fbpx

ଡେବ୍ୟୁ ଟେଷ୍ଟରେ ଚମକିଲେ ଶ୍ରେୟସ ଆୟର, ଗିଲ୍-ଜାଡେଜାଙ୍କ ଅର୍ଦ୍ଧଶତକ, ପ୍ରଥମ ଦିନରେ ଭାରତ ୨୫୮/୪

କାନପୁର : ପଦାର୍ପଣ ମ୍ୟାଚରେ ଚମକିଲେ ଶ୍ରେୟସ ଆୟର । ଅର୍ଦ୍ଧଶତକ ହାସଲ କରି ନିଜର ଚୟନକୁ ଯଥାର୍ଥ ପ୍ରତିବାଦନ କରିଛନ୍ତି ମୁମ୍ବାଇର ଏହି ବ୍ୟାଟସମ୍ୟାନ । କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଭାରତ ୪ ୱିକେଟ୍ ହରାଇ ୨୫୮ ରନ କରିଛି । ଶ୍ରେୟସ ଆୟର ୭୫ ରନ ଏବଂ ରବୀନ୍ଦ୍ର ଜାଡେଜା ୫୦ ରନ କରି କ୍ରିଜରେ ଅପରାଜିତ ଅଛନ୍ତି । ଶୁବମାନ ଗିଲ୍ ୫୨ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି । ପ୍ରଥମ ଦିନରେ ନ୍ୟୁଜିଲାଣ୍ଡ ପକ୍ଷରୁ କାଇଲ ଜେମିସନ ୩ ୱିକେଟ୍ ନେଇଛନ୍ତି ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଭାରତ । ଦଳର ଇନିଂସ ଆରମ୍ଭ କରିଥିଲେ ମୟଙ୍କ ଅଗୱାଲ ଓ ଶୁବମାନ ଗିଲ । ୨୧ ରନ ସ୍କୋରରେ ମୟଙ୍କ(୧୩) କାଇଲ ଜେମିସନଙ୍କ ବଲରେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ । ଶୁବମାନ ଗିଲ୍ ଓ ଚେତେଶ୍ୱର ପୂଜାରା ଇନିଂସକୁ ଆଗକୁ ବଢାଇଥିଲେ । ଦ୍ୱିତୀୟ ୱିକେଟ୍ ପାଇଁ ପୂଜାରା ଓ ଗିଲ୍ ୬୧ ରନ ଯୋଡି ଦଳର ସ୍ଥିତି ମଜବୁତ କରିଥିଲେ । ଗିଲ ଟେଷ୍ଟରେ ନିଜର ଚତୁଥ ଅର୍ଦ୍ଧଶତକ ହାସଲ କରିବା ସହ ୫୨ ରନ କରି ଜେମିସନଙ୍କ ଶିକାର ହୋଇଥିଲେ । ଫର୍ମ ସହ ସଂଘର୍ଷ କରୁଥିବା ପୂଜାରା(୨୬) ଟିମ୍ ସାଉଦିଙ୍କ ବଲରେ ଆଉଟ୍ ହୋଇଥିଲେ ।

ଏହା ପରେ ଅଧିନାୟକ ଆଜିଙ୍କ୍ୟ ରାହାଣେ କ୍ରିଜରେ ଜମି ରହି ଗିଲଙ୍କ ସହ ଦଳର ସ୍କୋରକୁ ୧୪୫ ରନରେ ପହଞ୍ଚାଇଥିଲେ । ଖରାପ ଫର୍ମରେ ଗତି କରୁଥିବା ରାହାଣେ ୬୩ ବଲରୁ ୬ ଚୌକା ସହ ୩୫ ରନର ଉପଯୋଗୀ ଇନିଂସ ଖେଳି ଜେମିସନଙ୍କ ବଲରେ ଆଉଟ୍ ହୋଇଥିଲେ । ୧୪୫ ରନରେ ୪ ୱିକେଟ୍ ହରାଇବା ପରେ ପଦାର୍ପଣ ମ୍ୟାଚ୍ ଖେଳୁଥିବା ଶ୍ରେୟସ ଆୟର ଓ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଦଳର ଇନିଂସକୁ ଆଗକୁ ବଢାଇଥିଲେ । ଉଭୟ ବ୍ୟାଟସମ୍ୟାନ କିୱି ବୋଲରଙ୍କ ଉଚିତ୍ ମୁକାବିଲା କରି ଦମଦାର ବ୍ୟାଟିଂ କରିଛନ୍ତି । ବିଶେଷ କରି ଡେବ୍ୟୁ ଟେଷ୍ଟ ଖେଳୁଥିବା ଶ୍ରେୟସ ଜବରଦସ୍ତ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଛନ୍ତି । ତାଙ୍କୁ ଉତ୍ତମ ସହଯୋଗ ଦେଇଛନ୍ତି ରବୀନ୍ଦ୍ର ଜାଡେଜା ।

ଦୁଇ ବ୍ୟାଟସମ୍ୟାନ ପ୍ରଥମ ଦିନରେ ଆଉ ଦଳର କୌଣସି କ୍ଷତି ହେବାକୁ ଦେଇ ନାହାନ୍ତି । ଅବିଭାଜିତ ପଞ୍ଚମ ୱିକେଟରେ ୧୧୩ ରନ ଯୋଡି ସାରିଲେଣି । ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଭାରତ ୪ ୱିକେଟରେ ୨୫୮ ରନ କରିଛି । ରବୀନ୍ଦ୍ର ଜାଡେଜା ଖେଳର ଶେଷ ଆଡକୁ ଦମଦାର ବ୍ୟାଟିଂ କରି ୧୭ତମ ଟେଷ୍ଟ ଅର୍ଦ୍ଧଶତକ ଅର୍ଜନକ କରିଛନ୍ତି । ସେ ୫୦ ରନ ଏବଂ ଆୟର ୭ ଚୌକା ଓ ୨ ଛକା ସହ ୭୫ ରନ କରି ଅପରାଜିତ ଅଛନ୍ତି । ନ୍ୟୁଜିଲାଣ୍ଡ ପକ୍ଷରୁ ସଫଳ ବୋଲର ଭାବେ କାଇଲ ଜେମିସନ ୪୭ ରନ ଦେଇ ୩ଟି ୱିକେଟ୍ ନେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଟିମ ସାଉଦି ୪୩ ରନ ଦେଇ ଗୋଟିଏ ୱିକେଟ୍ ନେଇଛନ୍ତି ।

 

Get real time updates directly on you device, subscribe now.