ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟର ସୁରକ୍ଷା ପାଇଁ ମୁତୟନ ହେବେ ସ୍ୱତନ୍ତ୍ର, ସଶସ୍ତ୍ର ପୁଲିସ୍‍ ବାହିନୀ

ଭୁବନେଶ୍ୱର : ମୟୂରଭଞ୍ଜ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟକୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ସରକାର ଏକ କମ୍ପାନୀ, ସ୍ୱତନ୍ତ୍ର ସଶସ୍ତ୍ର ପୁଲିସ୍‍ ବାହିନୀ ମୁତୟନ କରିବେ । ଅଭୟାରଣ୍ୟକୁ ଜଗିବା ନିମନ୍ତେ ୧୩୧ ଜଣିଆ ଏକ ସ୍ୱତନ୍ତ୍ର ଆର୍ମଡ୍‍ ପୁଲିସ୍‍ ରିଜର୍ଭ କମ୍ପାନୀ ଗଠନ କରାଯିବ ବୋଲି ଗୃହ ସଚିବ ସତ୍ୟବ୍ରତ ସାହୁ ଆକାଉଣ୍ଟ ଜେନେରାଲଙ୍କୁ ଅବଗତ କରିଛନ୍ତି । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି ।

ଗୋଟିଏ କମ୍ପାନୀ ଆର୍ମଡ ପୋଲିସ ରିଜର୍ଭ(ଏପିଆର) ଫୋର୍ସ ଶିମିଳିପାଳ ସୁରକ୍ଷା ଦାୟିତ୍ବରେ ରହିବେ ।ଏହି କମ୍ପାନୀରେ ଜଣେ କମାଣ୍ଡାଣ୍ଟ, ଜଣେ ଇନିସ୍‍ପେକ୍ଟର, ୩ ଜଣ ସବ୍‍ଇନିସ୍‍ପେକ୍ଟର, ୩ ଜଣ ଆସିଷ୍ଟାଣ୍ଟ ସବ୍‍ଇନିସ୍‍ପେକ୍ଟର ଆଦି ରହିବେ । ମୟୂରଭଞ୍ଜ ଏସ୍‍.ପି. ଏହାର ପ୍ରଶାସନିକ ଦାୟିତ୍ୱରେ ରହିବେ ଏବଂ ଏହି କମ୍ପାନୀର ସମସ୍ତ ଖର୍ଚ୍ଚ ଜଙ୍ଗଲ ଓ ପରିବେଶ ବିଭାଗ ବହନ କରିବ ବୋଲି ସରକାରୀ ଭାବେ କୁହାଯାଇଛି ।

ଶିମିଳିପାଳ ବାଘ ଅଭୟାରଣ୍ୟରେ ବନ୍ୟଜନ୍ତୁଙ୍କ ଶୀକାର ବଢୁଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । କୌଣସି ଅଭୟାରଣ୍ୟ ସୁରକ୍ଷା ପାଇଁ ଗୋଟେ କମ୍ପାନୀ ଆର୍ମଡ ପୋଲିସ ନିୟୋଜିତ ହେବା ଦେଶରେ ପ୍ରଥମ ଘଟଣା ବୋଲି କୁହାଯାଉଛି ।