fbpx

ACF ସୌମ୍ୟ ମୃତ୍ୟୁ ମାମଲା; ମୃତ୍ୟୁକାଳୀନ ଜମାନବନ୍ଦୀକୁ ନେଇ ଡାକ୍ତରଙ୍କୁ ଜେରା

ଭୁବନେଶ୍ୱର (ଓଡ଼ିଶା ଭାସ୍କର):ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ତଦନ୍ତ କରୁଥିବା କ୍ରାଇମ୍ବ୍ରାଞ୍ଚ ଟିମ୍ ବୁଧବାର ପ୍ରଥମାର୍ଦ୍ଧରେ ଘଟଣା ଦିନ ସୌମ୍ୟଙ୍କୁ ଚିକିତ୍ସା କରିଥିବା ପାରଳାଖେମୁଣ୍ଡିର ଦୁଇଜଣ ଡାକ୍ତର ଅଭିଳେଷ ପଣ୍ଡା ଏବଂ କିଶୋର ଚନ୍ଦ୍ର ବେହେରାଙ୍କୁ ପଚରାଉଚୁରା କରିଛି । ଏହା ସହିତ ସୌମ୍ୟଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ କରିଥିବା ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ ଜାନୀଙ୍କୁ ପଚରାଉଚୁରା କରିଛି । ଜେରା ସମୟରେ ସୌମ୍ୟ ଡାକ୍ତରଖାନାକୁ ଆସିବା ବେଳେ ଅଚେତ ଥିଲେ ଏବଂ ସାଲାଇନ ଦେବା ପରେ ତାଙ୍କ ଚେତା ଫେରିଥିଲା । ସେହିଭଳି ତାଙ୍କ ଅବସ୍ଥା ସ୍ଥିର କରିବା ପାଇଁ ସମୟ ଲାଗିଥିବାରୁ ସ୍ଥାନାନ୍ତରରେ ବିଳମ୍ବ ହୋଇଥିବା ତଦନ୍ତ ବେଳେ ଡାକ୍ତର ପ୍ରକାଶ କରିଛନ୍ତି । ତଦନ୍ତରେ ସୁଫଳ ମିଳୁଛି ଏବଂ ଅତିଶୀଘ୍ର ଘଟଣା ପଛର ସତ୍ୟ ସାମ୍ନାକୁ ଆସବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଏସପି ଜ୍ଞାନରଞ୍ଜନ ମିଶ୍ର ।

ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ପୋଡି ହୋଇ ମୃତ୍ୟୁ ଘଟଣାର ରହସ୍ୟ ଭେଦ କରିବାରେ ପାରଳାଖେମୁଣ୍ଡି ପୁଲିସ ବିଫଳ ହେବା ପରେ ଏହି ଦାୟିତ୍ବ ନେଇଛି କ୍ରାଇମବ୍ରାଞ୍ଚ । ଗତ ଜୁଲାଇ ୧୨ତାରିଖ ରାତିର ଘଟଣା ପଛର ସତ ଲୋକଲୋଚନକୁ ଆଣିବା ପାଇଁ କ୍ରାଇମବ୍ରାଞ୍ଚ ପୁରା ଦମ୍ ଲଗାଇଛି । ବୁଧବାର ସୌମ୍ୟଙ୍କୁ ଚିକିତ୍ସା କରିଥିବା ଦୁଇଜଣ ଡାକ୍ତରଙ୍କୁ ପଚରାଉଚୁରା ବେଳେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ସୌମ୍ୟଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ, ସୌମ୍ୟଙ୍କୁ ଯେତେବେଳେ ମେଡିକାଲରେ ଭର୍ତି କରାଯାଇଥିଲା ସେତେବେଳେ ସେ ଅଚେତ ଥିଲେ । ସାଲାଇନ ଦେଇ ପ୍ରାଥମିକ ଚିକିତ୍ସା କରାଯିବା ପରେ ତାଙ୍କ ଚେତା ଫେରିଥିଲା । ତେବେ ପୋଡ଼ା ରୋଗୀଙ୍କ ପାଇଁ କୌଣସି ସୁବିଧା ନଥିବା ସ୍ଥଳେ ପାରଳାଖେମୁଣ୍ଡି ମେଡିଲରେ ତାଙ୍କୁ କାହିଁକି ଅଢେଇ ଘଂଟାରୁ ଅଧିକ ସମୟ ରଖାଯାଇଥିଲା ବୋଲି ପ୍ରଶ୍ନର ଉତରରେ ଡାକ୍ତର କହିଛନ୍ତି ଯେ, ତାଙ୍କରୁ ସ୍ଥିର କରିବା ପାଇଁ ସମୟ ଲାଗିଥିଲା । ତେଣୁ ସ୍ଥାନାନ୍ତରରେ ବିଳମ୍ବ ହୋଇଥିବା ଡାକ୍ତର କହିଛନ୍ତି । ସେପଟେ ଦ୍ଵିତୀୟାଦ୍ଧରେ ସୌମ୍ୟଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ ସମୟରେ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ ଜାନୀଙ୍କୁ ମଧ୍ୟ ପଚରାଉଚୁରା କରିଛି କ୍ରାଇମବ୍ରାଞ୍ଚ । ପୂର୍ବରୁ କ୍ରାଇମବ୍ରାଞ୍ଚ ପାରଳାଖେମୁଣ୍ଡିରେ ପହଂଚିବା ପରେ ସିଧା ମୃତ ସୌମ୍ୟ ସରକାରୀ ବାସଭବନକୁ ଯାଇ ଛାନଭିନ କରିଥିଲା । ସୋମବାର ଠାରୁ ଏହି ଘଟଣାରେ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ଡାକି ପଚରା ଉଚୁରା ଆରମ୍ଭ କରିଛି । ସୋମବାର ଦିନ ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କ ସମେତ ଦୁଇଜଣ ଏସିଏଫ ଏବଂ ଅନ୍ୟ ଜଣେ ବନ କର୍ମଚାରୀ ଆକାଶ ପ୍ରଧାନଙ୍କୁ ଜେରା କରିଥିବା ବେଳେ ମଙ୍ଗଳବାର ଡିଏଫଓଙ୍କ ଫାଟକ ଜଗୁଆଳି ସନ୍ତୋଷ ବିଶ୍ବାଳ, ମାଳି ଅଜୟ ବେହେରା,ସୌମ୍ୟଙ୍କୁ ନେଇ କଟକ ଯାଇଥିବା ଆମ୍ବୁଲାନ୍ସର ଡ୍ରାଇଭର ଏବଂ ଅନ୍ୟ କର୍ମଚାରୀଙ୍କୁ ପଚରାଉଚୁରା କରିଥିଲା । କ୍ରାଇମବ୍ରାଞ୍ଚ ପ୍ରଶ୍ନବାଣରେ ଘାଇଲା ହୋଇ ସେହିଦିନ ରାତିର ଅନେକ ଗୁମର ଖୋଲିଛନ୍ତି ଜଗୁଆଳି । ଏପରିକି ପ୍ରଥମରୁ ଏହି ଘଟଣାର ତଦନ୍ତ କରୁଥିବା ପୁଲିସ୍ ଘଟଣା ଦିନ ସେଠାରେ ଜିଲ୍ଲାପାଳଙ୍କ ଉପସ୍ଥିତି ନେଇ ପଦୁଟିଏ କହିନଥିବା ବେଳେ କ୍ରାଇମବ୍ରାଞ୍ଚର ୪ ଦିନର ତଦନ୍ତ ମଧ୍ୟରେ ଏହା ଲୋକଲୋଚନକୁ ଆଣିପାରିଛି ।

ଜେରା ବେଳେ ସେହିସ୍ଥାନରେ ଜିଲ୍ଲାପାଳ ଉପସ୍ଥିତ ଥିବା ନେଇ ଜଗୁଆଳି କହିଥିଲେ । ଏହାପରେ ଜିଲ୍ଲାପାଳ ମଧ୍ୟ ସନ୍ଦେହ ଘେରକୁ ଆସିଛନ୍ତି । ସେହିଦିନ ଜିଲ୍ଲାପାଳ କାହିଁକି ସେଠାକୁ ଯାଇଥିଲେ ଏବଂ ଏହି ରହସ୍ୟଜନକ ମୃତ୍ୟୁ ଘଟଣା ସହ ତାଙ୍କ ସଂପର୍କ କଣ ଏହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଏଭଲି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିବାର ୨୪ ଘଂଟାରୁ ଅଧିକ ସମୟ ବିତି ସାରିଥିଲେ ମଧ୍ୟ ଜିଲ୍ଲାପାଳ ପଦୁଟିଏ ମଧ୍ୟ କହୁନାହାନ୍ତି । ଜିଲ୍ଲାପାଳ ମୁହଁ ନଖୋଲିବା ସନ୍ଦେହକୁ ଅଧିକ ଖୋରାକ ଯୋଗାଇଛି । ଏହା ସହିତ ତଦନ୍ତକାରୀ ପୋଲିସଙ୍କ ଭୂମିକାକୁ ନେଇ ମଧ୍ୟ ସନ୍ଦେହ ଉପୁଜିଛି । ବିଦ୍ୟାଭାରତୀଙ୍କ ବ୍ୟତିତ ଅନ୍ୟ ସମସ୍ତଙ୍କୁ କେଉଁ ଆଧାରରେ କ୍ଲିନଚିଟ୍ ଦିଆଗଲା ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୋଲିସ ପକ୍ଷରୁ ଡାକ୍ତରଙ୍କ ବୟାନ ନିଆଯାଇନଥିବା ବେଳେ ତହସିଲଦାରଙ୍କ ବୟାନ ମଧ୍ୟ ନିଆଯାଇନାହିଁ । ଏପରି ସ୍ଥଳେ କେଉଁ ଆଧାରରେ କ୍ଲିନ ଚିଟ୍ ଦିଆଯାଇଥିଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.