fbpx

ପଳାନ୍ତକ ମେହୁଲ ଚୋକସିକୁ ଭାରତକୁ ଆଣିବା ପ୍ରସଙ୍ଗ: ଦସ୍ତାବିଜ୍ ନେଇ ଡୋମିନିକା ପହଞ୍ଚିଲା ଭାରତର ଘରୋଇ ଜେଟ୍

ନୂଆଦିଲ୍ଲୀ: ପିଏନବି ଘୋଟାଲାର ଆରୋପୀ ଏବଂ ପଳାନ୍ତକ ହୀରା ବ୍ୟବସାୟୀ ମେହୁଲ ଚୋକସିକୁ ଭାରତକୁ ଆଣିବା ପାଇଁ ପ୍ରସ୍ତୁତି ଜୋର ଧରିଛି । ମିଳିଥିବା ସୂଚନା ମୁତାବକ ଚୋକସିକୁ ଆଣିବା ପାଇଁ ଭାରତର ଏକ ଘରୋଇ ବିମାନ ଡୋମିନିକାରେ ପହଞ୍ଚିଛି । ସବୁ ଦନ୍ତାବିଜ ସହିତ ଭାରତ ପକ୍ଷରୁ ଏକ ଘରୋଇ ଜେଟ୍ ଡୋମିନିକା ପହଞ୍ଚିଥିବା ବେଳେ ଚୋକସିକୁ ପ୍ରତ୍ୟାର୍ପଣ କରିବାକୁ ଡୋମିନିକାକୁ କହିଛି ଭାରତ । ଏନେଇ ସୂଚନା ଦେଇଛନ୍ତି ଆଣ୍ଟିଗୁଆର ପ୍ରଧାନମନ୍ତ୍ରୀ । ସେ କହିଛନ୍ତି ଯେ, ଡୋମିନିକାର ଡଗଲସ୍ ଚାର୍ଲସ୍ ଏୟାରପୋର୍ଟରେ ଭାରତର ଏକ ଘରୋଇ ଜେଟ୍ ପହଞ୍ଚିଛି ।

ମିଡିଆ ରିପୋର୍ଟ ଅନୁସାରେ, ଏହି ଜେଟ୍ ନୂଆଦିଲ୍ଲୀରୁ ଉଡାଣ ଭରିଛି ଏବଂ ମାଦ୍ରିଦ୍ ଦେଇ ଡୋମିନିକାରେ ପହଞ୍ଚିଛି । ଆଣ୍ଟିଗୁଆର ପ୍ରଧାନମନ୍ତ୍ରୀ ଏନେଇ କହିଥିଲେ ଯେ ଭାରତ ଆଣିଯାଇଥିବା ଦସ୍ତାବିଜ୍ ସାବ୍ୟସ୍ତ କରୁଛି ଯେ ମେହୁଲ ଚୋକସି ହେଉଛି ପଳାନ୍ତକ । ଭାରତ ମେହୁଲକୁ ନେବା ପାଇଁ ସବୁପ୍ରକାରର ପ୍ରୟାସ କରୁଛି ଏବଂ ଏହା ଗ୍ରହଣୀୟ ମଧ୍ୟ । ଏହି ସମୟରେ ଚୋକସିର ନାଗରିକତାକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠୁଛି । କୁହାଯାଉଛି ଯେ, ଏବେ ପର୍ଯ୍ୟନ୍ତ ମେହୁଲ ଭାରତୀୟ । ଏନେଇ ଆଣ୍ଟିଗୁଆ ଏବଂ ବାରବୁହାର ପିଏମ୍ ମଧ୍ୟ ମତ ପ୍ରକାଶ କରିଛନ୍ତି । ସେମାନଙ୍କ କହିବା କଥା ଯେ ଚୋକସିର ନାଗରିକତାକୁ ନେଇ ଅନେକ ଗଡବଡ ରହିଛି ।

ସେପଟେ ଭାରତର ଘରୋଇ ଜେଟ୍ ଡୋମିନିକା ପହଞ୍ଚିବା ନେଇ ସ୍ପଷ୍ଟ ହେବା ପୂର୍ବରୁ ମେହୁଲ ଚୋକସିର ଫଟୋ ସାମନାକୁ ଆସିଛି । ଏହି ଫଟୋରେ ଚୋକସିର ଶରୀରରେ ଅନେକ ମାଡର ,ଦାଗ ରହିଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ଚୋକସିର ଓକିଲ କହିଛନ୍ତି ଯେ, ତାଙ୍କ ସହିତ ମାରପିଯ୍ କରାଯାଇଛି । ଫଟୋରେ ଚୋକସିର ଜେଲ୍ ର ଲକର୍ ଭିତରେ ଥିବା ଦେଖିବାକୁ ମିଳିଥିବା ବେଳେ ହାତରେ ମାଡର ଦାଗ ରହିଛି । ଏଥିସହ ଆଖି ନାଲି ପଡିଯାଇଛି । ମେହୁଲ ଚୋକସି ଡୋମିନିକାର କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ (ସିଆଇଡି)ଙ୍କ ଅଧୀନରେ ଅଛନ୍ତି । ଚାରି ଦିନ ପୂର୍ବରୁ ତାଙ୍କୁ ଗିରଫ କରାଯାଇଥିଲା । ସୂଚନାଥାଉକି, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ସହ ୧୩,୫୦୦ କୋଟି ଟଙ୍କା ଠକେଇ ମାମଲା ରହିଥିଲା ।

Get real time updates directly on you device, subscribe now.