତଭାବେ ତିଆରି ହୋଇଛି । ମାଟି ଉପରକୁ ଏହା ୭୦ ମିଟର ଲମ୍ବ ଦିଶୁଥିଲେ ହେଁ ମାଟି ତଳେ ରହିଛି ଅସଲ ମଞ୍ଜି । ଚୀନ ଇତିମଧ୍ୟରେ ୧୧୯ରୁ ଅଧିକ ସିଲୋ ତିଆରି କରିସାରିଲାଣି । ଏହାକୁ ନେଇ ଆମେରିକାର ୱାଶିଂଟନ ପୋଷ୍ଟରେ ଏକ ରିପୋର୍ଟ ପ୍ରକାଶିତ ହୋଇଥିଲା । ଏହି ସିଲୋଗୁଡ଼ିକରୁ ପୃଥିବୀର ବିଭିନ୍ନ ଦେଶକୁ ଶକ୍ତିଶାଳୀ ପରମାଣୁ ଅସ୍ତ୍ରକୁ ଟାର୍ଗେଟ୍ କରଯାଇପାରିବ । ମାଟି ତଳେ ପ୍ରାୟ ୨୩୦ ଫୁଟ ଗଭୀର ଗର୍ତ୍ତରେ ଏହି ସିଲୋଗୁଡ଼ିକର ନିର୍ମାଣ ହୋଇଛି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଏହି ନିର୍ମାଣ ପଛର ମୁଖ୍ୟ ଉଦ୍ଦେଶ୍ୟ କ’ଣ । ପୂର୍ବରୁ ଆମେରିକା-ରୁଷ ଶୀତଳ ଯୁଦ୍ଧ ସମୟରେ ଏହି ସିଲୋଗୁଡ଼ିକରେ ଆମେରିକା ଇଣ୍ଟର କଣ୍ଟିନେଣ୍ଟାଲ ବାଲିଷ୍ଟିକ୍ ମିସାଇଲ୍ ଲୁଚାଇ ରଖିଥିଲା । ଭବିଷ୍ୟତରେ ଯଦି ଆମେରିକା ସହିତ ଚୀନର ଯୁଦ୍ଧ ହୁଏ, ସେ ସମୟରେ ଚୀନ ଏହି ସିଲୋଗୁଡ଼ିକର ବ୍ୟବହାର କରିବ ବୋଲି ଅନୁମାନ କରାଯାଉଛି । ଚୀନର ଏହି ଆଭିମୁଖ୍ୟ ବିଷୟ ନେଇ ଆମେରିକା ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଉଠାଇବ ବୋଲି ଜଣାପଡ଼ିଛି । ୨୦୧୯ରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ, ଉତ୍ତରକୋରିଆ ୨୦-୩୦, ଇସ୍ରାଏଲ ୮୦-୯୦, ଭାରତ ୧୩୦-୧୪୦, ପାକିସ୍ତାନ ୧୫୦-୧୬୦, ଚୀନ ୨୯୦, ବ୍ରିଟେନ ୨୦୦, ଫ୍ରାନ୍ସ ୩୦୦, ଆମେରିକା ୬୫୮୫, ରୁଷିଆ ୬୫୦୦ ପରମାଣୁ ଯୁଦ୍ଧାସ୍ତ୍ର ଗଚ୍ଛିତ କରି ରଖିଛନ୍ତି । ଯଦି ପେଣ୍ଟାଗନର ରିପୋର୍ଟ ସତ୍ୟ ହୁଏ, ତେବେ ଆଗାମୀ ୨୦୩୦ ମସିହା ବେଳକୁ ଡ୍ରାଗନ ହାତରେ ପ୍ରାୟ ଦେଢ଼ ହଜାର ପରମାଣୁ ଅସ୍ତ୍ର ଲାଗିବ ବୋଲି କୁହାଯାଇଛି । ତେବେ ବିଭିନ୍ନ ସମୟରେ ଶତ୍ରୁ ଡ୍ରାଗନ ଭାରତ ବିରୋଧୀ କାର୍ଯ୍ୟରେ ଲିପ୍ତ ରହୁଥିବାରୁ ତା’ର ଏହି ପଦକ୍ଷେପ ଭାରତ ପାଇଁ ଏକପ୍ରକାର ସତର୍କ ଘଣ୍ଟି ସଦୃଶ ହୋଇଛି ।

Get real time updates directly on you device, subscribe now.